ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ଯବାନଙ୍କ ମନୋବଳ ବଢାଇବାକୁ ତ୍ରିରଙ୍ଗା ଶୋଭାଯାତ୍ରା, ରାଜ୍ୟର ବିଭିନ୍ନ ସ୍ଥାନରେ ବାଇକ୍ ରାଲି

Published By : Harapriya Sethi | May 15, 2025 9:20 AM

ଗୋପାଳପୁର,୧୫/୦୫: ଗୋପାଳପୁର ଏନ୍ଏସି ପକ୍ଷରୁ ଗୁରୁବାର ଭାରତର ବୀର ସୈନିକ ମାନଙ୍କ ସାହସିକ ପଦକ୍ଷେପ ଯୋଗୁଁ ସେମାନଙ୍କୁ ଆହୁରି ଉତ୍ସାହିତ କରିବା ପାଇଁ ଶତାଧିକ ବାଇକ୍ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରାରେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ, ଅଧକ୍ଷ ଏ .ଜାନକୀ ରାମ, ପଞ୍ଚୁ ବେହେରା,ଏମ୍ .ଚନ୍ଦ୍ରଶେଖରଙ୍କ ସମେତ ଛାତ୍ରଛାତ୍ରୀ, କ୍ରୀଡାବିତ୍, ପୋଲିସ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସାଧାରଣ ଲୋକେ ଯୋଗ ଦେଇ ତ୍ରିରଙ୍ଗା ପତାକା ଧରି ନଗର ପରିକ୍ରମା କରିଥିଲେ ।

ଛତ୍ରପୁର ଏନ୍ଏସି ପକ୍ଷରୁ ଅପରେସନ ସିନ୍ଦୁର ତ୍ରିରଙ୍ଗା ରାଲି

ଛତ୍ରପୁର : ସେନା ମାନଙ୍କ ମନୋବଳକୁ ସୁଦୃଢ କରିବା ପାଇଁ ଅପରେସନ ସିନ୍ଦୂର ପରାକ୍ରମ ଶୋଭାଯାତ୍ରା ତ୍ରିରଙ୍ଗା ରାଲି ଛତ୍ରପୁର ଏନ୍ଏସି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଶେଶ୍ଵର ମନ୍ଦିର ଠାରୁ ବାହାରିଥିବା ଏହି ରାଲିରେ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଛତ୍ରପୁର ଏନ୍ଏସି ଉପାଧକ୍ଷ ଜି. ପାପା ରାଓ ନିର୍ବାହୀ ଅଧିକାରୀ ପ୍ରସନ୍ନ ଦାସଙ୍କ ସମେତ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ । ସହର ସାରା ଏହି ରାଲି ପରିକ୍ରମା କରିଥିଲା ।

‘ଅପରେସନ ସିନ୍ଦୂର’ର ସଫଳତା ପରେ ମୁକୁନ୍ଦପ୍ରସାଦଠାରେ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ 

ଖୋର୍ଦ୍ଧା : ଆତଙ୍କବାଦ ବିରୋଧୀ ଅଭିଯାନ ‘ଅପରେସନ ସିନ୍ଦୂର’ର ସଫଳତା ପରେ ଗୁରୁବାର ଖୋର୍ଦ୍ଧା ପୌର ପରିଷଦ ମୁକୁନ୍ଦପ୍ରସାଦଠାରେ ଏକ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଧାୟକ ପ୍ରସାନ୍ତ ଜଗଦେବ, ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରମୁଖ ଶତାଧିକ ପ୍ରଶାସନିକ ଅଧିକାରୀ, କର୍ମଚାରୀ ସେନା ବାହିନୀ, ପୋଲିସ ଏବଂ ସାଧାରଣ ଲୋକଙ୍କ ସାମିଲ ହୋଇଥିଲେ । ଏହି ଯାତ୍ରା ଜିଲ୍ଲାପାଳଙ୍କ ଅଫିସ୍ ଠାରେ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡଙ୍ଗୀ ଅପରେସନ ସିନ୍ଦୂରର ସଫଳତା ପରେ ଆଜିର ଏହି ତ୍ରିରଙ୍ଗା ବାଇକ୍ ଯାତ୍ରା ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ । ଜାତି, ଧର୍ମ ନିର୍ବିଶେଷରେ ସବୁ ଭାରତୀୟ ତ୍ରିରଙ୍ଗା ତଳେ ଯେତେବେଳେ ଏକଜୁଟ୍ ହେବେ, ସେତେବେଳେ କୌଣସି ଶକ୍ତି ଆମ ବିରୋଧରେ ସଫଳ ହେବେନାହିଁ ବୋଲି ମତବ୍ୟକ୍ତ କରିଥିଲେ । 

ନବରଙ୍ଗପୁରରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା 

ନବରଙ୍ଗପୁର : ଅପରେସନ ସିନ୍ଦୂରରେ ଭାରତୀୟ ସେନାର ବୀରତ୍ୱର ପ୍ରଦର୍ଶନ କରି ଆତଙ୍କୀ ନିପାତ କରିଥିଲା । ତେଣୁ ବୀରସେନାର ମନୋବଳ ବୃଦ୍ଧି କରି ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟଠାରୁ ଚାଉରୀଆଗୁଡା ପର୍ଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ବାହାରିଥିଲା। ବାଇକ୍‌ରେ ଜାତୀୟ ପତାକା ଉଡ଼ାଇ ଶତାଧିକ ଜନସାଧାରଣ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ନବରଙ୍ଗପୁର ଜିଲ୍ଲାପାଳ ଡ଼.ଶୁଭଙ୍କର ମିଶ୍ର, ଏସପି ମିହିର ପଣ୍ଡାଙ୍କ ଓ ସରକାରୀ କର୍ମଚାରୀ ସମେତ ଶତାଧିକ ଜନସାଧାରଣ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଅନୁଗୁଳ : ଅନୁଗୁଳ ଜିଲ୍ଲା ପ୍ରଶାସନ ତରଫରୁ ଦେଶର ବୀର ସୈନିକମାନଙ୍କ ଉଦ୍ଦେଶ୍ୟରେ ଏକ କୃତଜ୍ଞତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ବାଇକ୍ ଶୋଭାଯାତ୍ରାରେ ସରକାରୀ କର୍ମଚାରୀ, ଏନସିସି ଛାତ୍ରଛାତ୍ରୀ, ପୁରାତନ ସୈନିକ, ସ୍ୱେଚ୍ଛାସେବୀମାନେ ଅଂଶ ଗ୍ରହଣ କରିଥିଲେ। ଶୋଭାଯାତ୍ରାଟି ସହରର ସଭାଘର ଠାରୁ ଆରମ୍ଭ ହୋଇ ଥାନା ଛକ, ବଜାର ଛକ, ଶଙ୍କର ସିନେମା ରୋଡ୍ ଦେଇ ଗାନ୍ଧି ମାର୍ଗ, ଶିମିଳିପଡା ଛକ ଦେଇ ରଜ ହୋଟେଲ ଛକ ଓ ଜାତୀୟ ରାଜପଥ ଦେଇ ସଭାଘର ଠାରେ ଶେଷ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଅବଦୁଲ ଏମ ଅଖତର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଉପଜିଲ୍ଲାପାଳ, ନଗରପାଳ ଅକ୍ଷୟ କୁମାର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସେନାର ବୀରତ୍ୱକୁ ସମ୍ମାନ ଜଣାଇ ଝାରସୁଗୁଡାରେ ରାଲି

ଝାରସୁଗୁଡା : ଭାରତୀୟ ସେନାଙ୍କ ବୀରତ୍ଵକୁ ସମ୍ମାନ ଜଣାଇବା ସହ ସେମାନଙ୍କ ମନୋବଳ ବୃଦ୍ଧି ନିମନ୍ତେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବାଇକ୍ ରାଲି ଆୟୋଜିତ ହୋଇ ଯାଇଛି । ଗୁରୁବାର ସକାଳ ୮ ଟାରେ ଜିଲ୍ଲା କାର୍ଯ୍ୟାଳୟରୁ ସରବାହଲ ହାଇ ସ୍କୁଲ ପଡିଆ ପର୍ଯ୍ୟନ୍ତ ରାଲିରେ ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ, ଅତିରିକ୍ତ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ (ରାଜସ୍ୱ), ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର, ପୌର ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଯୋଗ ଦେଇଥିଲେ । ତ୍ରିରଙ୍ଗା ପତାକା ସହ ଭାରତ ମାତା କି ଜୟ, ଜୟ ଯବାନ ଜୟ କିଷାନ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ସହର । ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଅଙ୍ଗନବାଡ଼ି କର୍ମୀଙ୍କ ସହ ହଜାର ହଜାର ସହରବାସୀ ସାମିଲ ହୋଇଥିଲେ । 

ବିଶାଳ ବାଇକ୍ ସଭାଯାତ୍ରା ଅନୁଷ୍ଠିତ

ରାଇରଙ୍ଗପୁର : ଭାରତୀୟ ସେନା ବାହିନୀର ମନୋବଳକୁ ଦୃଢ କରିବା ଉଦ୍ଦେଶ୍ୟରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୁର୍ମୁ ଛକରୁ ବାହାରି ରାଇରଙ୍ଗପୁର ସହର ପରିକ୍ରମା କରି ଅଁଳାଡୁବା ସରସ୍ୱତୀ ଶିଶୁମନ୍ଦିର ସ୍କୁଲ ପର୍ଯ୍ୟନ୍ତ ପହଞ୍ଚିଥିଲା ଏହି ଶୋଭାଯାତ୍ରା । ଯୁଦ୍ଧ ପରିସ୍ଥିତିରେ ପାକିସ୍ତାନ ବିରୁଦ୍ଧରେ ସେନା ବାହିନୀର ଦକ୍ଷତା ଅତ୍ୟନ୍ତ ପ୍ରଶଂସନୀୟ ଏବଂ ତାଙ୍କ ମନୋବଳକୁ ଆହୁରି ଦୃଢ କରିବା ଉଦ୍ଦେଶ୍ୟରେ ଏହି ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା କହିଛନ୍ତି ସାଂସଦ ନବଚରଣ ମାଝୀ । ଏଥିରେ ସାଂସଦ, ବିଧାୟକ, ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସହ ଅଞ୍ଚଳର ଅନେକ ଲୋକ ଯୋଗ ଦେଇଥିଲେ।

ତ୍ରିରଙ୍ଗା ମୋଟର ସାଇକେଲ୍ ରାଲି, ପାକିସ୍ତାନରେ ପଶି ଆତଙ୍କବାଦୀ ଆଡ୍ଡାକୁ ଧ୍ଵଂସ କରିଥିବା ସୈନ୍ୟ ବାହିନୀଙ୍କୁ ସମ୍ମାନ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଓ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପାଳିତ ହେଲା ତ୍ରିରଙ୍ଗା ମୋଟର ସାଇକେଲ ରାଲି । ଆଜି ଏହି ମୋଟର ସାଇକେଲ ରାଲିରେ ବହୁ ସରକାରୀ ବିଭାଗୀୟ କର୍ମଚାରୀ, ସଚେତନ ନାଗରିକ, ଅବସର ପ୍ରାପ୍ତ ସୈନିକ, ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି ମାନେ ସାମିଲ ହୋଇ ଦେଶର ମାନ, ସମ୍ମାନ ଏବଂ ସ୍ଵାଭିମାନ ଅଟନ୍ତି ଆମ ସୈନ୍ୟ ବାହିନୀ ବୋଲି ଆହ୍ୱାନ କରିଥିଲେ । ସୈନ୍ୟ ବାହିନୀଙ୍କ ସହ ୧୪୦ କୋଟି ଜନତାଙ୍କ ସମର୍ଥନ ରହିଥିବା ବେଳେ ତାଙ୍କ ପରିବାରକୁ ମଧ୍ୟ ସମର୍ଥନ ରହିଅଛି ବୋଲି କହିଛନ୍ତି । ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ଉପଯୁକ୍ତ ଜବାବ ଦେଇଥିବା ବେଳେ ୯ ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ଵଂସ କରିଥିବା ସୈନ୍ୟ ବାହିନୀଙ୍କୁ ସମ୍ମାନ ଓ ସମର୍ଥନ ଜଣାଇ ତାଙ୍କ କାର୍ଯ୍ୟକଳାପକୁ ଉଚ୍ଚ ପ୍ରଶଂସା କରିଥିଲେ । ବ୍ଲକ୍ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ନନ୍ଦ, ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ଥାନା ଅଧିକାରୀ ଦିଲୀପ କୁମାର ସାହୁ, ଅତିରିକ୍ତ ତହସିଲଦାର ତ୍ରିଲୋଚନ ନାଏକ, ଭୂପିନ୍ଦର ସିଂ, ସିଡିପିଓ ମୀନା ଅଗ୍ରୱାଲ, ବନ୍ ବିଭାଗ, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ନଗର ଉନ୍ନୟନ, ବ୍ଲକ କର୍ମଚାରୀମାନେ ଯୋଗ ଦେଇଥିଲେ ।

କଟକ : ଅପରେସନ ସିନ୍ଦୂରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ଗୁରୁବାର କଟକଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାମହିମ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପତି ପତାକା ଦେଖାଇ ବାଇକ୍‌ ରାଲିର ଶୁଭ ଉଦଘାଟନ କରିଥିଲେ। ଭାରତୀୟ ସେନାର ଅଦମ୍ୟ ସାହସକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପରାକ୍ରମ ଶୋଭାଯାତ୍ରାରେ ସମାଜର ସବୁ ବର୍ଗର ନାଗରିକଙ୍କ ସହ ପ୍ରଶାସନିକ ଅଧିକାରୀ, ପୋଲିସ ବାହିନୀ, ଏନସିସି କ୍ୟାଡେଟ, ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ କର୍ମଚାରୀ, ଶିକ୍ଷକ, ମହିଳା, ଛାତ୍ରଛାତ୍ରୀ, କ୍ରୀଡ଼ାବିତ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।  ଜାମ୍ମୁ କାଶ୍ମୀରର ପହଲଗାମଠାରେ ହୋଇଥିବା ଆତଙ୍କବାଦୀ ଘଟଣା ପ୍ରତିବଦଳରେ ଅପରେସନ ସିନ୍ଦୂରର ସଫଳତା, ଦେଶର ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଜାଗ୍ରତ ପ୍ରହରୀଙ୍କୁ ସମ୍ମାନ ଜଣାଇ ସ୍ଥାନୀୟ ନେତାଜୀ ସ୍ମାରକୀଠାରୁ ଆରମ୍ଭ ହୋଇଥିବା ପରାକ୍ରମ ରାଲି ସହର ପରିକ୍ରମା କରି ସ୍ୱରାଜ ଆଶ୍ରମ ଠାରେ ପହଞ୍ଚିଥିଲା।

ଏହି ଅବସରରେ କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ବି.ପରମେଶ୍ୱରନ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଡିସିପି ଶ୍ରୀ ଖିଲାରୀ ରିଷିକେଶ ଡି., କଟକ ମହାନଗର ନିଗମ କମିଶନର ଅନାମ ଚରଣ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ, ଉପଜିଲ୍ଲାପାଳ କଟକ ସଦର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ପ୍ରମୁଖ ଉପସ୍ଥିତ ଥିଲେ। ବହୁ ସଂଖ୍ୟାରେ ଜନସାଧାରଣ ଉତ୍ସାହିତ ହୋଇ ହାତରେ ତ୍ରିରଙ୍ଗା ଧରି ଏହି ଶୋଭାଯାତ୍ରରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ପୂର୍ବରୁ ମାନ୍ୟବର ରାଜ୍ୟପାଳ ନେତାଜୀ ସଂଗ୍ରହାଳୟ ଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ବୀର ଯବାନଙ୍କ ସାହସ ଓ ବୀରତ୍ୱକୁ ସମ୍ମାନ, ଢେଙ୍କାନାଳରେ ପରାକ୍ରମ ଶୋଭାଯାତ୍ରା 

ଢେଙ୍କାନାଳ : ବୀର ଯବାନଙ୍କ ସାହସ ଓ ବୀରତ୍ୱକୁ ସମ୍ମାନ ଜଣାଇ ଢେଙ୍କାନାଳ ସହରରେ ଏକ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଶୋଭାଯାତ୍ରା ସିଦ୍ଧ ବଳରାମ ମନ୍ଦିର ନିକଟରୁ ବାହାରି ବାଜିଚୌକ, ଶାସନ ଛକ, ମହାବୀର ବଜାର ଦେଇ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ପ୍ରାରମ୍ଭରେ ବଳରାମ ମନ୍ଦିର ନିକଟରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରାମ୍ଭ କରିଥିଲେ । ବୀର ଯବାନ ସଦା ସର୍ବଦା ଦେଶର ସୁରକ୍ଷା ପାଇଁ ତତ୍ପର ରହିଥାନ୍ତି । ସେମାନଙ୍କ ବଳିଦାନ ପାଇଁ ଆମେ ସୁଖମୟ ଜୀବନ ଅତିବାହିତ କରୁଛେ । କାରଣ ସେମାନେ ବାହ୍ୟ ଶତ୍ରୁ ଆକ୍ରମଣରୁ ଅମାକୁ ରକ୍ଷା କରିଥାନ୍ତି । ଏହା ସହ ବର୍ତ୍ତମାନ ପରିସ୍ଥିତିରେ ପାକିସ୍ତାନ ସହିତ ଉପୁଜିଥିବା ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ଭାରତୀୟ ସେନା ଅସୀମ ସାହସ ଓ ପରାକ୍ରମ ପ୍ରଦର୍ଶନ କରିଛି । ତେଣୁ ଏହି ଶୋଭାଯାତ୍ରାକୁ ସେ ଦେଶର ସେହି ବୀର ଯବାନ ମାନଙ୍କ ସମ୍ମାନ ପାଇଁ କରଯାଉଛି ବୋଲି ଜିଲ୍ଲାପାଳ ଉପାଧ୍ୟାୟ ପ୍ରକାଶ କରିଥିଲେ । ଏହି ଶୋଭାଯାତ୍ରାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଏନଏସଏସ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ, ରେଡକ୍ରସ୍, ବଜରଙ୍ଗ କ୍ଲବ, ଆଥେଲେଟିକ ସଂଘ, ପୋଲିସ ଅଧିକାରୀ, ସହରର ବୁଦ୍ଧିଜୀବୀ, ଜିଲ୍ଲାପାଳ କାର୍ଯ୍ୟାଳୟର ଅଧିକାରୀଗଣ ଯୋଗଦେଇଥିଲେ ।

ବୀର ଯବାନଙ୍କ ସମ୍ମାନରେ ଉଡିଲା ତ୍ରିରଙ୍ଗା 

ପୋଲସରା : ପୋଲସରା ଏନଏସି ପ୍ରଶାସନ ପକ୍ଷରୁ ଗୁରୁବାର ବୀର ଯବାନମାନଙ୍କୁ ସମ୍ମାନ ଜଣାଇ ଅପରେସନ ସିନ୍ଦୂରର ସଫଳତାକୁ ନେଇ ତ୍ରିରଙ୍ଗା ପତାକା ଧରି ଏକ ବାଇକ ଶୋଭାଯାତ୍ରା ପୋଲସରା ସହରରେ ହୋଇଥିଲା । ରାଲି ସମୟରେ ଦେଶାତ୍ମକ ଗୀତ ବଜାଇ ଭାରତ ମାତାକି ଜୟ, ବନ୍ଦେ ମାତରଙ୍ଗ ଧ୍ୱନିରେ ସହର କମ୍ପି ଉଠିଥିଲା । ଏହି ବାଇକ୍‌ ରାଲି ଏନଏସି କାର୍ଯ୍ୟାଳୟରୁ ବାହାରି ରାଣୀପଡ଼ା ଲୁଣିଘାଟି ପେଟ୍ରୋଲ ପମ୍ପ୍ ହୋଇ ପୁଣି କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା ।  ଯବାନ ମାନଙ୍କୁ ସମ୍ମାନ ଜଣାଇ ଏହି ପରାକ୍ରମ ଶୋଭାଯାତ୍ରା କରାଯାଇଥିଲା । ଏହି ପରାକ୍ରମ ଶୋଭାଯାତ୍ରାରେ ପୋଲସରା ତହସିଲଦାର ଦିପ୍ତିମୟୀ ପାତ୍ର, ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନା, ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ସମେତ ଏନଏସିର ସମସ୍ତ କର୍ମଚାରୀ ସାମିଲ ହୋଇ ପରାକ୍ରମ ଶୋଭାଯାତ୍ରାକୁ ସଫଳ କରାଇଥିଲେ ।

ଭାରତୀୟ ସେନାର ମନୋବଳ ବୃଦ୍ଧି ପାଇଁ ବାଇକ୍ ରାଲି

ଫୁଲବାଣୀ: ରାଷ୍ଟ୍ରହିତରେ ନିୟୋଜିତ ଭାରତୀୟ ସେନାବଳର ସମ୍ମାନ ଓ ମନୋବଳ ବୃଦ୍ଧି ସହିତ ଭାରତର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କ ସନ୍ଦେଶ ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ବାଇକ୍‌ ରାଲି ଆୟୋଜିତ ହୋଇଛି । କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ସବୁଜ ପତାକା ଦେଖାଇ ଏହି ବାଇକ୍‌ ରାଲିର ଶୁଭାରମ୍ଭ କରିଥିଲେ। କନ୍ଧମାଳ ଷ୍ଟାଡିୟମରୁ ବାହାରି ଫୁଲବାଣୀ ସହର ପରିକ୍ରମା କରି କୋରୋନେସନ୍ ପଡ଼ିଆଠାରେ ରାଲି ଶେଷ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, କୁଶଳ ଚନ୍ଦ୍ର ନାଏକ, ଉପ-ଜିଲ୍ଲାପାଳ, ଭିକାରୀ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ସମେତ ସରକାରୀ ଅଧିକାରୀ, ଜନ ପ୍ରତିନିଧି, ସରକାରୀ କର୍ମଚାରୀ, ସାଧାରଣ ଜନତା ବହୁ ସଂଖ୍ୟାରେ ସାମିଲ ହୋଇ ଦେଶ ପାଇଁ ସେବା ଓ ତ୍ୟାଗ ନିମନ୍ତେ ବୀର ଯବାନମାନଙ୍କୁ ସମ୍ମାନ ଓ ଉତ୍ସାହ ପ୍ରଦାନ କରିଥିଲେ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଅପରେସନ ସିନ୍ଦୂର ପାଇଁ ପରାକ୍ରମ ଶୋଭାଯାତ୍ରା

ମାଲକାନଗିରି: ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଅପରେସନ ସିନ୍ଦୂର ପରାକ୍ରମ ଶୋଭାଯାତ୍ରା ଆଜି ସହରରେ ଅନୁଷ୍ଠିତ ହୋଇଯାଇଛି । ଗତ ଏପ୍ରିଲ ୨୨ ତାରିଖ ଦିନ ଜମ୍ମୁର ପହଲଗାମ୍‌ଠାରେ ଆତଙ୍କବାଦୀଙ୍କ ବିଭତ୍ସ କାଣ୍ଡର ଜବାବ୍‌ରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଭାରତ ଆତଙ୍କବାଦୀଙ୍କ ବିରୁଦ୍ଧରେ ମଇ ୭ ତାରିଖ ଦିନ ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିଥିଲା । ଭାରତୀୟ ସେନାବାହିନୀର ସାହସ ଯୋଗୁଁ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ ପାଇବା ସହ ବହୁ ଆତଙ୍କବାଦୀ ମୃତାହତ ହୋଇଥିଲେ । ଏହି ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇ ମାତ୍ର ତିନି ଦିନ ପରେ ମଇ ୧୦ ତାରିଖ ଦିନ ପାକିସ୍ତାନ ଅସ୍ତ୍ରବିରତିର ପ୍ରସ୍ତାବ ଦେଇଥିଲା । 

ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ ଯୋଗୁଁ ଆଜି ଦେଶବାସୀ ଗର୍ବିତ । ଭାରତର ସାର୍ବଭୌମତ୍ୱ ଓ ଭାରତୀୟଙ୍କ ସୁରକ୍ଷା ପାଇଁ ସେନାବାହିନୀର ଏହି ଦେଶଭକ୍ତି ଓ ବୀରତ୍ୱକୁ ସମ୍ମାନ ଜଣାଇ ଆଜି ସକାଳେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ତ୍ରିରଙ୍ଗା ବାଇକ୍‌ ଓ ପଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଏହି ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଭାରତ ମାତା କି ଜୟ, ବନ୍ଦେ ମାତରମ୍‌ ଧ୍ୱନିରେ ଗଗନପବନ ପ୍ରକମ୍ପିତ ହୋଇଥିଲା । ବହୁ ସଂଖ୍ୟାରେ ସ୍ଥାନୀୟ ଜନତା, ଜିଲ୍ଲାର ନାଗରିକ ସମାଜ, ବଣିକ ସଂଘ, ବିଭିନ୍ନ ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ମିଶନ ଶକ୍ତି ମହିଳା ଓ ବିଏସଏଫ ଯବାନ, ପୋଲିସ ବାହିନୀ ପ୍ରମୁଖ ହଜାର ହଜାର ସଂଖ୍ୟାରେ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ସକାଳ ୮ଟା ସମୟରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍‌ରୁ ବାହାରି ଡିଏନ୍‌କେ ଖେଳ ପଡିଆ ପର୍ଯ୍ୟନ୍ତ ଯାଇଥିଲା । 

ଜନସାଧାରଣଙ୍କ ମନରେ ଅପୂର୍ବ ଉତ୍ସାହ, ଉଦ୍ଦୀପନା ଓ ବିଜୟର ଆନନ୍ଦ ସହ ଦେଶପ୍ରେମର ମନୋଭାବ ଦେଖିବାକୁ ମିଳିଥିଲା। ଅତିରିକ୍ତ ଜିଲ୍ଲାପାଳ ଏହି ଅବସରରେ କହିଥିଲେ ଯେ ମାତୃଜାତି ପ୍ରତି ରହିଥିବା ଗଭୀର ସମ୍ବେଦନା ତଥା ଦେଶର କନ୍ୟାର ସିନ୍ଦୂରର ସୁରକ୍ଷା ମାଧ୍ୟମରେ ସମଗ୍ର ଦେଶବାଦୀଙ୍କ ସୁରକ୍ଷା, ଦେଶର ଏକତା ଏବଂ ସାର୍ବଭୌମତ୍ୱ ପ୍ରତି ରହିଥିବା ପ୍ରତିବଦ୍ଧତାର ପରିଣାମ ଅପରେସନ୍‌ ସିନ୍ଦୂର । ସେ ଆହୁରି ମଧ୍ୟ କହିଥିଲେ ଯେ, ସମସ୍ତ ସେନାବାହିନୀର ସମନ୍ୱୟ ଏବଂ ଦେଶ ସାମରିକ କୌଶଳରେ ବିଶ୍ୱର ସର୍ବଶ୍ରେଷ୍ଠ ଦେଶ ବୋଲି ପ୍ରମାଣିତ ହୋଇ ପାରିଛି। 

ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତି, ସାଂସଦ ପ୍ରତିନିଧି ସଞ୍ଜୟ ସରକାରଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ, କର୍ମଚାରୀ, ପୋଲିସ ପ୍ରଶାସନ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଏସଏଫ୍ ଡେପୁଟି କମାଣ୍ଡାଣ୍ଟ ରବି ମିଶ୍ରଙ୍କ ନେତୃତ୍ୱରେ ବିଏସଏଫର ଯବାନ ମାନେ ବାଇକ୍ ରାଲିରେ ସାମିଲ୍ ହୋଇଥିଲେ ।

ଭାରତୀୟ ସେନାବାହିନୀର ମନୋବଳ ବୃଦ୍ଧି ଉଦ୍ଦେଶ୍ୟରେ ବାଇକ୍‌ ରାଲି ଅନୁଷ୍ଠିତ

ବୌଦ୍ଧ : ଭାରତୀୟ ସେନାବାହିନୀକୁ ମାନସିକ ସ୍ତରରେ ସମର୍ଥନ, ତାଙ୍କର ମନୋବଳ ବୃଦ୍ଧି ସହ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଗୁରୁବାର ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବାଇକ୍‌ ରାଲି ଅନୁଷ୍ଠିତ ହୋଇଯାଇଛି । ସରକାରୀ ଦଳ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଏହାର ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ  ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ-ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ମଦନ ମୋହନ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହଙ୍କ ସମେତ ବୌଦ୍ଧ ସହରର ଜନସାଧାରଣ, ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଏନ. ସି. ସି., ସ୍କାଉଟ, ସମସ୍ତ ଏ. ପି. ଆର., ହୋମଗାର୍ଡ, ରେଡ଼କ୍ରସ୍ ଛାତ୍ରଛାତ୍ରୀ, ସମସ୍ତ ପୋଲିସ ଅଧିକାରୀ, କର୍ମଚାରୀ, ମେଡିକାଲର ସମସ୍ତ ଅଧିକାରୀ ଏବଂ କର୍ମଚାରୀ,ଏନଡିଆରଏଫ, ଓଡ୍ରାଫଟ ଟିମ, ରେଡ଼କ୍ରସ୍‌ର ସମସ୍ତ ସଦସ୍ୟ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ସମସ୍ତ ସଦସ୍ୟ ସଦସ୍ୟା, ସମସ୍ତ  ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ, ଦଳଗତ ଏବଂ  ଜାତି, ଧର୍ମ, ବର୍ଣ୍ଣ ନିର୍ବଶେଷରେ ସମସ୍ତେ ଏହି ବାଇକ ରାଲିରେ ସାମିଲ ହୋଇଥିଲେ ।

ବଲାଙ୍ଗୀର(ମୁକେଶ ବହିଦାର): ଭାରତୀୟ ସେନା ବାହିନୀର ମନୋବଳ ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପକ୍ଷରୁ ତ୍ରିରଙ୍ଗା ରାଲି । ଜିଲ୍ଲାପାଳ ଗୌରବ ଶିବାଜି ଇସଲୱାର ଏବଂ ଏସପି ଅଭିଳାଷ ଜି ନିଜେ ବାଇକ୍ ଚଳାଇ ରାଲିରେ ବୁଲିଲେ।

ଭାରତୀୟ ସେନାର ମନୋବଳ ବୃଦ୍ଧି ପାଇଁ ପାତ୍ରପୁର ବ୍ଲକରେ ତ୍ରିରଙ୍ଗା ଶୋଭାଯାତ୍ରା 

ପାତ୍ରପୁର : ସୀମାରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଯୁଦ୍ଧର ବାତାବରଣ । ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ପାକିସ୍ତାନକୁ ଦେଇଛି ଉଚିତ ଜବାବ । ପୁରା ଭାରତ ବର୍ଷରେ ଭାରତୀୟ ଯବାନଙ୍କ ପ୍ରସଂଶାରେ ସମସ୍ତେ ଶତମୁଖ । ଏହି ପରିପ୍ରେକ୍ଷୀରେ ଭାରତୀୟ ଯବାନଙ୍କ ମନୋବଳକୁ ଅଧିକ ବୃଦ୍ଧି କରି ଯବାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଗୁରୁବାର ସକାଳୁ ପାତ୍ରପୁର ପଞ୍ଚାୟତ ସମିତି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ପାତ୍ରପୁର ବ୍ଲକ ପ୍ରଶାସନ କର୍ମଚାରୀଙ୍କ ସହିତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ଅଞ୍ଚଳର ବହୁ ସ୍ୱେଚ୍ଛାସେବୀ ନିଜ ନିଜ ବାଇକ୍‌ରେ ତ୍ରିରଙ୍ଗା ପତାକା ଲଗାଇ ପାତ୍ରପୁର ବ୍ଲକ କାର୍ଯ୍ୟାଳୟରୁ ଶହ ଶହ ସଂଖ୍ୟାରେ ଶୋଭାଯାତ୍ରାରେ ବାହାରି ପାତ୍ରପୁର ଗାଁ ମଧ୍ୟ ଦେଇ ତଳ ବସଷ୍ଟାଣ୍ଡ, କାର୍ଜି ସାହି, କେଉଟ ସାହି, ଉପର ବଜାର ସାହି ଦେଇ ପୁଣି ବ୍ଲକ କାର୍ଯ୍ୟାଳୟରେ ଶୋଭାଯାତ୍ରା ଶେଷ ହୋଇଥିଲା । ଶୋଭାଯାତ୍ରାକୁ ପାତ୍ରପୁର ବ୍ଲକ ଅଧ୍ୟକ୍ଷା ୱାଇ.ସଂଯୁକ୍ତା ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଏହି ସମୟରେ ବ୍ଲକ ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ତହସିଲଦାର ଅଶୋକ ପଟ୍ଟନାୟକ, ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡାକ୍ତର ସମ୍ବିତ ବେଗରାୟ, ଅତିରିକ୍ତ ତହସିଲଦାର ଦିଲୀପ କୁମାର ଦେହୁରୀ, ପାତ୍ରପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ । ଜରଡ଼ା ଥାନା ଅଧିକାରୀ ଟୁନା ସାମଲ ପୋଲିସ କର୍ମଚାରୀଙ୍କ ସହ ଉପସ୍ଥିତ ରହି ଉଭୟ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ତଦାରଖ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.