ବାଲେଶ୍ବର ୧୪/୪: ସୌମ୍ୟାଶ୍ରୀ ଘଟଣା ମନରୁ ନ ଲିଭୁଣୁ ପୁଣି ଫକୀରମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଛାତ୍ରୀ । ସମସ୍ତ ସ୍ଥିତି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ୱାରା ଯାଞ୍ଚ ହୋଇଥିବାବେଳେ ଅଭିଯୋଗ ଆଧାରରେ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଆ ବିଭାଗର ଏଚ୍ଓଡିଙ୍କୁ ପଦରୁ ବହିଷ୍କାର କରାଯାଇଛି । ୨୦୨୫ ଜୁଲାଇ ୧୨ରେ ଏଫ୍ଏମ୍ ଛାତ୍ରୀ ସୌମ୍ୟାଶ୍ରୀ ଘଟଣା ମନରୁ ନ ଲିଭୁଣୁ ପୁନର୍ବାର ଏଭଳି ଘଟଣା ସମସ୍ତଙ୍କ ଚକିତ କରିଛି ।

ବାଲେଶ୍ୱରର ଏଫ୍ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀ କଲେଜର ଓଡ଼ିଆ ବିଭାଗର ଏଚ୍ଓଡି ଡ. ସନ୍ତୋଷ କୁମାର ନାୟକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗର ସ୍ଥିତି ଉପରେ ଅନୁଧ୍ୟାନ କରି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୬ ତାରିଖ ଆଞ୍ଚଳିକ ନିର୍ଦ୍ଦେଶକ ହେମନ୍ତ ଘଡ଼େଇ ଅପରାହ୍ନରେ ପ୍ରିନ୍ସିପାଲ ଏବଂ ଅଭିଯୋଗକାରୀ ସହିତ ଆଲୋଚନା କରିଥିଲେ । କଲେଜର ଅଧ୍ୟକ୍ଷଙ୍କ ସହ ଆଲୋଚନା ସମୟରେ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ତଥା ଏଚ୍ଓଡି ଡ. ସନ୍ତୋଷ କୁମାର ନାୟକଙ୍କୁ ଅଫିସ୍ ଅର୍ଡର ନମ୍ବର ୧୫୮୪ ତାରିଖ ୦୪.୦୪.୨୦୨୬ ଅନୁଯାୟୀ ଏଚ୍ଓଡି ପଦବିରୁ ବହିଷ୍କାର କରାଯାଇଥିବା ଅଧ୍ୟକ୍ଷ ସ୍ପଷ୍ଟ କରିଥିଲେ । ଏଥି ସହିତ ଅଭିଯୋଗ ଆବେଦନର ମାମଲା କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି)କୁ ପଠାଯାଇଥିବା ସେ କହିଥିବା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ :-  ନୂଆବର୍ଷରେ ଶ୍ରୀମନ୍ଦିରରେ ପ୍ରଚଳନ ହେଲା ନୂଆ ପାଞ୍ଜି, ଜାଣନ୍ତୁ ଶୁଦ୍ଧ ଓ ଅଶୁଦ୍ଧ କାଳ...

ମାତ୍ର ଆଇସିସି କମିଟିର ସଦସ୍ୟ ଡ. ଜୟଶ୍ରୀ ମିଶ୍ରଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରାଇଥିବାବେଳେ ସେ ଏହି ଅଭିଯୋଗ ସମ୍ପର୍କରେ ଅବଗତ ନଥିବା ଏବଂ କୌଣସି ଅଭିଯୋଗପତ୍ର ରିସିଭ୍ କରିନଥିବା କହିଛନ୍ତି । ଅନ୍ୟପକ୍ଷରେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କଲେଜ କର୍ତ୍ତୃପକ୍ଷ ଆଇସିସି କମିଟିକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ତିନିଜଣିଆ ତଦନ୍ତ କମିଟି ଗଠନ କରି ଏକ ନୋଟିସ୍ ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଣ୍ଟିଛନ୍ତି । ଅଭିଯୋଗପତ୍ରରେ ଛାତ୍ର କିମ୍ବା ଛାତ୍ରୀ ଯଦି ଅଭିଯୋଗ କରିଥାନ୍ତି ତେବେ ୧୫ ତାରିଖରୁ ୧୭ ତାରିଖ ୧୨ଟା ୩୦ ମଧ୍ୟରେ ତଦନ୍ତ କମିଟି ନିକଟରେ ପହଞ୍ଚି ନିଜର ବୟାନ, ସାକ୍ଷ୍ୟ ଓ ପ୍ରମାଣ ଉପସ୍ଥାପନ କରିବାକୁ ନୋଟିସ୍ ଆଧାରରେ ଅବଗତ କରାଯାଇଛି । ପୂର୍ବତନ ଏଚ୍ଓଡି ଡ. ନାୟକ ଏ ସମ୍ପର୍କରେ ଅବଗତ ନଥିବା କହିଥିବାବେଳେ ଏନେଇ କଲେଜ ଅଧ୍ୟକ୍ଷ ଡ. ଦୀନେଶ ଚନ୍ଦ୍ର ନାୟକଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ ।