ଭୁବନେଶ୍ୱର, ୧୯/୦୧ : ରାଜ୍ୟର ୪ଟିଯାକ ସରକାରୀ ଇଞ୍ଜିନିୟରିଂ କଲେଜରେ ଆବଶ୍ୟକ ଅଧ୍ୟାପକ ଓ କର୍ମଚାରୀ ଅଭାବ ରହିଛି । ୭୩ ପ୍ରତିଶତ ପ୍ରଫେସର, ୬୨ ପ୍ରତିଶତ ଆସୋସିଏଟ୍‌ ପ୍ରଫେସର ନାହାନ୍ତି । ୩୮ ପ୍ରତିଶତ ଆସିଷ୍ଟାଣ୍ଟ ପ୍ରଫେସର ପଦବି ଖାଲି ରହିଛି । ଏଆଇସିଟିଇର ନିୟମ ଅନୁଯାୟୀ, ଗୋଟିଏ କଲେଜରେ ୨୦ଜଣ ଛାତ୍ରଙ୍କ ପାଇଁ ଜଣେ ଅଧ୍ୟାପକ ହିସାବରେ ରହିବା କଥା । ମାତ୍ର ଦେଖିବାକୁ ମିଳୁଛି ୮୧ ଜଣ ଛାତ୍ରଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ତଥା ଅଧ୍ୟାପକ ରହିଛନ୍ତି । ଅଧ୍ୟାପକ ସଙ୍କଟ ଯୋଗୁ କେବଳ ଶିକ୍ଷାଦାନ ବାଧାପ୍ରାପ୍ତ ହେଉନାହିଁ, ବରଂ ଇନ୍‌ଷ୍ଟିଚ୍ୟୁସନାଲ ର‌୍ୟାଙ୍କିଙ୍ଗ୍‌କୁ ଦୁର୍ବଳ କରୁଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସରକାରୀ ଇଞ୍ଜିନିୟରିଂ କଲେଜ ଉପରେ ପ୍ରସ୍ତୁତ ତଥ୍ୟ ଏପରି ଦର୍ଶାଉଛି ।

ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ତିନୋଟି ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ ରହିଛି । ଏଥିସହ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଅଧୀନରେ ୪ଟି ସରକାରୀ କଲେଜ ଅଛି । ୨୦୨୫ ଜାନୁଆରୀ ମାସ ଯାଏ କୌଣସି ସରକାରୀ ଇଞ୍ଜିନିୟରିଂ କଲେଜରେ ଅଧ୍ୟାପକ ନିଯୁକ୍ତି ଦିଆଯାଇନାହିଁ । ଯାହା ଫଳରେ ଅଧ୍ୟାପକ ପଦବି ଖାଲି ପଡ଼ିଛି । ଜାନୁଆରୀ ୨୦୨୫ ସୁଦ୍ଧା ବିପିୟୁଟି, କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜ, କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ, ଆଇଜିଆଇଟି ସରାଙ୍ଗ, ବ୍ରହ୍ମପୁର ସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ପାଇଁ ମୋଟ୍ ୪୧୧ଟି ମଞ୍ଜୁରପ୍ରାପ୍ତ ଅଧ୍ୟାପକ ପଦବି ରହିଛି । ଏଥିରୁ ମାତ୍ର ୨୧୬ଜଣ କାର୍ଯ୍ୟରତ ଅଛନ୍ତି । ବାକି ୧୯୫ଟି ଅଧ୍ୟାପକ ପଦବି ଖାଲି ରହିଛି । ଅର୍ଥାତ୍‌ ୪୭ ପ୍ରତିଶତ ପଦବି ଖାଲି  । ୪୦ଟି ମଞ୍ଜୁର ପ୍ରାପ୍ତ ପ୍ରଫେସର ପଦବିରୁ ୨୯ ଖାଲି ରହିଛି ।

ସେହିପରି ୧୦୨ଟି ଆସୋସିଏଟ୍‌ ପ୍ରଫେସର ପଦବିରୁ ୬୩ ଓ ୨୬୯ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବିରୁ ୧୦୩ଟି ଖାଲି ରହିଛି । ବିପିୟୁଟିରେ ମଧ୍ୟ ୩ ପ୍ରଫେସର, ୬ ଆସୋସିଏଟ୍‌ ପ୍ରଫେସର, ଗୋଟିଏ ଆସିଷ୍ଟାଣ୍ଟ ପ୍ରଫେସର ପଦବି ଖାଲି ପଡ଼ିଛି । ସେହିପରି କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜରେ ମୋଟ୍‌ ୨୪, କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରେ ୪୪, ଆଇଜିଆଇଟି ସରାଙ୍ଗରେ ୭୪ ଓ ବ୍ରହ୍ମପୁର ସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ୪୩ଟି ଅଧ୍ୟାପକ (ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର) ପଦବି ଖାଲି ରହିଛି । ଆଇଜିଆଇଟିକୁ ଛାଡ଼ି ଦେଲେ କୌଣସି ଇଞ୍ଜିନିୟରିଂ କଲେଜରେ ବିତ୍ତ ଅଧିକାରୀ ନାହାନ୍ତି । ଆଉ କୋଉଠି କୁଳସଚିବ ବି ନାହାନ୍ତି । ସ୍ନାତକ ସ୍ତରରେ ପାଠପଢ଼ା ପାଇଁ ଏଆଇସିଟିଇର ନିୟମ କହୁଛି, ଗୋଟିଏ ଇଞ୍ଜିନିୟରିଂ କଲେଜରେ ଶିକ୍ଷକ-ଛାତ୍ର ଅନୁପାତ ୧:୨୦ ରହିବା କଥା । ମାତ୍ର ଏହି ସବୁ ଶିକ୍ଷାନୁଷ୍ଠାନରେ ୧:୨୮, ୧:୮୧ ମଧ୍ୟରେ ରହୁଛି । ଏ ସମସ୍ତ କଲେଜ ପାଇଁ ୨୯୧ଟି ଅଣଶିକ୍ଷକ ପଦବି ମଞ୍ଜୁର ହୋଇଛି । ହେଲେ ମାତ୍ର ୧୯୧ ଜଣରେ କାମ ହେଉଛି । ଏମିତିକି କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜ ପାଇଁ ମୋଟ ୧୩ ଅଣଶିକ୍ଷକ ପଦବିରେ କେହି ହେଲେ ଜଣେ ନାହାନ୍ତି । ଶିକ୍ଷକ, ଅଣଶିକ୍ଷକ ସଂକଟ ପାଇଁ ଶିକ୍ଷାର ଗୁଣାତ୍ମକ ମାନ କମୁଛି । ଶିକ୍ଷାନୁଷ୍ଠାନ କାର୍ଯ୍ୟକଳାପ, ଗବେଷଣା ବାଧାପ୍ରାପ୍ତ ସୃଷ୍ଟି ହେଉଛି । ଇନ୍‌ଷ୍ଟିଚ୍ୟୁସନାଲ ର‌୍ୟାଙ୍କିଂ ଯଥା ନାକ୍‌/ ଏନ୍‌ଆଇଆରଏଫ୍‌ରେ ଏହି ସବୁ ଶିକ୍ଷାନୁଷ୍ଠାନର ମୂଲ୍ୟାଙ୍କନ ବାଧାପ୍ରାପ୍ତ ହେଉଛି ।