ଭୁବନେଶ୍ବର, ୧୮/୫ : ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ନଗେନ ସାହୁଙ୍କ ପରଲୋକ । ଭୁବନେଶ୍ବର ଉତ୍କଳ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୬୮ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ଖାଦ୍ୟନଳୀରେ ସମସ୍ୟା ଯୋଗୁଁ ତାଙ୍କର ଅପରେସନ ହୋଇଥିଲା । ପରେ ସେ ଖାଦ୍ୟ ଗ୍ରହଣ କରି ନ ପାରିବାରୁ ଅଧିକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଆଜି ମଧ୍ଯାହ୍ନରେ ତାଙ୍କର ପରଲୋକ ଘଟିଛି ।
ତାଙ୍କ ପରଲୋକରେ ଓଡିଆ ଚଳଚ୍ଚିତ୍ର ଜଗତର ଅନେକ ପ୍ରଯୋଜକ ଓ ନିର୍ଦ୍ଦେଶକ ଶୋକ ପ୍ରକାଶ କରିଛନ୍ତି । ସେ ପ୍ରଥମ ପ୍ରଯୋଜକ ଭାବେ ବିଶିଷ୍ଟ ଲେଖକ ବିଭୂତି ପଟ୍ଟନାୟକ ଓ ଅନ୍ୟ ଔପନାସିକଙ୍କ ଦ୍ବାରା ଲିଖିତ ୪ଟି ଓଡିଆ ଉପନ୍ୟାସରୁ କାବେରୀ, ଆରତୀ, ତୁଣ୍ଡ ବାଇଦ ଏବଂ ଗାରେ ସିନ୍ଦୁର ଧାରେ ଲୁହ ଭଳି ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ପ୍ରଯୋଜକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ । ଭୁବନେଶ୍ବରରେ ପରଲୋକ ପରେ କଟକ ବକ୍ସିବଜାରସ୍ଥିତ ତାଙ୍କ ବାସଭବନକୁ ମ୍ରୁତଦେହ ଅଣାଯାଇଥିଲା । ଏଠାରେ ଶେଷ ଦର୍ଶନ କରିବା ପରେ ପୁରୀ ସ୍ବର୍ଗଦ୍ବାର ନିଆଯାଇ ତାଙ୍କର ଶେଷକ୍ରୁତ୍ୟ କରାଯାଇଛି ।