ଭୁବନେଶ୍ୱର,୨୬/୧୧ : ସଭ୍ୟତାର ବିକାଶ ପାଇଁ Science ଓ Technology ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତକୁ ବିଶ୍ୱଶକ୍ତି ହେବାକୁ ହେଲେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଆମ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ହାସଲ କରିବାକୁ ପଡ଼ିବ ଏବଂ ଆଜିର ପିଲାମାନେ ହିଁ ହେବେ, ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ନିର୍ମାତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରସ୍ଥିତ Sai Internationalସ୍କୁଲର ବିଜ୍ଞାନ ଓ ପ୍ରଯୁକ୍ତି ମହୋତ୍ସବ ସାଇ-ଟେଡ୍ (SAI-TED) ୨୦୨୫ରେ ଯୋଗଦେଇ କହିଛନ୍ତି ।

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ସାଇ-ଟେଡ୍- ୨୦୨୫ କାର୍ଯ୍ୟକ୍ରମରେ କେବଳ ପ୍ରାଇଭେଟ ସ୍କୁଲ ନୁହେଁ ବରଂ କଟକ-ଭୁବନେଶ୍ୱରର ସରକାରୀ ସ୍କୁଲର ପିଲାମାନେ ମଧ୍ୟ ଭାଗ ନେଇଛନ୍ତି, ଯାହା ବିଜ୍ଞାନରେ ସେମାନଙ୍କ ସୃଜନଶୀଳ ପ୍ରତିଭାର ବିକାଶରେ ସହାୟକ ହେବ। ବିଜ୍ଞାନ ଓ ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ୧ ଲକ୍ଷ କୋଟି ଟଙ୍କାର Research & Development Fund ଗଠନ କରିଛନ୍ତି । ଏହା ଆମର ଗବେଷଣା କ୍ଷେତ୍ରକୁ ସମୃଦ୍ଧ କରିବ ଏବଂ ଆମ ଦେଶର ଛାତ୍ରଛାତ୍ରୀମାନେ ଗବେଷଣା କ୍ଷେତ୍ରକୁ ଅଧିକ ଆକୃଷ୍ଟ ହେବେ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିରେ ନୂଆ ଉପଲବ୍ଧି ହାସଲ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

 

ଶେଷରେ ପିଲାଙ୍କୁ ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉପାଦେୟତା ବିଷୟରେ ଉଦ୍ବୋଧନ ଦେଇ ସେ କହିଥିଲେ ଯେ, ଆଧୁନିକ ଟେକ୍ନୋଲୋଜି ବିକାଶ କ୍ଷେତ୍ରରେ ମଧ୍ୟ ଭାରତୀୟ ବୈଜ୍ଞାନିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏ ସବୁ ଆମେ ଏବଂ ଆମର ପିଲାମାନେ ଜାଣିବା ଅତି ଆବଶ୍ୟକ । ଆମ ଭାରତୀୟମାନଙ୍କ ପାଖରେ ସମଗ୍ର ବିଶ୍ୱରେ ସର୍ବୋତ୍ତମ ବୁଦ୍ଧିମତା, ଆମର ପ୍ରତିଭା ଅଛି । ଆପଣମାନେ ଏହି ବୁଦ୍ଧିମତାକୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ବିନିଯୋଗ କରନ୍ତୁ। ବର୍ତ୍ତମାନ ଆପଣଙ୍କ ପାଖରେ ପଢିବା ପାଇଁ ଅନେକ ସମ୍ବଳ ଉପଲବ୍ଧ ଅଛି । ଭଲ ଶିକ୍ଷକ ଉପଲବ୍ଧ ଅଛନ୍ତି, ଇଣ୍ଟରନେଟରେ, ଜ୍ଞାନର ଅନେକ ଖୋଲା ଉତ୍ସ ଅଛି । ତେଣୁ ତୁମେ ଚାହିଁଲେ ବହୁତ କିଛି କରିପାରିବ।

କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ଗ୍ରୁପ୍ ର ଅଧ୍ୟକ୍ଷା ଡକ୍ଟର ଶିଲ୍ପୀ ସାହୁ, ପ୍ରଖ୍ୟାତ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ ଶ୍ରୀ ଶୁଭାଂଶୁ ଶୁକ୍ଲା ପ୍ରମୁଖ ମଞ୍ଚାସୀନଥିଲେ।