ପ୍ରୋଟିନ୍ ଶରୀରର ବିକାଶ ଓ ମରାମତି ପାଇଁ ଆବଶ୍ୟକ । କିଛି ଲୋକଙ୍କର ଧାରଣା ଯେ ଆମେ ଆମିଷ ଖାଉନାହୁଁ, ତେଣୁ ଶରୀରକୁ ଆବଶ୍ୟକ ପ୍ରୋଟିନ୍ ମିଳିପାରୁ ନାହିଁ । ଏହା ଆଦୌ ଠିକ୍ ନୁହେଁ । କାରଣ ନିରାମିଷ ଖାଦ୍ୟରେ ମଧ୍ୟ ପ୍ରୋଟିନ୍ ରହିଥାଏ । ଯେମିତିକି ଡାଲି, ରାଜ୍ମା ଓ ସୋୟା ଉତ୍ପାଦରେ ଭରପୂର ପ୍ରୋଟିନ୍ ରହିଥାଏ । ପ୍ରୋଟିନ୍ର ଅଭାବକୁ ଦୂର କରିବା ପାଇଁ ଖାଇପାରିବେ ଏସବୁ ଖାଦ୍ୟ । ପ୍ରୋଟିନ୍ ଶରୀରକୁ ଶକ୍ତି ଦେବା ସହ ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ନିରାମିଷ ଲୋକଙ୍କଠାରେ ଅନେକ ସମୟରେ ଏହାର ଅଭାବ ପରିଲକ୍ଷିତ ହୋଇଥାଏ । ନିରାମିଷ ଖାଦ୍ୟରୁ ମଧ୍ୟ ପ୍ରୋଟିନ୍ ମିଳିପାରିବ, ଯାହା ଶରୀରର ପ୍ରୋଟିନ୍ ଅଭାବକୁ ଦୂର କରିପାରିବ । ଯେମିତିକି -
ସୋୟା ଉତ୍ପାଦ- ଟୋଫୁ, ସୋୟା ଦୁଗ୍ଧ, ସୋୟା ଚକ୍ସ ପରି ଉତ୍ପାଦରେ ଭରପୂର ପ୍ରୋଟିନ୍ ରହିଥାଏ । ଟୋଫୁର ପ୍ରତି ୧୦୦ ଗ୍ରାମ୍ରେ ପ୍ରାୟ ୧୦-୧୫ ଗ୍ରାମ୍ ପ୍ରୋଟିନ୍ ରହିଥାଏ ।
ଡାଲି ଓ ବିନ୍ସ- ଡାଲି ଭିତରେ ମସୁର, ମୁଗ, ହରଡ ସହ ରାଜ୍ମାରେ ଭରପୂର ପ୍ରୋଟିନ୍ ରହିଥାଏ । ଏକ କପ୍ ଡାଲିରେ ୧୫ବ ଗ୍ରାମ୍ ପ୍ରୋଟିନ୍ ରହିଥାଏ । ଏହାକୁ ଆପଣ ନିୟମିତ ବିଭିନ୍ନ ଉପାୟରେ ଖାଇପାରିବେ ।
ନଟ୍ସ ଓ ସିଡ୍ସ - ବାଦାମ, ଆଖରୋଟ୍, କାଜୁ, ଚିଆ ବୀଜ ଓ ଅଳସୀ ଆଦି ପ୍ରୋଟିନ୍ ଓ ସ୍ୱାସ୍ଥ୍ୟକର ଫ୍ୟାଟ୍ସରେ ଭରା ।
ଦୁଗ୍ଧ ଉତ୍ପାଦ ଓ ଅଙ୍କୁରିତ ବୀଜ - ପନୀର, ଦୁଗ୍ଧ, ଦହି ଓ ଛାଞ୍ଚ ପରି ଉତ୍ପାଦ ପ୍ରୋଟିନ୍ର ପ୍ରମୁଖ ସ୍ରୋତ । ଏକ କପ୍ ଦୁଗ୍ଧରେ ୮ ଗ୍ରାମ୍ ପ୍ରୋଟିନ୍ ରହୁଥିବା ବେଳେ ପନୀରରେ ଏହି ମାତ୍ରା ଆହୁରି ଅଧିକ । ତେଣୁ ଏହାକୁ ଡାଏଟ୍ରେ ସାମିଲ୍ କରିବା ଦ୍ୱାରା ପ୍ରୋଟିନ୍ର ଅଭାବ ଦୂର ହୋଇପାରିବ । ସେହିପରି ଅଙ୍କୁରିତ ମୁଗ, ଚଣା ଓ ଅନ୍ୟାନ୍ୟ ବୀଜରେ ମଧ୍ୟ ପ୍ରୋଟିନ୍ର ମାତ୍ରା ଦୁଇଗୁଣା ହୋଇଯାଇଥାଏ । ଏସବୁକୁ ସାଲାଡ୍, ସୁପ ଓ ସ୍ନାକ୍ସ ଭାବେ ଖାଇପାରିବେ ।
ସବୁଜ ପରିବା- ପାଳଙ୍ଗ, ବ୍ରୋକୋଲି ଓ ସବୁଜ ମଟରରେ ମଧ୍ୟ ପ୍ରୋଟିନ୍ ରହିଥାଏ ।