ନୂଆପଡ଼ା,୧୭/୦୬: ନୂଆପଡ଼ା ବ୍ଳକ ଭାନପୁର ରାଜସ୍ବ ଗାଁରେ ବେଆଇନ ମଦ ବିକ୍ରିକୁ ବିରୋଧ ହୋଇଛି । ଗାଁର ଶତାଧିକ ମହିଳା ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି । ଭାନପୁର ରାଜସ୍ଵ ଗାଁର ସବୁ ପଡ଼ାରେ ବେଆଇନ ଭାବେ ମାଫିଆମାନେ ମଦ କୋଠି ଖୋଲିଛନ୍ତି । ଆଦିବାସୀ ବହୁଳ ଗାଁରେ ସବୁଠି ମଦ ବନ୍ୟା ହୋଇଛି । ପୁରୁଷମାନେ ମଦପାନ କରି ଘରେ ଅଶାନ୍ତି ସୃଷ୍ଟି କରୁଛନ୍ତି । ବେଆଇନ ମଦ ବିକ୍ରିକୁ ବିରୋଧ କରି ଧାରଣାରେ ବସିଛନ୍ତି ଶତାଧିକ ମହିଳା ।
ବେଆଇନ ମଦ ବିକ୍ରିରେ ସମାଜ କଳୁଷିତ ହେବା ସହ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି । ପିଲାଙ୍କ ଶିକ୍ଷା ବାଧାପ୍ରାପ୍ତ ହେଉଛି । ଗାଁର ଅନେକ ଆଦିବାସୀ ପରିବାରର ଅଭାବ ଅନାଟନରେ ଦାଦନ ଖଟିବାକୁ ଦେଶାନ୍ତର ହେଉଛନ୍ତି । ନାବାଳକ ନିଶାସକ୍ତ ହୋଇ ଚୋରୀ, ଦୁର୍ଷ୍କର୍ମ, ହତ୍ୟା ଭଳି ଜଘନ୍ୟ ଅପରାଧ ଘଟାଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଏବେ ଗାଁକୁ ନିଶାମୁକ୍ତ ଗାଁ ଗଠନ କରିବାକୁ ମହିଳାମାନେ ଅଣ୍ଟା ଭିଡିଛନ୍ତି ।
ପୂର୍ବାହ୍ନରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପସିଂ ମାଝିଙ୍କ ନେତୃତ୍ୱରେ ଗାଁର ଶତାଧିକ ମହିଳା ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି । ସେଠି ଅବକାରୀ ଅଫିସ ଭିତରେ ମହିଳାମାନେ ଧାରଣାରେ ବସିଛନ୍ତି । ଗାଁରେ ଅବକାରୀ ବିଭାଗ ଚଢ଼ାଉ କରି ଗାଁକୁ ସମ୍ପୁର୍ଣ୍ଣ ନିଶାମୁକ୍ତ କରିବାକୁ ଦାବି କରିଛନ୍ତି । ପରିବାର ଓ ସମାଜର ଆର୍ଥିକ ଉନ୍ନତି କରିବା ସହ ଶିକ୍ଷାର ବିକାଶ କରି ସୁସ୍ଥ ସମାଜ ଗଠନ କରିବାକୁ ଦାବି କରିଛନ୍ତି । ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଅବକାରୀ ନିରୀକ୍ଷକ ହୀରାବତୀ ଥାଟି ଘଟଣା ସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିଛନ୍ତି ।