କେନ୍ଦୁଝର ସଦର, ୧୦/୧୨ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ହଳଦିଆଗୁଣା ସ୍ଥିତ ଏମଏସପି ସ୍ପଞ୍ଜ ଆଇରନ କାରଖାନାରେ ଶ୍ରମିକ ଶୋଷଣ ପ୍ରତିବାଦରେ ଗଣଧାରଣାକୁ ଦେଢ଼ ମାସ ପୁରିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ଜମି ପାଣି ଦେଲେ ଧୂଳି ଧୂଆଁ ଖାଇଲେ। ବାହାର ରାଜ୍ୟର ଅଣଓଡ଼ିଆ ଲୋକ ନିଯୁକ୍ତି ପଇଲେ। ଯେଉଁ ଶ୍ରମିକ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅଳ୍ପ ମଜୁରିରେ କାରଖାନାକୁ ୨୫ ବର୍ଷ ଧରି ଚଲାଇ ଆସୁଥିଲେ ସେମାନଙ୍କୁ ମନ ଇଚ୍ଛା ରାତି ଅଧିଆ କାରଖାନାରୁ ଛଟେଇ କରାଗଲା। ଏମ୍ଏସପି କମ୍ପାନୀର ନିଜସ୍ୱ ରାସ୍ତାଟିଏ ନିର୍ମାଣ କରିନାହିଁ, ଗ୍ରାମ ରାସ୍ତାକୁ ବ୍ୟବହାର କରିଚାଲିଛି। ମାତ୍ରାଧିକ ଗାଡି ଚାଲିବା ଯୋଗୁଁ ରାସ୍ତାର ଅବସ୍ଥା ଶୋଚନୀୟ ସହିତ ପଥଚାରୀ ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ହେଉଛନ୍ତି। ରାସ୍ତା ଦେଇ ଆମ୍ବୁଲାନ୍ସ ଯାତାୟାତରେ ବାଧା ସୃଷ୍ଟି ହେଉଛି। ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଛି। କାରଖାନାରୁ ବାହାରୁଥିବା ଧୂଆଁ ଓ ବର୍ଜ୍ୟବସ୍ତୁ ପାଇଁ ଅଞ୍ଚଳରେ ପ୍ରଦୂଷଣ ବଢିବା ସହ ଚାଷଜମି କ୍ଷତିଗ୍ରସ୍ତ ହେଉଛି। ଲୋକେ ସବୁ ସହିଲା ପରେ ବି କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ କାର୍ଯ୍ୟରତ କର୍ମଚାରୀଙ୍କୁ ମନଇଛା ଛଟେଇ କରିଛି।
ତେଣୁ କମ୍ପାନୀ ଦ୍ୱାରା ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି, ଅଣ ଓଡ଼ିଆ ଲୋକଙ୍କୁ ବାହାର କରାଯାଇ ଛଟେଇ ହୋଇଥିବା କର୍ମଚାରୀଙ୍କ ପୁନଃ ନିଯୁକ୍ତି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବୃକ୍ଷରୋପଣ ସମେତ ସିଏସଆର ଅନ୍ତର୍ଭୁକ୍ତ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ କରିବା ଦାବିରେ ଭାରତୀୟ ମଜଦୁର ସଙ୍ଘ ଅଟଳ ରହି ୪୫ ଦିନ ଧରି ଆନ୍ଦୋଳନ ଜାରି ରଖିଛି। ଜିଲ୍ଲା ପ୍ରଶାସନର ନୋଟିସ ସତ୍ତ୍ୱେ ବୁଝାମଣା ସ୍ବାକ୍ଷର କରୁନଥିବାରୁ ଆନ୍ଦୋଳନକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି। ଏମଏସପି କାରଖାନାରେ ଶ୍ରମିକ ଛଟେଇ ପ୍ରତିବାଦରେ ରାଜ୍ଯ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ରଣହୁଙ୍କାର ଶୁଭିଛି।