ନୀଳଗିରି,୮/୭(ଆ.ପ୍ର):ବାଲେଶ୍ଵର ଜିଲ୍ଲା ନୀଳଗିରି ସବଜେଲ ଉଠି ବାଲେଶ୍ଵର ଜେଲରେ ମିଶ୍ରଣ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ପ୍ରତିବାଦ କରିଛନ୍ତି ଦୁଇଟି ଓକିଲ ସଂଘ। କୋର୍ଟ ଆଗରେ ଓକିଲ ସଂଘ ବିକ୍ଷୋଭ କରିଛି ।
ରାଜ୍ୟ ଗୃହ ବିଭାଗ ତରଫରୁ ସୋମବାର ଏକ ବିଜ୍ଞପ୍ତିରେ ନୀଳଗିରି,ନୟାଗଡ଼,ବରଗଡ଼ ସବଜେଲ ଉଠି ଜିଲ୍ଲା ଜେଲରେ ମିଶ୍ରଣ ନେଇ ନିର୍ଦେଶ ରହିଛି। ଏଭଳି ନିର୍ଦେଶନାମା ଆସିବା ପରେ ନୀଳଗିରିରେ ଜନ ଅସନ୍ତୋଷ ଦେଖା ଦେଇଛି। ନୀଳଗିରି ଏକ ଉପଖଣ୍ଡ ହୋଇଥିବା ବେଳେ ଦେଓ୍ବାନି ଓ ଫୌଜଦାରୀ ଅଦାଲତ ମଧ୍ୟ ରହିଛି।ଏହି ଜେଲ ରାଜାରାଜୁଡ଼ା ଅମଳରୁ ହୋଇଥିବା ବେଳେ ନୀଳଗିରିର ପରିଚୟ ଭାବେ ଏହି ଜେଲ ଜଣାଶୁଣା। ଯଦି ଜେଲ ଉଠିଯାଏ ତାହେଲେ ଆଦିବାସୀ ବହୁଳ ଅଞ୍ଚଳରେ ଅନେକ ସମସ୍ୟା ଉପୁଜିବ।ଏହି ନିର୍ଦେଶନାମାକୁ ବାତିଲ ଦାବିକରି ନୀଳଗିରି ସବ ଡିଭିଜନାଲ ବାର ଆସୋସିଏସନ ଓ ନୀଳଗିରି ଓକିଲ ସଂଘ ତରଫରୁ ଏକ ଜରୁରୀ ବୈଠକ କରିବା ସହ କୋର୍ଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।