ମନମୁଣ୍ଡା,୩୦/୭ :  ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ୧୮୮୧ମସିହାରେ ସ୍ଥାପିତ ଶତାବ୍ଦୀ ପୁରାତନ ମନମୁଣ୍ଡା ମଧ୍ୟ ଇଂରାଜୀ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥା ମଧ୍ୟରେ ଥିବା ଦେଖିବାକୁ ମିଳିଛି । ବ୍ଲକରେ କୌଣସି ଜାଗାରେ ସ୍କୁଲ ନ ଥିବାବେଳେ ଏହି ସ୍କୁଲ ଉପରେ ପ୍ରାୟତଃ ସମସ୍ତେ ନିର୍ଭର କରୁଥିଲେ। ପ୍ରାୟ ୩ଏକର ପରିମିତ ଜମିରେ ଅବସ୍ଥିତ ଏହି ବିଦ୍ୟାଳୟରେ ବର୍ତ୍ତମାନ ୨ ଜଣ ଶିକ୍ଷକ ଏବଂ ୫ ଜଣ ଶିକ୍ଷୟିତ୍ରୀ ରହିଥିବାବେଳେ ନିୟମିତ ପ୍ରଧାନ ଶିକ୍ଷକ ପଦବୀ ବହୁ ଦିନରୁ ଖାଲି ହୋଇ ପଡ଼ି ରହିଛି । 

ସହକାରୀ ଶିକ୍ଷୟିତ୍ରୀ ସ୍ୱାଗତିକା ମିଶ୍ରଙ୍କ ଅନିଚ୍ଛା ସତ୍ତ୍ଵେ ତାଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପଦବୀରେ ଅବସ୍ଥାପିତ କରାଯାଇଛି । ସେ ଉକ୍ତ ପଦବୀରେ ଆଗ୍ରହ ନାହାନ୍ତି ଓ କେହି ନିୟମିତ ପ୍ରଧାନ ଶିକ୍ଷକ ନିଯୁକ୍ତି ହେଲେ ମୁକ୍ତି ପାଇବେ ବୋଲି କହିଛନ୍ତି । ଜଣେ ଦକ୍ଷ ପ୍ରଧାନ ଶିକ୍ଷକ ନ ଥିବାରୁ ବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳା ଠିକ୍ ରହୁ ନ ଥିବା ଦେଖିବାକୁ ମିଳିଛି । ଅନୁଶାସନ ମଧ୍ୟ ଠିକ୍ ରହୁ ନ ଥିବା ଅଭିଯୋଗ ହେଉଛି । ବିଦ୍ୟାଳୟରେ ପାଠ ପଢା ବ୍ୟତୀତ ଖେଳକୁଦ ଓ ଅନ୍ୟାନ୍ୟ ଉତ୍ସବ, କାର୍ଯ୍ୟକ୍ରମ ପ୍ରାୟତଃ ହେଉ ନାହିଁ କହିଲେ ଚଳେ । ଛୋଟ ତଥା କିଛି ବର୍ଷ ତଳେ ସ୍ଥାପିତ ବିଦ୍ୟାଳୟ ମାନ ଚକାଚକ ରହୁଥିବାବେଳେ ଓ ପାଠ ପଢା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସୁଚାରୁରୂପେ ହେଉଥିବାବେଳେ ଏଠାରେ ତହିଁର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏହାକୁ ନେଇ ଅଭିଭାବକ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।   

ସେହିପରି ବିଦ୍ୟାଳୟ ପରିସରରେ ବର୍ଷା ପାଣି ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଖେଳକୁଦ ପାଇଁ ଉଦ୍ଦିଷ୍ଟ ଜାଗାରେ ପଞ୍ଚାୟତ ତରଫରୁ ଅଯଥା ବୃକ୍ଷରୋପଣ କରି ପଡିଆକୁ ନଷ୍ଟ କରି ଦିଆଯାଇଛି । ବୃକ୍ଷ ରୋପଣ ପାଇଁ ସ୍କୁଲର ପଶ୍ଚିମ ଦିଗରେ ପର୍ଯ୍ୟାପ୍ତ ଜାଗା ଥିବାବେଳେ ସେଠାରେ ତାହା କରା ନ ଯାଇ ଖେଳ ପଡିଆକୁ ନଷ୍ଟ କରି ଅଯଥା ଜଙ୍ଗଲ ସୃଷ୍ଟି କରାଯାଇଛି । ଦୁଇଟି ଜାଗାରେ ପୁରାତନ ସ୍କୁଲ ଗୃହ ବିପଦ ସଙ୍କୁଳ ଅବସ୍ଥାରେ ଥିବାବେଳେ ତାହାକୁ ସମତୁଲ କରିବାର ଆବଶ୍ୟକତା ରହିଛି । ତାହା କରାଯାଇ ନ ଥିବାରୁ ଅନାବନା ଗଛ ଉଠି ସାପମାନଙ୍କ ଗନ୍ତାଘର ପାଲଟିଛି । ସ୍କୁଲର ପଶ୍ଚିମ ଦିଗ ବାଡକୁ କେହି ଭାଙ୍ଗି ଦେଇଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ସେଥିପ୍ରତି ଆଖି ବୁଜି ଦେଇଥିବା ଜାଣିବାକୁ ମିଳିଛି । ଜଣେ ଦକ୍ଷ ପ୍ରଧାନ ଶିକ୍ଷକ (ପ୍ରଧାନ ଶିକ୍ଷୟିତ୍ରୀ ନୁହଁ) ନିଯୁକ୍ତି ହେଲେ ବିଦ୍ୟାଳୟର ବିକାଶ, ସୂ ଅନୁଶାସନ, ଶୈକ୍ଷିକ ପରିବେଶ ହୋଇପାରନ୍ତା ଓ ସବୁ ସମସ୍ୟାର ଉଚିତ୍ ମୁକାବିଲା ଓ ସମାଧାନ ହୋଇପାରନ୍ତା ବୋଲି ଅଭିଭାବକମାନେ ହୃଦବୋଧ କରୁଛନ୍ତି । 

ଜଣେ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକମାନେ ପୂର୍ବରୁ ଅନେକ ବାର ବିଇଓ ଏବଂ ଡିଇଓଙ୍କୁ ଅନୁରୋଧ କରି ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଯଥାଶୀଘ୍ର ପ୍ରଧାନ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା । କିନ୍ତୁ ତାହା କରାଗଲା ନାହିଁ । ଆଜି ଅଭିଭାବକମାନେ " ପିଟିଏସ " ବୈଠକରେ ଆସି ଏ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଅଭିଭାବକମାନେ ଏକ ସ୍ବତନ୍ତ୍ର ବୈଠକ କରି ପ୍ରଶାସନ ଯଥା ଶୀଘ୍ର ଏହି ସ୍କୁଲ ପାଇଁ ଦରଦ ଥିବା ଜଣେ ପ୍ରଧାନ ଶିକ୍ଷକ ନିଯୁକ୍ତି ନ କଲେ ଆଗାମୀ ଦିନରେ ସେମାନେ ସେମାନଙ୍କ ଛୁଆମାନଙ୍କୁ ସ୍କୁଲକୁ ପଠାଇବେ ନାହିଁ ଓ ତାଲା ପକାଇ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ବିଦ୍ୟାଳୟର ପୁରାତନ ଛାତ୍ର ତଥା କଣ୍ଟାମାଳ ବ୍ଲକ ଉଦେପୂର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁଲାଲ ମହାକୁଡଙ୍କୁ ଏଠାରେ ନିଯୁକ୍ତି ଦେଲେ ବିଦ୍ୟାଳୟ ପ୍ରତି ତାଙ୍କ ଦରଦ ଥିବାରୁ ଉନ୍ନତି ସାଧନ ହୋଇପାରିବ ଓ ଠିକ୍ ଅନୁଶାସନ ରହି ପାରିବ ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି ।