ପ୍ରମୂଖ ଖବର
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କସରତ: ୪ରେ ବିଧାୟକ ଦଳ ବୈଠକ ପରେ ନାମ ଘୋଷଣା, ୫ରେ ଶପଥ ସମାରୋହ
  • ||
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ଗନ୍ଧମାର୍ଦ୍ଦନ ତଳେ ଜମି କିଣିଲା ଆଦାନୀ ଗ୍ରୁପ୍‌: ବକ୍ସାଇଟ ଖନନ ନେଇ ଚର୍ଚ୍ଚା ଜୋର, ଦାନା ବାନ୍ଧୁଛି ଜନଆନ୍ଦୋଳନ

ବଲାଙ୍ଗିର,୧୮/୧୧: ବଲାଙ୍ଗିର-ବରଗଡ଼ ଜିଲ୍ଲା ସୀମାନ୍ତ  ଗନ୍ଧମାର୍ଦ୍ଦନ ପାହଡ଼ର ପାଦଦେଶରେ ଆଦାନୀ ଗ୍ରୁପ ଜମି  କିଣିଛି । ଗୁଜରାଟର ଅହମଦାବାଦସ୍ଥିତ ଆଦାନୀ କର୍ପୋରେଟ୍‌  ହାଉସ ପକ୍ଷରୁ ‘ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ  ଲିମିଟେଡ଼’ ନାଁରେ ସେଠି ଜମି କିଣାଯାଇଛି । ଗତ ଦୁଇଦିନ ହେଲା  ପାହାଡ଼ ପାଦଦେଶରେ ଥିବା ଖପ୍ରାଖୋଲ ତହସିଲ ଅନ୍ତର୍ଗତ  ଭରୁଆମୁଣ୍ଡା ମୌଜାର ୧୮.୩୯ ଏକର ଜମି କମ୍ପାନି ନାଁରେ ପଞ୍ଜିକୃତ ଆରଓଆର ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  

ଗନ୍ଧମାର୍ଦ୍ଦନ ପାହାଡ଼ରେ ପ୍ରଚୁର ପରିମାଣର ବକ୍ସାଇଟ ରହିଛି ଏବଂ ପୂର୍ବରୁ ଥରେ ଏହାକୁ ଉତ୍ତୋଳନ କରିବାକୁ ଆସି ବାଲକୋ(ଭାରତ ଆଲୁମିନିଅମ କମ୍ପାନି)  ବିଫଳ ହୋଇ ଫେରିଯାଇଛି । ତେଣୁ ଆଦାନୀ ଗ୍ରୁପର ଜମିକିଣା ତଥ୍ୟ ସାମ୍ନାକୁ ଆସିବା ପରେ ପୁଣିଥରେ ବକ୍ସାଇଟ ଖନନ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ  ସ୍ଥାନୀୟ ଅଧିବାସୀ, ପରିବେଶ କର୍ମୀ, ପ୍ରକୃତିପ୍ରେମୀ ଏବଂ ବୁଦ୍ଧିଜୀବୀଙ୍କ ପକ୍ଷରୁ ଜମିକିଣାର ଅସଲ ଉଦ୍ଦେଶ୍ୟ କଣ  ବୋଲି ଚର୍ଚ୍ଚା ଆରମ୍ଭ କରିଛନ୍ତି । ଗନ୍ଧମାର୍ଦ୍ଦନ ସଂଲଗ୍ନ ବଲାଙ୍ଗିର  ଓ ବରଗଡ଼ ଜିଲ୍ଲାରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । 

ଗତ ସେପ୍ଟେମ୍ବର ୭ତାରିଖରେ ମହାନଦୀ ମାଇନ୍‌ସ  ଆଣ୍ଡ ମିନେରାଲ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ବା ଆଦାନୀ କର୍ପାରେଟ୍‌  ହାଉସ, ଅହମଦାବାଦ୍‌, ଗୁଜରାଟ ପକ୍ଷରୁ ଭରୁଆମୁଣ୍ଡା  ମୌଜାରେ ୧୮.୩୯ ଏକର ଜମି କିଣାଯାଇଛି । ଏହି ଜମିର ସ୍ୱତ୍ତ୍ୱ  ‘ରୟତି’ ରହିଛି । ଜମି କିଣାବିକା ବାବଦରେ ୪ଟି ଦାଖଲ ଖାରଜ  ମାମଲା ହୋଇଛି । ଯେଉଁଥିରେ ସମୁଦାୟ ୨୪ଟି ପ୍ଲଟ(୧୦ଟି  ବାହାଲ ମାମୁଲି, ୧୦ଟି ଆଟ ମାମୁଲି, ୨ଟି ମାଲ ମାମୁଲି, ଗୋଟିଏ  ବେର୍ଣ୍ଣା ଏବଂ କ୍ଷେତ ଆଡି) ରହିଛି । କେବଳ ୧୮ ଏକର ନୁହେଁ  ସେହି ଅଞ୍ଚଳରେ ବିଭିନ୍ନ ନାଁରେ ଆହୁରି ଜମି କିଣାଯାଇଥିବା ଚର୍ଚ୍ଚା  ହେଉଛି । 

ଅପରପକ୍ଷେ, କେବଳ ଖଣି ଖନନକୁ ସୁହାଇବାଭଳି  ନିକଟରେ ବରଗଡ଼-ନୂଆପଡା ରେଳଲାଇନକୁ ସବୁଜ ସଙ୍କେତ  ଦିଆଯିବା ସହ ପାଟଣାଗଡ଼ରେ ଏୟାରଷ୍ଟ୍ରିପ କରିବାକୁ ଯୋଜନା  ଚାଲିଥିବା ଚର୍ଚ୍ଚା ହେଉଛି । ଏହି ପ୍ରସଙ୍ଗ ନେଇ ସୋସିଆଲ  ମିଡିଆରେ ଦୋଷ ଲଦାଲଦି ଚାଲିଥିବା ବେଳେ ଗନ୍ଧମାର୍ଦ୍ଦନ  ସୁରକ୍ଷା ପରିଷଦ ସମେତ ବିଭିନ୍ନ ସଂଗଠନ ପୁଣିଥରେ ସକ୍ରିୟ  ହୋଇ ଉଠିଛନ୍ତି । ଅପରପକ୍ଷେ ବନ ବିଭାଗର ଚିଠି ନମ୍ବର  ୮୫୨୬/୧୮ା୧୦ା୨୦୨୪ ଅନୁଯାୟୀ ସଂପୃକ୍ତ କମ୍ପାନି ମହାନଦୀ  ମାଇନ୍ସ ଆଣ୍ଡ ମିନେରାଲ ପ୍ରାଇଭେଟ ଲିମିଟେଡକୁ ପ୍ରତିପୂରକ  ବନୀକରଣ ପାଇଁ ହରିଶଙ୍କର ରେଞ୍ଜ ଅଞ୍ଚଳରେ ଅନୁମତି  ଦିଆଯାଇଛି । ସେଥିପାଇଁ କମ୍ପାନି ସେଠି ଗଛ ଲଗାଇବାକୁ ଜମି  ନେଉଛି । ସଂପୃକ୍ତ କମ୍ପାନି ଏନେଇ ହରିଶଙ୍କର ରେଞ୍ଜରଙ୍କୁ ଗତ  ଅକ୍ଟୋବର ୧ତାରିଖରେ ଚିଠି ନମ୍ବର ୭୮୯କ୍ରମେ ଅନୁମତି  ଲୋଡିଥିଲା । ବନବିଭାଗ ପକ୍ଷରୁ ଏହି କମ୍ପାନିର ସୁନ୍ଦରଗଡ଼ରେ  ପ୍ରସ୍ତାବିତ ବିଝନ କୋଲ ମାଇନ୍ସ ପ୍ରୋଜେକ୍ଟ ପାଇଁ ଜଙ୍ଗଲ  ଜମିର ଭରଣ କରିବାକୁ ଖପ୍ରାଖୋଲ ତହସିଲର ଭରୁଆମୁଣ୍ଡା  ଏବଂ ବରତିଆ ମୌଜାରେ ଅନୁମତି ଦେଇଥିବା କୁହାଯାଇଛି । 

ପ୍ରକାଶ ଯେ, ଗନ୍ଧମାର୍ଦ୍ଦନ ପାହାଡ଼ର ବଲାଙ୍ଗିର ପଟେ  ହରି-ଶଙ୍କର ଏବଂ ବରଗଡ଼ ପଟେ ନୃସିଂହନାଥ ପୂଜା ପାଉଛନ୍ତି ।  ବୈଶାଖ ମାସରେ ଉଭୟ ହରିଶଙ୍କର ଏବଂ ନୃସିଂହନାଥ ପୀଠରେ  ବୈଶାଖୀ ମେଳାର ଆୟୋଜନ ହୋଇଥାଏ । ଯେଉଁଥିରେ ଓଡିଶା  ସମେତ ପଡୋଶୀ ଛତିଶଗଡ଼, ମଧ୍ୟପ୍ରଦେଶ, ଆନ୍ଧପ୍ରଦେଶରୁ  ଶ୍ରଦ୍ଧାଳୁ ଆସିଥାନ୍ତି । ଏହି ପାହାଡ଼ରେ ଅନେକ ବିଲୁପ୍ତପ୍ରାୟ  ଉଦ୍ଭିଦ, ଗୁଳ୍ମ, ସରୀସୃପ ଆଦି ରହିଛନ୍ତି । ଏପରିକି ବିଗତ  ୨୦୨୩ ମସିହାରେ ହରିଶଙ୍କରକୁ ‘ବାୟୋଡାଇଭର୍ସିଟି ହେରିଟେଜ  ସାଇଟ’ ଘୋଷଣା କରାଯାଇଥିଲା । ଅପରପକ୍ଷେ ୩ଦଶନ୍ଧି ପୂର୍ବରୁ  ବାଲକୋ ଗନ୍ଧମାର୍ଦ୍ଦନରେ ଖଣି ଖନନ ଉଦ୍ୟମ କରିବାରୁ ତାହାକୁ  ବିରୋଧ କରି ଉଭୟ ଜିଲ୍ଲାରୁ ହଜାରହଜାର ଆଦିବାସୀ, ସ୍ଥାନୀୟ  ଅଧିବାସୀ ମିଶି ‘ବାଲକୋ ହଟାଓ ଆନ୍ଦୋଳନ’ କରିଥିଲେ ।  ୧୯୮୩ରୁ ୧୧୯୧ ମସିହା ପର୍ଯ୍ୟନ୍ତ ଚାଲିଥିବା ଆନ୍ଦୋଳନରେ  ତତ୍କାଳୀନ ସରକାର ଖଣି ଖନନ ପାଇଁ ଅନୁମତି ଦେଇଥିଲେ  ହେଁ ଆନ୍ଦୋଳନ ଆଗରେ ଶେଷରେ ମୁଣ୍ଡ ନୁଆଇଥିଲା ଏବଂ  ବାଲକୋ ଫେରିଯାଇଥିଲା । ତେବେ ଆଦାନୀ ଗ୍ରୁପ ଜମି କିଣିବା  ପରେ ସେହି ପ୍ରସଙ୍ଗ ପୁଣିଥରେ ଉଦ୍‌ଜୀବିତ ହୋଇଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.