ନୂଆଦିଲ୍ଲୀ,୨୭/୦୯: ନ୍ୟୁୟର୍କରେ ଆନ୍ଦୋଳନ । ଜାତିସଂଘ ବାହାରେ ଗର୍ଜିଲେ ଆନ୍ଦୋଳନକାରୀ । ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସମର୍ଥକ ଜାତିସଂଘ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବାଂଲା ଅନ୍ତରୀଣ ସରକାର ତଥା ମୁଖ୍ୟ ପରାମର୍ଶଦାତା ମୁହମ୍ମଦ ୟୁନୁସ୍‌ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ''ୟୁନୁସ୍‌ ପାକିସ୍ତାନୀ'' ତେଣୁ ପାକିସ୍ତାନ ଫେରିଯାଆନ୍ତୁ ବୋଲି ନାରା ଦେଇଛନ୍ତି ।

ବାଂଲଦେଶ ଅନ୍ତରୀଣ ସରକାରର ପ୍ରମୁଖ ମୁହମ୍ମଦ ୟୁନୁସ୍ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ସାମିଲ ହେବାକୁ ନ୍ୟୁୟର୍କରେ ଅଛନ୍ତି । ଗତକାଲି ସେ ସଭାକୁ ସମ୍ବୋଧନ କରି ୟୁଏନ୍‌ଜିଏ ପହଞ୍ଚିଥିଲେ । ସେହି ସମୟରେ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା । ୟୁନୁସଙ୍କ ହେଡ୍‌କ୍ୱାର୍ଟର ବାହାରେ ଜମା ହୋଇ ବାଂଲା ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମର୍ଥକ ୟୁନୁସ୍‌ଙ୍କୁ ପାକିସ୍ତାନୀ ଏଜେଣ୍ଟ କହିବା ସହ ସରକାର ବାଂଲାକୁ ବର୍ବାଦ କରିଥିବା ଅଭିଯୋଗ କରିଥିଲେ । ଖାଲି ସେତିକି ନୁହେଁ କିଛି ବିକ୍ଷୋଭକାରୀ ୟୁନୁସଙ୍କ ଉପରକୁ ଅଣ୍ଡାମାଡ଼ କରିବାକୁ ଉଦ୍ୟମ କରିଥିଲେ । 'ୟୁନୁସ୍ ପାକିସ୍ତାନୀ ଗୋ ବ୍ୟାକ୍‌' ବୋଲି ନାରା ଦେଇଛନ୍ତି ।

ଆନ୍ଦୋଳନକାରୀମାନେ ୟୁନୁସ୍‌ଙ୍କ ଉପରେ ବାଂଲାଦେଶକୁ ତାଲିବାନୀ ଦେଶ କରିଥିବା ଅଭିଯୋଗ ଆଣିଛନ୍ତି । ସେମାନେ କହିଛନ୍ତି, ''ଆମେ ଆଜି ସଂଯୁକ୍ତ ରାଷ୍ଟ୍ର ଆଗରେ ମୁହମ୍ମଦ ୟୁନୁସଙ୍କ ବିରୋଧରେ ବିକ୍ଷୋଭ କରୁଛୁ । ଯିଏକି ବାଂଲାଦେଶକୁ ଏକ ତାଲିବାନ ଦେଶ, ଏକ ଆତଙ୍କବାଦୀ ଦେଶ କରୁଛନ୍ତି । ଏହାଛଡା ସେ ହିନ୍ଦୁ, ବୌଦ୍ଧ, ଇସାଇଙ୍କୁ ଧାର୍ମିକ ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଆମେ ଧାର୍ମିକ ପୂଜାରୀ ଚିନ୍ନୟ କୃଷ୍ଣ ଦାସଙ୍କୁ ଛାଡିବାକୁ ଦାବି କରୁଛୁ ଯାହାଙ୍କୁ ଅନ୍ୟାୟ ଭାବେ ଗିରଫ କରି ଜେଲ୍‌ରେ ରଖାଯାଇଛି । ତାଙ୍କୁ ଛାଡିବାକୁ ଆମର ଦାବି । ୟୁନୁସ୍‌ ପଦ ଛାଡି ଦିଅନ୍ତୁ ।''

ବାଂଲାକୁ ତାଲିବାନ କରୁଛନ୍ତି ୟୁନୁସ୍‌-  ଜଣେ ବିକ୍ଷୋଭକାରୀ କହିଛନ୍ତି, ଏହି ରାଲିର ଉଦ୍ଦେଶ୍ୟ ସାଧାସିଧା । ବାଂଲାଦେଶର ଲୋତତାନ୍ତ୍ରିକ ପ୍ରକ୍ରିୟାରେ ଚୟନ ହୋଇଥିବା ଶେଖ୍ ହାସିନାଙ୍କ ସରକାରକୁ ୨୦୨୪ ଅଗଷ୍ଟ ୫ରେ ହଟାଇ ଯାଇଥିଲା । ସେବେଠୁ ୟୁନୁସ୍ ଇସଲାମି କଠୋପନ୍ଥୀ ଶକ୍ତି ସହ ମିଶି ବାଂଲାଦେଶକୁ ସେମି ତାଲିବାନ କରିବା ରାସ୍ତାରେ ଆଗକୁ ବଢୁଛନ୍ତି । ଦେଶରେ ଅବୈଧ ଶାସନ କରୁଛନ୍ତି । ଦେଶରେ ରାଜନୈତିକ ପରିସ୍ଥିତି ଗୁରୁତର ରହିଛି । ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ପଳାଇଛନ୍ତି । ହିନ୍ଦୁ ସମେତ ଅନ୍ୟ ଧାର୍ମିକ ଲୋକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିଛି । ପୂର୍ବ ପ୍ରଧାନମନ୍ତ୍ରୀ ସୁରକ୍ଷା ପାଇଁ ଦେଶ ଛାଡି ପଳାଇଲେ ୟୁନୁସ୍‌ ଦେଶ ଉପରେ କବ୍‌ଜା କରିନେଲେ ।

କହି ରଖୁଛି କି, ଗତବର୍ଷ ଅଗଷ୍ଟ ୫ରେ ଜେନ୍‌-ଜି ଆନ୍ଦୋଳନ ଶେଖ୍ ହସିନାଙ୍କ ୧୫ ବର୍ଷର ଶାସନକୁ ଶେଷ କରି ଦେଇଥିଲେ । ଫଳରେ ହସିନାଙ୍କୁ ଭାରତ ଆସି ଶରଣ ନେବାକୁ ପଡିଛି । ଏହାପରେ ୟୁନୁସ୍ ଦେଶରେ ଅନ୍ତରୀଣ ସରକାର ଗଠନ କରି ବାଂଲା ଗାଦିରେ ବସିଛନ୍ତି ।