ମନମୁଣ୍ଡା,୧୯/୧୨ : ତୁରନ୍ତ ଚାଷୀମାନଙ୍କୁ ଟୋକନ ପ୍ରଦାନ ବ୍ୟବସ୍ଥା କରିବା ସହ ଆସନ୍ତା୨୧ ତାରିଖ ସୁଦ୍ଧା ଧାନକ୍ରୟ ନ କଲେ ପ୍ୟାକ୍ସ ସେବା ସମବାୟ ସମିତି ଘେରାଉ ସହ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଶୁକ୍ରବାର ମନମୁଣ୍ଡା ଅଞ୍ଚଳର ଚାଷୀମାନେ ଚେତାବନୀ ଦେଇଛନ୍ତି । ଗତ ୧୬ତାରିଖରେ ଶାନ୍ତିପ୍ରିୟ ପ୍ୟାକ୍ସ ମନମୁଣ୍ଡାରେ ବୌଦ୍ଧ ଜିଲ୍ଲାର ଧାନକ୍ରୟ ଶୁଭାରମ୍ଭ କରାଯାଇଥିଲା। ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲାର ଅନ୍ୟ ଅଧିକାରୀ ଓ ଶତାଧିକ ଚାଷୀମାନଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଏହାର ଶୁଭାରମ୍ଭ କରିଥିଲେ।

ନଭେମ୍ବର ମାସରେ ବିକ୍ରୟ ପାଇଁ ଅନେକ ଚାଷୀ ଆବେଦନପତ୍ରରେ ଉଲ୍ଲେଖ କରିଥିଲେ। ସେହି ମାସରେ ଧାନ ସଂଗ୍ରହ ଅଭିଯାନ ଆରମ୍ଭ ହେବା କଥା । କିନ୍ତୁ ଡିସେମ୍ବର ମାସରେ ଏହାର ଶୁଭାରମ୍ଭ କରାଯାଇଛି । ନଭେମ୍ବର ମାସରେ ବିକ୍ରି ପାଇଁ ଆବେଦନ କରିଥିବା ଅନେକ ଚାଷୀଙ୍କ ଟୋକନ ଅଦ୍ୟାବଧି ଆସି ନାହିଁ ଓ ୱେବସାଇଟରେ ପ୍ରଦର୍ଶିତ ମଧ୍ୟ ହେଉ ନାହିଁ। ଫଳରେ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ଧାନ ସଂଗ୍ରହ ଶୁଭାରମ୍ଭ ଦିନ ମନମୁଣ୍ଡା ମଣ୍ଡିରେ ମାତ୍ର ୩ଜଣ ଚାଷୀଙ୍କଠାରୁ ୧୧୭କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ସେହିଦିନଠାରୁ ଧାନ ସଂଗ୍ରହ ତଥା କ୍ରୟ ନିୟମିତ କରାଯିବ ବୋଲି ଅଧିକାରୀଗଣ କହିଥିଲେ। ସେହି ଅନୁସାରେ ଟୋକନ ପାଇଥିବା ଚାଷୀମାନେ ମଣ୍ଡିରେ ଧାନ ଗଦାଇ ରଖିଛନ୍ତି ଓ ଶୀତ କାକରରେ ଦିନ ରାତି ଜଗି ରହିଛନ୍ତି । କିନ୍ତୁ ଉଦଘାଟନ ଦିନ ପରଠାରୁ ଆଉ ଧାନକ୍ରୟ କରାଯାଉ ନାହିଁ। ମିଲ୍ ମାଲିକ ଗାଡ଼ି ପଠାଉ ନ ଥିବାରୁ ଏପରି ଅବ୍ୟବସ୍ଥା ହେଉଥିବା କୁହାଯାଇଛି। ସରକାର ଧାନ ସଂଗ୍ରହ ପାଇଁ ପ୍ୟାକ୍ସକୁ ଦାୟିତ୍ଵ ଅର୍ପଣ କରିଛନ୍ତି । ମିଲ୍ ମାଲିକ ଗାଡ଼ି ପଠାଇବା ନ ପଠାଇବା ସେ ନେଇ ଚାଷୀଙ୍କ କିଛି ଯାଏ ଆସେ ନାହିଁ । ତାହା ପ୍ରଶାସନର ମୁଣ୍ଡ ବ୍ୟଥା। ଚାଷୀ କାହିଁକି ହଇରାଣ ହେବେ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି । ଟୋକନ ପାଇ ନ ଥିବା ଚାଷୀମାନଙ୍କୁ ତୁରନ୍ତ ତାହା ଯୋଗାଇଦେବାର ବ୍ୟବସ୍ଥା କରିବା ସହ ଆସନ୍ତା ୨୧ତାରିଖ ସୁଦ୍ଧା ଧାନ କ୍ରୟ ପୁନଃ ଆରମ୍ଭ ନ କଲେ ମନମୁଣ୍ଡା ସେବା ସମବାୟ ସମିତି ଓ ମଣ୍ଡି ଘେରାଉ କରିବା ସହ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ମନମୁଣ୍ଡା ପ୍ୟାକ୍ସ ଅଧିନସ୍ଥ ଚାଷୀ ମନମୁଣ୍ଡାର ରାଜ କୁମାର ନାୟକ, ଗଣେଶ୍ୱର ପାତ୍ର, ବାସୁଦେବପାଲିର ପ୍ରିୟ ସେଠୀ, ନୂର୍ପାର ରଞ୍ଜନ କୁମାର ପଟ୍ଟନାୟକ, ଗୁନା ଦାନୀ, ଡାଙ୍ଗମୁଣ୍ଡା ପଦ୍ମନାଭ ମିଶ୍ର, ସୁଦାମ କ୍ଷେତି, ଉଚବାହାଲି ଗ୍ରାମର ମାନଭଞ୍ଜନ ଭୋଇଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଆଜି ମନମୁଣ୍ଡା ସେବା ସମବାୟ ସମିତି ତଥା ପ୍ୟାକ୍ସ ସମ୍ପାଦକ ମୃତ୍ୟୁଞ୍ଜୟ ହୋତା (ଆଲୋକ)ଙ୍କୁ ଏ ନେଇ ଏକ ଦରଖାସ୍ତ ପ୍ରଦାନ କରିଛନ୍ତି।