ଅନୁଗୋଳ/ଆଠମଲ୍ଲିକ, ୩୧।୩ : ୧୯୩୬ ଏପ୍ରିଲ ୧ରେ ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ୨୦୩୬ରେ ଆମେ ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ କରିବା । ଏହି ସମୟ ମଧ୍ୟରେ 'ବିକଶିତ ଭାରତ' ଓ 'ବିକଶିତ ଓଡ଼ିଶା'ର ସ୍ୱପ୍ନ ସେତେବେଳେ ସାକାର ହେବ, ଯେତେବେଳେ ଆମ ଓଡ଼ିଆ ପିଲାମାନେ ସୁସ୍ଥ ରହିବା ସହ ଉତ୍ତମ ଶିକ୍ଷା ପାଇବେ । ଏହି ଲକ୍ଷ୍ୟ ପୂରଣ ପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ‘ଉତ୍କଳ ଦିବସ’ର ଗୋଟିଏ ଦିନର ଅବ୍ୟବହିତ ପୂର୍ବରୁ ଆଠମଲ୍ଲିକରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ମଙ୍ଗଳବାର ଆଠମଲ୍ଲିକର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରାୟ ୨୦୪ କୋଟି ୩୨ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟରେ ବିଭିନ୍ନ ଜନହିତକର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, , ଆଠମଲ୍ଲିକ ହେଉଛି ଅପାର ସମ୍ଭାବନାର ଅଞ୍ଚଳ । ଡବଲ ଇଞ୍ଜିନ ସରକାର ଏଠାକାର ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ସହାୟତା ପାଇଁ ଆବାସ ଯୋଜନାରେ ଶହ ଶହ ନୂଆ ପକ୍କାଘର ନିର୍ମାଣର ଲକ୍ଷ୍ୟ ରଖିଛନ୍ତି ।  ଏଥିପାଇଁ ଜିଲ୍ଲାପାଳଙ୍କୁ ଏକ ଆଧୁନିକ ହାଉସିଂ ପ୍ରୋଜେକ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଅଞ୍ଚଳର ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଉପକୃତ ହୋଇପାରିବେ ।

​​​​​​​

ଆଠମଲ୍ଲିକ ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଏଠାରେ ଚିନାବାଦାମ, ଡାଲି ଜାତୀୟ ଶସ୍ୟ, ପନିପରିବା ସହିତ ଆମ୍ବ, ପଣସ, ଲିଚୁ ଓ ଲେମ୍ବୁ ଭଳି ଫଳ ବହୁ ପରିମାଣରେ ଉତ୍ପାଦିତ ହେଉଛି । ଏହି କୃଷିଜାତ ଦ୍ରବ୍ୟଗୁଡ଼ିକର ସଠିକ୍ ବିକ୍ରୟ ପାଇଁ ଏକ ବ୍ୟବସାୟିକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଏବଂ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ରହୁଥିବା ଲୋକମାନଙ୍କର ସମସ୍ୟା ଓ ସେମାନଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଆସନ୍ତା ଏପ୍ରିଲ ମାସରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ, ଯେଉଁଠାରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣାଯିବା ସହ ସମାଧାନର ବାଟ ବାହାର କରାଯାଇ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ।

ସୂଚନାଯୋଗ୍ୟ, ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସମୁଦାୟ ୨୦୪.୩୨ କୋଟି ଟଙ୍କାର ୯୧ଟି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏଥିମଧ୍ୟରୁ ୧୮୩.୮୫ କୋଟି ଟଙ୍କା ବ୍ୟୟରେ ୬୨ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବା ବେଳେ ୨୦.୪୭ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୨୯ଟି ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ଶ୍ରୀ ପ୍ରଧାନ ଏହି ଗସ୍ତକାଳରେ ଆଠମଲ୍ଲିକ ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ଓ ଅଇଡ଼ା ଓଲଥ ସ୍ଥିତ ଶ୍ରୀରାମ ମନ୍ଦିର ଦର୍ଶନ କରିଥିଲେ ।