ନୂଆଦିଲ୍ଲୀ,୧୨ /୯: ଇପିଏଫ୍ଓ ସଦସ୍ୟଙ୍କ ପାଇଁ ଖୁସି ଖବର। ସର୍ବନିମ୍ନ ପେନ୍‌ସନ୍‌କୁ ବର୍ତ୍ତମାନର ୧୦୦୦ ଟଙ୍କାରୁ ବଢ଼ାଇ ୧୫୦୦ ଟଙ୍କା କିମ୍ବା ୨୫୦୦ ଟଙ୍କା ହୋଇପାରେ । ଆସନ୍ତା ମାସରେ ବସିବ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ। ଯେଉଁଥିରେ ଏନେଇ ହେବ ଆଲୋଚନା। ଯଦି ଏହି ପ୍ରସ୍ତାବକୁ ଅନୁମୋଦନ ମିଳିବ ‌ତେବେ ଇପିଏଫ୍‌ଓର କୋଟି କୋଟି ପେନ୍‌ସନ୍‌ଭୋଗୀ ଉପକୃତ ହେବେ। 

ଶ୍ରମ ମନ୍ତ୍ରୀ ମନ୍‌ସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅକ୍ଟୋବର ୧୦-୧୧ରେ ସିବିଟି ବୈଠକ ବସିବ। ସରକାର ଚାହୁଛନ୍ତି ଇପିଏଫ୍ଓର ୮ କୋଟି ସଦସ୍ୟଙ୍କ ହାତରେ ଦୀପାବଳି ପୂର୍ବରୁ ଖର୍ଚ୍ଚ କରିବା ଲାଗି ଅଧିକ ଟଙ୍କା ପହଞ୍ଚାଇବା। ସେଥିପାଇଁ ସର୍ବନିମ୍ନ ପେନ୍‌ସନ୍‌ରେ ୫୦୦ କିମ୍ବା ୧୫୦୦ ଟଙ୍କାର ବୃଦ୍ଧି ଉପରେ ବୈଠକରେ ବିଚାର କରାଯିବ। ସର୍ବନିମ୍ନ ପେନ୍‌ସନ୍ ବଢ଼ାଇବା ଲାଗି ଶ୍ରମିକ ସଂଗଠନଗୁଡ଼ିକ ବହୁଦିନରୁ ଦାବି କରୁଛନ୍ତି। ଏହା ବ୍ୟତୀତ ଇପିଏଫ୍ଓ ଖୁବ୍‌ଶୀଘ୍ର ଏହାର ଡିଜିଟାଲ୍ ସେବାର ତୃତୀୟ ସଂସ୍କରଣ ଆରମ୍ଭ କରିବ। ସେଥିରେ ଏଟିଏମ୍‌ରୁ ଟଙ୍କା ଉଠାଇବା, ଡିଜିଟାଲ୍‌ ମାଧ୍ୟମରେ ଅପ୍‌ଡେଟ୍‌ କରିବା, ଶୀଘ୍ର ଦାବିର ପ୍ରକ୍ରିୟାକରଣ ଆଦି ସୁବିଧା ରହିବ। ସଦସ୍ୟମାନେ ୟୁଏଏନ୍‌କୁ ସକ୍ରିୟ କରି ଏବଂ ଆଧାରକୁ ଖାତା ସହ ଯୋଡ଼ି ଏଟିଏମ୍‌ରୁ ଟଙ୍କା ଉଠାଇପାରିବେ। ଏଥିପାଇଁ ଇପିଏଫ୍‌ଓ ତରଫରୁ ଏକ ସ୍ବତନ୍ତ୍ର ଏଟିଏମ୍ କାର୍ଡ ଜାରି କରାଯିବ ଯାହା ପିଏଫ୍‌ ଖାତା ସହ ସଂଯୁକ୍ତ ରହିବ। ଏଥି ସହିତ ୟୁପିଆଇ ଜରିଆରେ ଟଙ୍କା ଉଠାଣ ସୁବିଧା ଉପରେ ମଧ୍ୟ ବିଚାର କରାଯାଉଛି। 

ପିଏଫ୍ ଉଠାଣ ନିୟମ ଅନୁସାରେ ଚାକିରି ଚାଲିଯିବା ପରିସ୍ଥିତ‌ି‌ରେ ସଦସ୍ୟମାନେ ଗୋଟିଏ ମାସ ପରେ ପିଏଫ୍‌ ଖାତାରେ ଥିବା ୭୫ ପ୍ରତିଶତ ରାଶି ଉଠାଇପାରିବେ। ଅବଶି‌ଷ୍ଟ ରାଶିକୁ ଦୁଇ ମାସ ପରେ ଉଠାଇହେବ। ଦେଶରେ ଦରଦାମ୍‌ ସ୍ଥିତିରେ ହୋଇଥିବା ବୃଦ୍ଧି ଅନୁସା‌ରେ ଇପିଏଫ୍‌ଓର ସର୍ବନିମ୍ନ ୧୦୦୦ ଟଙ୍କାର ପେନ୍‌ସନରେ ଜୀବନ ବିତାଇବା ଲାଗି ଅତ୍ୟନ୍ତ କମ୍ ବୋଲି ବିଚାର କରାଯାଉଛି।