• ୫ ବର୍ଷରେ ୧ ହଜାର ୩୩୧ କୁଷ୍ଠ ରୋଗୀ ଚିହ୍ନଟ
  • ବାସନ୍ଦ ଭୟ, ଲୁଚେଇବା ଯୋଗୁଁ ମାଡ଼ୁଛି କୁଷ୍ଠ
  • ଆଶ୍ୱସ୍ତିର ବିଷୟ, ବର୍ଷ ବର୍ଷରେ ଶୂନ ବିକଳାଙ୍ଗ ହାର

ଅନୁଗୁଳ,୩୦/୦୧: ଶିଳ୍ପ ଜିଲ୍ଲା ଅନୁଗୁଳରେ କାୟା ମେଲାଇ ଚାଲିଛି କୁଷ୍ଠ ରୋଗ । ସରକାରୀ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ସତ୍ତେ୍ୱ କମୁନି କୁଷ୍ଠ କଷଣ । ଗଲା ୯ ମାସ ମଧ୍ୟରେ ୧୯୪ ଜଣ ନୂତନ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକି ଉଦ୍ବେଗଜନକ ସଂକ୍ରମଣ ଦିଗକୁ ସୂଚାଉଛି । ଜିଲ୍ଲାର ପ୍ରତି ୧୦ ହଜାର ଜନସଂଖ୍ୟାରେ ୨ ଜଣ କୁଷ୍ଠ ରୋଗୀ ଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୂ ସୂଚନା ମିଳିଛି ।

କୁଷ୍ଠ ରୋଗର ଭୟବହତା ମଧ୍ୟରେ ଆଶ୍ୱସ୍ତିକର ବିଷୟଟି ହେଲା, ରୋଗ ଚିହ୍ନଟ ପରେ ତ୍ୱରିତ ଚିକିତ୍ସା ଯୋଗୁଁ ବିକଳାଙ୍ଗ ହାର କମିଛି । ୨୦୨୩-୨୪ ଆର୍ଥିକ ବର୍ଷ ଯାଏଁ ଏକାଧିକ କୁଷ୍ଠରୋଗୀ ପଙ୍ଗୁ ହୋଇଯାଇଥିବା ବେଳେ ଗତ ୨ ବର୍ଷ ହେଲା ଜଣେ ବି ରୋଗୀ ବିକଳାଙ୍ଗର ଶିକାର ହୋଇନାହାନ୍ତି । ସଚେତନତା ବୃଦ୍ଧି ସାଙ୍ଗକୁ ସଠିକ୍ ଭାବେ ଏମ୍ଡିଟି ଔଷଧ ସେବନ କରୁଥିବାରୁ ହାତ, ଗୋଡ଼ ବଙ୍କା ହେବାରୁ ରକ୍ଷା ମିଳୁଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ, ଗତ ୫ ବର୍ଷ ମଧ୍ୟରେ ଜିଲ୍ଲାରେ ୧ ହଜାର ୩୩୧ ଜଣ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫୮ ଜଣ ଶିଶୁ ଓ ୬୧୫ ଜଣ ମହିଳା ରୋଗୀ ରହିଛନ୍ତି । କୁଷ୍ଠ ରୋଗର ସମୂଳେ ବିନାଶ ପାଇଁ ବ୍ୟାପକ ସଚେତନତାର ଆବଶ୍ୟକ ରହିଛି । କିଛି ରୋଗୀ ଲୋକଲଜ୍ଜା ଭୟରେ କେବଳ ରୋଗକୁ ଲୁଚାଉ ନାହାନ୍ତି, ବରଂ ରୋଗ ବାଣ୍ଟି ଚାଲିଛନ୍ତି । କିଛି ବର୍ଷ ହେଲା ଚିହ୍ନଟ ଅଭିଯାନ ସଠିକ୍ ଭାବେ ହେଉଥିବା ବେଳେ ସଚେତନତା ବୃଦ୍ଧି ଯୋଗୁଁ ନୂଆ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଏମ୍‌ଡିଟି ଦ୍ୱାରା କୁଷ୍ଠରୋଗ ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ । ଚିହ୍ନଟ ରୋଗୀଙ୍କୁ ଶୀଘ୍ର ଚିକିତ୍ସା ଯୋଗାଇ ଦିଆଯାଉଥିବାରୁ ଦୁଇ ବର୍ଷ ହେଲା କେହି ରୋଗୀ ବିକଳାଙ୍ଗ ହୋଇନଥିବା ଜିଲ୍ଲା କୁଷ୍ଠ ପରାମର୍ଶଦାତା ସୂର୍ଯ୍ୟନାରାୟଣ ଦତ୍ତ ମତ ଦେଇଛନ୍ତି ।

ଶ୍ରୀ ଦତ୍ତ କହିଛନ୍ତି, କୁଷ୍ଠ ଏକ ସାଧାରଣ ଜୀବାଣୁ ଜନିତ ସାଧାରଣ ରୋଗ । ବଧିରା ଛଉ, ଚର୍ମ ମୋଟା ହୋଇ ତେଲିଆ ବା ଚିକ୍କଣ ଦେଖାଯିବା, କାନ ବା ଶରୀରର ଛୋଟ ଛୋଟ ଗୁଳି ସୃଷ୍ଟି ହେବା, ହାତ, ଗୋଡ଼ ଶୁଖିଲା ହୋଇ ବଧିରା ଲାଗିବା, ମାଂସପେଶୀ ଦୁର୍ବଳ ଲାଗିବା ହେଉଛି କୁଷ୍ଠ ରୋଗର ପ୍ରାଥମିକ ଲକ୍ଷଣ । କୁଷ୍ଠ ନିରାକରଣରେ ପ୍ରମୁଖ ସମସ୍ୟା ହେଉଛି ସଚେତନତାର ଅଭାବ ଓ ସାମାଜିକ ବାସନ୍ଦ । ଯଦି ଆରମ୍ଭରୁ କୁଷ୍ଠ ଆଶଙ୍କାରେ ଡାକ୍ତରଙ୍କଠାରୁ ଚିକିତ୍ସା କରାଇବେ, ତେବେ ରୋଗରୁ ବର୍ତ୍ତିବାର ଶତ ପ୍ରତିଶତ ଆଶା ରହିଛି । ପ୍ରତି ସରକାରୀ ଡାକ୍ତରଖାନାରେ ଏମ୍ଡିଟି ମାଗଣାରେ ଉପଲବ୍ଧ ହେଉଛି । କୁଷ୍ଠ ରୋଗରେ ରୋକ୍ ନ ଲାଗିବାର ଅନ୍ୟ ପ୍ରମୁଖ କାରଣ ହେଉଛି ଲୋକଲଜ୍ଜା ଓ ସାମାଜିକ ବାସନ୍ଦ । ଏବେ ବି ଲୋକମାନେ କୁଷ୍ଠ ରୋଗୀଙ୍କୁ ଘୃଣା କରୁଛନ୍ତି । ଯଦ୍ୱାରା ଜଣେ ରୋଗୀ ସାଧାରଣରେ କୁଷ୍ଠ ହୋଇଥିବା ପ୍ରକାଶ କରୁନଥିବା ବେଳେ ଏହି ଲୁଚେଇବା କାରଣରୁ ରୋଗ ବ୍ୟାପୀ ଚାଲିଛି । କୁଷ୍ଠ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଆସନ୍ତା ୩୦ ତାରିଖରୁ ଫେବ୍ରୁଆରୀ ୧୩ ତାରିଖ ଯାଏଁ ଜିଲ୍ଲା ସାରା ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ସମସ୍ତ ଗାଁ କଲ୍ୟାଣ ସମିତି, ପଞ୍ଚାୟତ, ବିଦ୍ୟାଳୟ, ତଥା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସଚେତନତା ବୈଠକ ସାଙ୍ଗକୁ କୁଷ୍ଠ ରୋଗୀଙ୍କ ସହିତ ଘୃଣା ଓ ସାମାଜିକ ଭେଦଭାବ ରୋକିବା ଲାଗି ନିରନ୍ତର ଚେଷ୍ଟା କରିବା ନିମିତ୍ତ ଲୋକଙ୍କୁ ଶପଥ ପାଠ କରାଯିବ । ସଚେତନତା ହିଁ କୁଷ୍ଠ ରୋଗର ଗତିରେ ବ୍ରେକ୍ ଲଗାଇ ପାରିବ ବୋଲି ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ:- ବିଶ୍ୱ କୁଷ୍ଠ ଦିବସ; ବଞ୍ଚିବା ଜିଦ୍ରେ ଜିତିଛି ଜୀବନ, ଜାଣନ୍ତୁ ୩ ଯୋଦ୍ଧାଙ୍କ କାହାଣୀ...