ନୂଆଦିଲ୍ଲୀ, ୧୮/୦୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ହତ୍ୟା ଧମକ ମିଳିଛି । ମାନ୍ ଙ୍କୁ ବିଷାକ୍ତ କେମିକାଲ ପୋଲୋନିୟମ ଦିଆଯାଇଥିବା ଦାବି କରି ଖଲିସ୍ତାନ ସମର୍ଥକ ସଙ୍ଗଠନ, ଖଲିସ୍ତାନ ନ୍ୟାସନାଲ ଆର୍ମି ପଞ୍ଜାବ ପ୍ରଶାସନ ନିକଟକୁ ଇମେଲ ପଠାଇଛି । ଯଦି ଏଥିରେ ମାନ୍ ବଞ୍ଚିଯାଆନ୍ତି ତେବେ ତାଙ୍କ ଅବସ୍ଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେୟନ୍ତ ସିଂଙ୍କ ଭଳି କରାଯିବ ବୋଲି ଧମକ ଦିଆଯାଇଛି । ମାନଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖଲିସ୍ତାନ ନ୍ୟାସନାଲ ଆର୍ମି ଏହି ହସ୍ପିଟାଲ ସମେତ ୧୬ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ମଧ୍ୟ ଧମକ ଦେଇଛି । ମୋହାଲି ଏସ୍ପି ସିଟି ଦିଲପ୍ରୀତ ସିଂ ଇମେଲ ବାବଦରେ ଜଣାଇଛନ୍ତି । ସେହି ଇମେଲ ଆଇଡିର ଯାଞ୍ଚ ଚାଲିଛି । ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବି ସ୍ଥିର ଅଛି । ସବୁକିଛି ଠିକ୍ଠାକ୍ ଅଛି । ହସ୍ପିଟାଲ ପରିସରରେ ସୁରକ୍ଷା ବଢ଼ାଯାଇଥିବା ଏସ୍ପି କହିଛନ୍ତି ।
ସେହିପରି ମଙ୍ଗଳବାର ଅପରାହ୍ନ ୧ଟା ୧୧ରେ ବୋମା ବିସ୍ଫୋରଣ ଧମକ ମିଳିଥିଲା । ତେବେ ଏପରି କିଛି ହୋଇନାହିଁ । ଧମକ ମିଳିବା ପରଠାରୁ ସକାଳ ପ୍ରାୟ ୭ଟାରୁ ଉକ୍ତ ହସ୍ପିଟାଲ ଏବଂ ସ୍କୁଲଗୁଡ଼ିକରେ ଯାଞ୍ଚ କରାଯାଇଥିଲା । ହେଲେ କେଉଁଠି କିଛି ବି ସନ୍ଦିଗ୍ଧ ସାମଗ୍ରୀ ମିଳିନାହିଁ ବୋଲି ସେ ଜଣାଇଛନ୍ତି । ଇମେଲରେ ଦିଲାୱର ସିଂକୁ ସହିଦ ଦର୍ଶାଯାଇଛି । ଏଥିରେ ଲେଖାଯାଇଛି, ଯେପରି ପୂର୍ବତନ ମୁଖ୍ୟମନ୍ତ୍ରୀ ବେୟନ୍ତ ସିଂଙ୍କୁ ବୋମାରେ ଉଡ଼ାଇ ଦିଆଯାଇଥିଲା ସେପରି ମାନ୍ ଙ୍କୁ ମଧ୍ୟ ଉଡ଼ାଇ ଦିଆଯିବ । ପ୍ରକାଶଥାଉ କି, ୧୯୯୫ ଅଗଷ୍ଟ ୩୧ରେ ଦିଲାୱର ସିଂ ଓରଫ୍ ଜୟସିଂହୱାଲା ନିଜ ଦେହରେ ବୋମା ଖଞ୍ଜି ପଞ୍ଜାବ ସ୍ଥିତ ପଞ୍ଜାବ ଏବଂ ହରିୟାଣା ସଚିବାଳୟ ନିକଟରେ ବେୟନ୍ତଙ୍କ କାର୍ ପାଖରେ ଆତ୍ମଘାତୀ ଆକ୍ରମଣ କରିଥିଲା । ଏଥିରେ ବେୟନ୍ତ ସିଂଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା ।
ମୁଖ୍ୟମନ୍ତ୍ରୀ ମାନ୍ଙ୍କୁ ପୋଲୋନିୟମ ରସାୟନିକ ପଦାର୍ଥ ଦିଆଯାଇଥିବା ଧମକରେ କୁହାଯାଇଛି । ପୋଲୋନିୟମ ଏକ ଦୁର୍ଲଭ ରେଡିଓଆକ୍ଟିଭ୍ ପଦାର୍ଥ ଏବଂ ବେଶ୍ ବିଷାକ୍ତ । ତେବେ ମାନ୍ ଙ୍କୁ କେବେ, କେଉଁଠି, କିପରି ଏହି କେମିକାଲ ଦିଆଯାଇଛି ତାହା ଖଲିସ୍ତାନ ନ୍ୟାସନାଲ ଆର୍ମି ପକ୍ଷରୁ ଜଣାଯାଇନାହିଁ । ରବିବାର ତାଙ୍କ ରକ୍ତଚାପ ବଢ଼ିବା କାରଣରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରୁ ବାହାରି ସେ ମୋଗା ଜିଲ୍ଲାରେ ଏକ ରାଲିରେ ଭାଗ ନେଇଥିଲେ ହେଁ ସୋମବାର ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଅଧିକ ପଢ଼ନ୍ତୁ-ଆଉ ନାହାନ୍ତି ଜଣାଶୁଣା ଅଭିନେତ୍ରୀ ପ୍ରବୀଣା ଦେଶପାଣ୍ଡେ, ସଲମାନଙ୍କ ଖାନ୍ଙ୍କର ଥିଲେ କୋ-ଆକ୍ଟର