ଭୁବନେଶ୍ୱର,୧୯/୦୬: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ପରର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ ତାଲିକାରେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା । ବୁଧବାର ମନ୍ତ୍ରଣାଳୟ ପକ୍ଷରୁ ପରର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସର ୨୦୨୩-୨୪ର ତାଲିକା ଜାରି ହୋଇଛି । ଶ୍ରେଷ୍ଠ ୫ ତାଲିକାରେ ଓଡ଼ିଶା ସମେତ ଚଣ୍ଡିଗଡ଼, ପଞ୍ଜାବ, ଦିଲ୍ଲୀ ଓ ଗୁଜୁରାଟ ସ୍ଥାନ ପାଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା କ୍ଷେତ୍ରରେ ଓଡ଼ିଶା ୨୦୨୨-୨୩ ତୁଳନାରେ ୨୦୨୩- ୨୪ରେ ଦୁଇ ଗୁଣା ଉନ୍ନତି କରିଥିବା ରିପୋର୍ଟରେ ଦର୍ଶାଯାଇଛି । ୨୦୨୨-୨୩ର ପରର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ତାଲିକାରେ ଓଡ଼ିଶାର କୌଣସି ଜିଲ୍ଲା ଉତ୍ତମ-୩ ବର୍ଗରେ ନଥିଲା । ମାତ୍ର ୨୦୨୩- ୨୪ ତାଲିକାର ଉତ୍ତମ-୩ ବର୍ଗରେ ରାଜ୍ୟର କେବଳ ଝାରସୁଗୁଡ଼ା ଜିଲ୍ଲା ସ୍ଥାନ ପାଇଛି । ୬ ଶହ ନମ୍ବରରୁ ଝାରସୁଗୁଡ଼ା ୩୮୩ ସ୍କୋର କରିପାରିଛି ।
୨୦୨୨-୨୩ ତାଲିକାରେ ଓଡ଼ିଶାର ୧୨ ଜିଲ୍ଲା ପ୍ରଚେଷ୍ଟା-୧ ବର୍ଗରେ ଥିଲା । ୨୦୨୩-୨୪ ତାଲିକାରେ ଏହା ଦୁଇ ଗୁଣ ବୃଦ୍ଧି ପାଇ ୨୪ରେ ପହଞ୍ଚିଛି । ପ୍ରଚେଷ୍ଟା-୧ ବର୍ଗରେ ଖୋର୍ଦ୍ଧା, କଟକ, ନୂଆପଡ଼ା, ଜଗତସିଂହପୁର, ଅନୁଗୁଳ, କୋରାପୁଟ, ସୁନ୍ଦରଗଡ଼, ନୟାଗଡ଼, ଢେଙ୍କାନାଳ, ଗଞ୍ଜାମ, ସମ୍ବଲପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି, ଭଦ୍ରକ, ସୋନପୁର, ବରଗଡ଼, ମାଲକାନଗିରି, ବାଲେଶ୍ୱର, ଦେବଗଡ଼, କେନ୍ଦୁଝର, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଓ ଯାଜପୁର ଜିଲ୍ଲା ସ୍ଥାନ ପାଇଛି । ପ୍ରଚେଷ୍ଟା-୨ ବର୍ଗରେ ୨୦୨୨-୨୩ ତାଲିକାରେ ଓଡ଼ିଶାର ୧୮ଟି ଜିଲ୍ଲା ରହିଥିଲା । ୨୦୨୩-୨୪ ବେଳକୁ ଏହି ତାଲିକାରେ କେବଳ ପୁରୀ, ଗଜପତି, ମୟୂରଭଞ୍ଜ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ରହିଛି ।
ଉଲ୍ଲେଖଯୋଗ୍ୟ, ରାଜ୍ୟଗୁଡ଼ିକର ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ଯାଞ୍ଚ କରି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପରର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ ରିପୋର୍ଟ ପ୍ରକାଶ କରିଥାଏ । ଏଥିରେ ୬ ବର୍ଗର ୭୪ ସୂଚକାଙ୍କରେ ୬ଶହ ନମ୍ବରରୁ ମୂଲ୍ୟାୟନ କରାଯାଇଥାଏ । ଶିକ୍ଷକ ଉପଲବ୍ଧି ଓ ବୃତ୍ତିଗତ ଉନ୍ନତି, ଭିତ୍ତିଭୂମି, ସୁବିଧା ସୁଯୋଗ, ବିଦ୍ୟାଳୟରେ ନିରାପତ୍ତା ବ୍ୟବସ୍ଥା, ଛାତ୍ର ସୁରକ୍ଷା, ଡିଜିଟାଲ୍ ଶିକ୍ଷା, ଉପସ୍ଥାନ, ନେତୃତ୍ୱ ବିକାଶ ପ୍ରମୁଖ ସୂଚକାଙ୍କୁ ବିଚାରକୁ ନିଆଯାଇଥାଏ ବୋଲି ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।