ଭୁବନେଶ୍ୱର,୧୯/୦୬: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ  ଜାରି ପରର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ ତାଲିକାରେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ  ସ୍ଥାନ ପାଇଛି ଓଡ଼ିଶା । ବୁଧବାର ମନ୍ତ୍ରଣାଳୟ ପକ୍ଷରୁ ପରର୍ଫମାନ୍ସ  ଗ୍ରେଡିଂ ଇଣ୍ଡେକ୍ସର ୨୦୨୩-୨୪ର  ତାଲିକା ଜାରି ହୋଇଛି । ଶ୍ରେଷ୍ଠ  ୫ ତାଲିକାରେ ଓଡ଼ିଶା ସମେତ ଚଣ୍ଡିଗଡ଼, ପଞ୍ଜାବ, ଦିଲ୍ଲୀ ଓ  ଗୁଜୁରାଟ ସ୍ଥାନ ପାଇଛି । 

ବିଦ୍ୟାଳୟ ଓ ଗଣଶିକ୍ଷା କ୍ଷେତ୍ରରେ ଓଡ଼ିଶା ୨୦୨୨-୨୩ ତୁଳନାରେ ୨୦୨୩- ୨୪ରେ ଦୁଇ ଗୁଣା ଉନ୍ନତି କରିଥିବା  ରିପୋର୍ଟରେ ଦର୍ଶାଯାଇଛି ।  ୨୦୨୨-୨୩ର ପରର୍ଫମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ତାଲିକାରେ ଓଡ଼ିଶାର କୌଣସି ଜିଲ୍ଲା ଉତ୍ତମ-୩ ବର୍ଗରେ ନଥିଲା । ମାତ୍ର ୨୦୨୩- ୨୪ ତାଲିକାର ଉତ୍ତମ-୩ ବର୍ଗରେ ରାଜ୍ୟର କେବଳ ଝାରସୁଗୁଡ଼ା ଜିଲ୍ଲା ସ୍ଥାନ ପାଇଛି । ୬ ଶହ  ନମ୍ବରରୁ ଝାରସୁଗୁଡ଼ା ୩୮୩ ସ୍କୋର କରିପାରିଛି । 

୨୦୨୨-୨୩  ତାଲିକାରେ ଓଡ଼ିଶାର ୧୨ ଜିଲ୍ଲା  ପ୍ରଚେଷ୍ଟା-୧ ବର୍ଗରେ ଥିଲା ।  ୨୦୨୩-୨୪ ତାଲିକାରେ ଏହା ଦୁଇ  ଗୁଣ ବୃଦ୍ଧି ପାଇ ୨୪ରେ ପହଞ୍ଚିଛି ।  ପ୍ରଚେଷ୍ଟା-୧ ବର୍ଗରେ ଖୋର୍ଦ୍ଧା,  କଟକ, ନୂଆପଡ଼ା, ଜଗତସିଂହପୁର,  ଅନୁଗୁଳ, କୋରାପୁଟ, ସୁନ୍ଦରଗଡ଼,  ନୟାଗଡ଼, ଢେଙ୍କାନାଳ, ଗଞ୍ଜାମ,  ସମ୍ବଲପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି,  ଭଦ୍ରକ, ସୋନପୁର, ବରଗଡ଼, ମାଲକାନଗିରି, ବାଲେଶ୍ୱର, ଦେବଗଡ଼,  କେନ୍ଦୁଝର, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଓ  ଯାଜପୁର ଜିଲ୍ଲା ସ୍ଥାନ ପାଇଛି । ପ୍ରଚେଷ୍ଟା-୨ ବର୍ଗରେ  ୨୦୨୨-୨୩ ତାଲିକାରେ ଓଡ଼ିଶାର ୧୮ଟି ଜିଲ୍ଲା  ରହିଥିଲା । ୨୦୨୩-୨୪ ବେଳକୁ ଏହି ତାଲିକାରେ  କେବଳ ପୁରୀ, ଗଜପତି, ମୟୂରଭଞ୍ଜ, ନବରଙ୍ଗପୁର  ଓ ରାୟଗଡ଼ା ଜିଲ୍ଲା ରହିଛି । 

ଉଲ୍ଲେଖଯୋଗ୍ୟ,  ରାଜ୍ୟଗୁଡ଼ିକର ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ  ଯାଞ୍ଚ କରି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ  ପରର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ ରିପୋର୍ଟ ପ୍ରକାଶ  କରିଥାଏ । ଏଥିରେ ୬ ବର୍ଗର ୭୪ ସୂଚକାଙ୍କରେ  ୬ଶହ ନମ୍ବରରୁ ମୂଲ୍ୟାୟନ କରାଯାଇଥାଏ । ଶିକ୍ଷକ ଉପଲବ୍ଧି ଓ ବୃତ୍ତିଗତ ଉନ୍ନତି, ଭିତ୍ତିଭୂମି, ସୁବିଧା  ସୁଯୋଗ, ବିଦ୍ୟାଳୟରେ ନିରାପତ୍ତା ବ୍ୟବସ୍ଥା, ଛାତ୍ର  ସୁରକ୍ଷା, ଡିଜିଟାଲ୍‌ ଶିକ୍ଷା, ଉପସ୍ଥାନ, ନେତୃତ୍ୱ ବିକାଶ  ପ୍ରମୁଖ ସୂଚକାଙ୍କୁ ବିଚାରକୁ ନିଆଯାଇଥାଏ ବୋଲି  ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।