ଚଣ୍ଡୀଗଡ଼: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧୫୮ ରନର ଟାର୍ଗେଟ ଦେଇଛି ପଞ୍ଜାବ କିଙ୍ଗସ୍ । ପଞ୍ଜାବ ପକ୍ଷରୁ ଶଶାଙ୍କ ସିଂହ ଅପରାଜିତ ୩୧ ରନ କରିଥିବା ବଳେ ମାର୍କୋ ଜାନସେନ ୨୫ ରନ କରି ଅପରାଜିତ ରହିଛନ୍ତି । ପ୍ରଭସିମରନ ସିଂହ ୩୩ ରନ କରି ଆଉଟ ହୋଇଥିଲେ। ପ୍ରିୟାଂଶ ଆର୍ଯ୍ୟ ୨୨ ରନ୍ କରି ପାଭିଲିୟନ୍‌ ଫେରିଥିଲେ । 

ଆରସିବିର ବୋଲରଙ୍କ ସାମ୍ନାରେ ଅସହାୟ ହୋଇପଡ଼ିଥିଲେ ପଞ୍ଜାବ ବ୍ୟାଟର୍ସ ।  ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିବା ପଞ୍ଜାବ କିଙ୍ଗସ୍‌ ଶଶାଙ୍କ ଏବଂ ଜାନସେନଙ୍କ ବଳରେ ଏକ ସମ୍ମାନଜନକ ସ୍କୋର କରିପାରିଛି । ସେପଟେ ଦଳର ଅଧିନାୟକ ଶ୍ରେୟସ ଆୟର କେବଳ ୬ ରନ୍‌ କରିପାରିଥିଲେ ।  ତାଙ୍କ ବ୍ୟତୀତ ଜୋଶ ଇଂଲିସ ୨୯ ରନ୍‌ ଏବଂ ନେହାଲ ଓ୍ବାଧେରା ୫ ରନ୍‌ କରି ରନ୍‌ ଆଉଟ୍‌ ହୋଇଥିଲେ । ମାର୍କସ ଷ୍ଟୋଇନସ୍‌ ବୋଲ୍ଡ ହୋଇଥିଲେ । 

ଅନ୍ୟପଟେ ଆରସିବି ପାଇଁ କୃଣାଲ ପାଣ୍ଡ୍ୟା ଚମତ୍କାର ବୋଲିଂ କରିଥିଲେ । ସେ ୪ ଓଭରରେ ୨୫ ରନ ଦେଇ ୨ଟି ୱିକେଟ ନେଇଥିଲେ। ସୁୟାଶ ଶର୍ମା ୪ ଓଭରରେ ୨୬ ରନ ଦେଇ ୨ଟି ୱିକେଟ ନେଇଥିଲେ। ରୋମାରିଓ ସେଫର୍ଡ ମଧ୍ୟ ଗୋଟିଏ ୱିକେଟ ପାଇଥିଲେ। ଭୁବନେଶ୍ବର କୁମାର ଏବଂ ଜୋସ୍‌ ହାଜେଲଉଡ୍‌ ଭଲ ବୋଲିଂ କରିଥିଲେ ମଧ୍ୟ ଓ୍ବିକେଟ ନେବାରେ ସଫଳ ହୋଇପାରି ନଥିଲେ ।