ନୂଆଦିଲ୍ଲୀ : ପଞ୍ଜାବ ଲୁଧିଆନାରେ ପୋଲିସକୁ ଏକ ବଡ଼ ସପଳତା ମିଳିଛି । ପୋଲିସର ଏକ ଅପରେସନରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଠାବ କରାଯାଇଛି। ପୋଲିସ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ଗୁରୁତର ଆହତ ହୋଇଛନ୍ତି। ଏହି ଏନକାଉଣ୍ଟର ଲାଡୋୱାଲ ଟୋଲ୍ ପ୍ଲାଜା ନିକଟରେ ହୋଇଛି। ଗିରଫ ଅଭିଯୁକ୍ତ ମାନେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ନେତୃତ୍ବରେ କାର୍ଯ୍ୟ କରୁଥିଲେ।

ରିପୋର୍ଟ ଅନୁଯାୟୀ, ଗ୍ୟାଙ୍ଗଷ୍ଟରଙ୍କ ଠାରୁ ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍ ଏବଂ ପାଞ୍ଚଟି ପିସ୍ତଲ ଜବତ କରାଯାଇଛି। ପୋଲିସ ପୂର୍ବରୁ ସେମାନଙ୍କର ତିନି ସହଯୋଗୀଙ୍କୁ ଗିରଫ କରିଥିଲା, ଯେଉଁମାନେ ବିହାର, ହରିୟାଣା ଏବଂ ପଞ୍ଜାବର ବାସିନ୍ଦା। ପୋଲିସ ଅନୁଯାୟୀ, ଦୁଇ ଖଲିସ୍ତାନୀ ଆତଙ୍କବାଦୀ ନିର୍ଦ୍ଦିଷ୍ଟ ସ୍ଥାନରେ ହ୍ୟାଣ୍ଡ ଗ୍ରେନେଡ୍ ଫିଙ୍ଗିବାର ଯୋଜନା କରିଥିଲେ । ପାକିସ୍ତାନରେ ଥିବା ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତମାନେ ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲେ। ପୋଲିସକୁ ଏ ବିଷୟରେ ସୂଚନା ମିଳିଥିଲା।

ସୂଚନା ପରେ, ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ପୋଲିସ ଏନକାଉଣ୍ଟରରେ ଉଭୟ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହା ପରେ, ପୋଲିସ ପୁଙ୍ଖାନୁପୁଙ୍ଖ ପଚରାଉଚରା କରିବ। ଦୁଇ ଜଣ ଖଲିସ୍ତାନୀଙ୍କ ଏନକାଉଣ୍ଟର ଗିରଫ ହେବା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାଥମିକ ପୋଲିସ ପଚରାଉଚରାରୁ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି। ପୋଲିସ ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ଇଙ୍ଗିତରେ କାମ କରୁଥିଲେ ଏବଂ ଏକ ବଡ଼ ଘଟଣା ଘଟାଇବା ପାଇଁ ପ୍ରସ୍ତୁତ ହେଉଥିଲେ।