ନୂଆଦିଲ୍ଲୀ – ପଞ୍ଜାବରେ ବାରମ୍ୱାର ପୁଲିସ ଥାନା ଓ ଚୌକ ଗୁଡ଼ିକରେ ହେଉଥିବା ଗ୍ରେନେଡ୍ ହମଲା ମଧ୍ୟରେ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି (ଏନଆଇଏ), ପଞ୍ଜାବ ପୁଲିସକୁ ଏକେ ପଞ୍ଜାବୀ କଳାକାରଙ୍କ ଉପରେ ହମଲା ନେଇ ଇନପୁଟ୍ ପଠାଇଛି। ଏହା ମୁତାବିକ, ପଞ୍ଜାବୀ କଳାକାରଙ୍କ ଉପରେ ବିପଦ ଘେରି ଯାଇଛି। ଇନପୁଟ ପରେ ଚଣ୍ଡିଗଡ଼ରେ ହେବାକୁ ଥିବା ପଞ୍ଜାବୀ ଗାୟକ ଏପି ଢିଲ୍ଲୋନଙ୍କ ଶୋ’ର ସୁରକ୍ଷା ବଢି ଯାଇଛି। ଢିଲ୍ଲୋନଙ୍କ ଶୋ’ ଶନିବାର ଚଣ୍ଡିଗଡ଼ରେ ସେକ୍ଟର-୨୫ରେ ହେବ, ଯେଉଁଥିରେ ଦୁଇ ହଜାର ସୁରକ୍ଷାକର୍ମୀ ମୁତୟନ ରହିବେ। ଷ୍ଟେଜ୍ ଯାଏ କେହି ସଦିଗ୍ଧ ବ୍ୟକ୍ତି ଯେମିତି ଯାଇ ପାରିବେ ନାହିଁ , ଏଥିପାଇଁ ୪ କିଲୋମିଟର ଦୂରତା ଯାଏ ପାର୍କିଂ କରାଯାଇଛି। ଶୋ’ର ସୁରକ୍ଷାରେ ଚଣ୍ଡିଗଡ଼ ପୁଲିସର ୬ଜଣ ଡିଏସପି ଓ ୬ ଇନ୍ପପେକ୍ଟର ମଧ୍ୟ ମୁତୟନ ରହିବେ। ସବୁ ଏଣ୍ଟ୍ରି ଉପରେ ମେଟଲ ଡିଟେକ୍ଟର ଲଗାଯାଇଛି। ଏହା ବ୍ୟତୀତ ମୋହାଲୀର ହୋମଲ୍ୟାଣ୍ଡ ସୋସାଇଟିର ସୁରକ୍ଷା ମଧ୍ୟ ବଢାଇ ଦିଆ ଯାଇଛି। ଏଠାରେ ବହୁ ସଂଖ୍ୟାରେ ପଞ୍ଜାବୀ କଳାକାର ରହୁଛନ୍ତି।
ପଞ୍ଜାବରେ ପୁଲିସ ଥାନା ଓ ଚୌକ ଗୁଡ଼ିକ ଉପରେ ବାରମ୍ୱାର ଆତଙ୍କୀ ହମଲା ହେଉଛି। ଗତକାଲି ଗୁରଦାସପୁରର ବଖଶିୱାଲା ପୁଲିସ ଚୌକିରେ ଗ୍ରେନେଡ୍ରେ ହମଲା କରାଯାଇ ଥିଲା। ଆତଙ୍କୀ ସଙ୍ଗଠନ ଖଲିସ୍ତାନ ଜିନ୍ଦାବାଦ ଫୋର୍ସ ଏଥିରେ ନିଜକୁ ଦାୟି କରିଥିଲା। ମାସେ ଭିତରେ ଏହା ୭ମ ଗ୍ରେନେଡ ହମଲା।
ଏହା ହମଲା ପୂର୍ବରୁ ପଞ୍ଜାବରେ ୨୫ ଦିନରେ ୬ଟି ଆତଙ୍କୀ ହମଲା ହୋଇଛି। ଏହି ସବୁ ଆତଙ୍କୀ ହମଲାରେ ପୁଲିସ ଥାନା ଟାର୍ଗେଟ୍ରେ ଥିଲା। ପଞ୍ଜାବରେ ପୁଲିସ ଥାନା ଉପରେ ଗ୍ରେନେଡ୍ ଓ ଆଇଇଡି ଫିଙ୍ଗିବାର ଘଟଣାବୃଦ୍ଧିକୁ ଦେଖି ପୁଲିସ ମୁଖ୍ୟାଳୟ ରାଜ୍ୟର ସବୁ ଥାନାକୁ ରାତି ୧୦ଟା ପରେ ନିଜର ଗେଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଥାନା ଓ ଚୌକ ଗୁଡ଼ିକରେ ସ୍ପେଶାଲ ସିକ୍ୟୁରିଟି ଗ୍ରୁପ୍ର ଯବାନ ମୁତୟନ କରିଛି। ଥାନାର କାନ୍ଥ ଗୁଡ଼ିକୁ ଉଚ୍ଚା କରିବା ସହ ଏଠାରେ ସିସିଟିଭି ଲଗାଯାଉଛି।