ଭୁବନେଶ୍ଵର : ଶ୍ରୀଗୁଣ୍ଡିଚା ଦିନ ନନ୍ଦିଘୋଷ ରଥ ଚଙ୍କିଲାନି। ମାତ୍ର ୧୦ ହାତ ଯାଇ ବଡ଼ଦାଣ୍ଡରେ ଅଟକିଗଲେ ପ୍ରଭୁ। ବଡ଼ ଠାକୁର ବଳଭଦ୍ରଙ୍କ ରଥ ବଳଗଣ୍ଡି ଛକ ଓ ମା ସୁଭଦ୍ରାଙ୍କ ରଥ ମାଉସୀ ମା ଛକରେ ଅଟକିଗଲା। କାହିଁ କେତେବାଟରୁ ଆସିଥିବା ଭକ୍ତ ନିରାଶ ହେଲେ, ପୁଣି ଆଉ ଗୋଟିଏ ଦିନକୁ ଅପେକ୍ଷା କଲେ। ଶନିବାର ଶରଧାବାଲିରେ ଲାଗିଲା ୩ ରଥ। ଯାହା ପୂର୍ବରୁ କେବେ ହୋଇନଥିଲା, ତାହା ରବିବାର ଭୋରୁ ଭୋରୁ ଘଟିଲା ଶରଧାବାଲିରେ। ରଥାରୂଢ଼ ଦିଅଁଙ୍କ ଦିବ୍ୟ ଦର୍ଶନ ବେଳେ ଦଳାଚକଟା, ଆଉ ଭକ୍ତଙ୍କ ମହାପ୍ରୟାଣ। ଚକା ଆଖି ଆଗରେ ଚାଲିଗଲା ୩ ଜୀବନ। ତେବେ ମହାପ୍ରଭୁଙ୍କ ଘୋଷଯାତ୍ରାରେ ଠେଲାପେଲା ଘଟିବା କିଛି ନୂଆ କଥା ନୁହେଁ । ଏପରିକି ରଥ ଚକ ତଳେ ଭକ୍ତ ନିଜକୁ ସମର୍ପିତ କରିବା ରେକର୍ଡ ରହିଛି । ରଥ ଦଉଡ଼ରେ ଛନ୍ଦି ହୋଇ ଜୀବନ ମଧ୍ୟ ଯାଇଛି । ମାତ୍ର ରଥଯାତ୍ରା ପରଦିନ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ଇତିହାସରେ ପ୍ରଥମ।
ମାଉସୀ ମା' ଘରେ ରହଣି ପରେ ଆଜି ନୀଳକନ୍ଦରକୁ ବାହୁଡ଼ିବେ ବାହୁଡ଼ା ବ୍ରହ୍ମ। ଶ୍ରୀଗୁଣ୍ଡିଚା ଦିନ ଯାହା ଘଟିଲା ତାହା ବାହୁଡ଼ା ଦିନ ନଘଟୁ ପ୍ରଭୁ। ଏଥରକ ବାହୁଡ଼ା ଯାତ୍ରା ଅନ୍ତତଃ ବିଭ୍ରାଟ ଓ ବିବାଦ ମୁକ୍ତ ହେଉ। ତୁମେ ତ ବ୍ରହ୍ମାଣ୍ଡ ଠାକୁର। ଜଗତର ନାଥ। ତୁମ ଇଚ୍ଛା ବିନା ପତ୍ରଟିଏ ବି ହଲେନି। ଜାଣତରେ ହେଉ ଅବା ଅଜାଣତରେ ଯଦି କିଛି ତ୍ରୁଟି ହୋଇଛି କ୍ଷମା କରିଦେବେ ମଣିମା। ଆଉ ଅଝଟ ଅଭିମାନ ନକରି ବାହୁଡ଼ି ଆସ।