ପୁରୀ,୦୭/୦୧: ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ନିମନ୍ତେ ପୁରୀରେ ପାଦ ଥାପିଛନ୍ତି ପ୍ରବାସୀ ଭାରତୀୟମାନେ । ସେମାନଙ୍କୁ ମନୋରଞ୍ଜନର ପୂରା ଖୋରାକ ଯୋଗାଇ ଦେବା ଓ ଓଡ଼ିଶାର ସଂସ୍କୃତି  ଐତିହ୍ୟ ସମ୍ପର୍କରେ ସୁଖଦ ଅନୁଭୂତି ଦେବା ନିମନ୍ତେ ପ୍ରଶାସନ ପକ୍ଷରୁ  ଆୟୋଜିତ ହୋଇଛି ପୁରୀ ବେଳାଭୂମି ମହୋତ୍ସବ । ସ୍ୱର୍ଗଦ୍ୱାର ନିକଟ  ଭିକ୍ଟୋରିଆ ହୋଟେଲ ସାମ୍ନା ବେଳାଭୂମିରେ ଏହି ଉତ୍ସବ ଅନୁଷ୍ଠିତ ହେବ । ଯାହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଉଦ୍‌ଘାଟନ  କରିବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶୀ ନୃତ୍ୟ, ଡ୍ରୋନ୍‌ ସୋ ସହ ମଞ୍ଚରେ ସ୍ୱୟଂ  ପାଢ଼ି ଓ ନାଭ୍ୟା ଯାଭତିଙ୍କ ସୁମଧୁର ସଂଗୀତ ଶୁଣିବାକୁ ମିଳିବ । 

ମଙ୍ଗଳବାର ଅପରାହ୍ନ ୪ଟାରେ ହେବାକୁ ଥିବା ଏହି ଉଦ୍‌ଘାଟନୀ  ଉତ୍ସବ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁଭାଷ ବୋଷ ଛକ ଠାରୁ ବେଳାଭୂମି ରାସ୍ତାର ଲାଇଟ୍‌ ହାଉସ୍‌ ଛକ ପର୍ଯ୍ୟନ୍ତ ପୂରା ରାସ୍ତାକୁ ନୋ’  ଭେଇକିଲ ଜୋନ୍‌ କରାଯାଇଛି । ଏହି ଉତ୍ସବ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ  ଚାଲିବ । ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ରାସ୍ତାରେ ଗାଡ଼ି ଚଳାଚଳ ଓ ଗାଡି  ପାର୍କିଂଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ସୁଭାଷ ବୋଷ ଛକରୁ  ଆଚାର୍ଯ୍ୟ ହରିହର ଛକ-ଦିଗବାରିଣୀ ଛକ-ଚୈତନ୍ୟ ଛକ-ଲାଇଟ୍‌ ହାଉସ୍‌  ଛକ ପର୍ଯ୍ୟନ୍ତ ରାସ୍ତାରେ ପ୍ରତ୍ୟେକ ଦିନ ୪ଟାରୁ ରାତି ୧୧ଟା ଭିତରେ ଏହି  କଟକଣା ପାଳନ କରାଯିବ ବୋଲି ଜିଲ୍ଲା ପରିବହନ ବିଭାଗ ପକ୍ଷରୁ  ନିର୍ଦ୍ଦେଶନାମା ଜାରି ହୋଇଛି । ହୋଟେଲରେ ରହୁଥିବା ବ୍ୟକ୍ତି ଓ ଯାତ୍ରୀମାନେ ବିଧିବଦ୍ଧ ପ୍ରମାଣ  ଦେଖାଇଲେ ସେମାନଙ୍କୁ ଏହି ରାସ୍ତାରେ ଯିବାଆସିବା କରିବା ନିମନ୍ତେ ଅନୁମତି ମିଳିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।