ପୁରୀ,୧୦/୦୬: ଦିନକ ପରେ  ସ୍ନାନପୂର୍ଣ୍ଣିମା । ତଥାପି ଏପର୍ଯ୍ୟନ୍ତ ପୌରାଞ୍ଚଳ  ଓ ପୁରୀ ସହରକୁ ସଂଯୋଗ କରୁଥିବା ରାସ୍ତା  ମରାମତି ସରିନାହିଁ । କେବଳ ଶ୍ରୀମନ୍ଦିରଠାରୁ  ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ମଝି  ଅଂଶରେ ପିଚୁ ପକାଯାଇ ଥିବା ବେଳେ ଦୁଇ  ପାଶ୍ୱର୍ ରାସ୍ତାକୁ ମରାମତି କରାଯାଇନାହିଁ । ଏପରିକି ପିଚୁ ପକାଯାଇଥିବା ବେଳେ ଠିକ୍‌  ଭାବେ ରାସ୍ତାକୁ ସମତୁଲ କରା ଯାଉନାହିଁ ।  ଫଳରେ ଖାଲଢ଼ିପ ରହିଛି । ରଥଟଣାରେ ବାଧା ସୃଷ୍ଟି ହେବା ସମ୍ଭାବନା ରହିଛି । ତରବରିଆ  ଭାବେ ବଡ଼ଦାଣ୍ଡ ମରାମତି କରାଯାଉଥିବାରୁ  ଅଳ୍ପ ଦିନରେ ରାସ୍ତା ନଷ୍ଟ ହୋଇଯାଉଛି ।  

ସେହିପରି ବଡ଼ଦାଣ୍ଡରୁ ବିଭିନ୍ନ ସାହିକୁ ସଂଯୋଗ  ହୋଇଥିବା ରାସ୍ତାଗୁଡିକ ଖାଲଖମା ହୋଇରହିଛି ।  ସେହିଭଳି ରାସ୍ତା ଓ ଗୃହନିର୍ମାଣ ଡିଭିଜନ(ପୂର୍ତ୍ତ) ବିଭାଗ ଅଧୀନରେ ଥିବା ୮୭  କିମି ରାସ୍ତାରୁ ଗୋଟିଏ ହେଲେ ରାସ୍ତା ଏପର୍ଯ୍ୟନ୍ତ  ମରାମତି ହୋଇନାହିଁ । ବୀରହରେକୃଷ୍ଣପୁର  ଛକରୁ ପୁରୀ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଉଚ୍ଛେଦ  କାର୍ଯ୍ୟ ଶେଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ରାସ୍ତା  ନିର୍ମାଣ ଆରମ୍ଭ ହୋଇନାହିଁ । ଅଠରନଳାଠାରୁ  ମାଟିଆପଡ଼ା ପର୍ଯ୍ୟନ୍ତ ନବକଳେବର ରୋଡର  କିଛି ସ୍ଥାନରେ ଖାଲ ହେବାସହ ରାସ୍ତା ଦବିଯାଇଛି । 

ଭିଆଇପି ରୋଡ ନେତାଜୀ ସୁଭାଷ ଛକରୁ  ପେଣ୍ଠକଟା ପର୍ଯ୍ୟନ୍ତ ବାରମ୍ବାର ମାପଚୁପ  କରାଯାଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇନାହିଁ । ସେହିଭଳି ରେଳଷ୍ଟେସନରୁ ପୌର  ବସଷ୍ଟାଣ୍ଡ ଏବଂ ଆଶ୍ରମ ଛକ ଦେଇ ତାଳବଣିଆକୁ  ସଂଯୋଗ କରୁଥିବା ରାସ୍ତାରେ ବଡ଼ବଡ଼ ଗର୍ତ୍ତ  ହୋଇଛି । ରେଳ ଷ୍ଟେସନ ସମ୍ମୁଖ ରାସ୍ତାରେ ଖାଲ  ଯୋଗୁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।  ଆଚାର୍ଯ୍ୟ ହରିହର ଛକରୁ ଷ୍ଟଲିଂ ହୋଟେଲ ଏବଂ  କୋକାପାମ ହୋଟେଲ ସମ୍ମୁଖରୁ ପୁରୀ ନୂଆ  ବାଇପାସ ସଂଯୋଗ ରାସ୍ତା ସାରା ଗର୍ତ୍ତ । ରାସ୍ତା  ଓ ଗୃହନିର୍ମାଣ ଡିଭିଜନ ଦାୟିତ୍ୱରେ ଏହିସବୁ  ରାସ୍ତାଗୁଡ଼ିକ ରହିଛି । ସେହିପରି ପୌର ସଦନ  ଛକରୁ ଶ୍ରୀଜଗନ୍ନାଥ ମନ୍ଦିର ଦୋଳମଣ୍ଡପ ସାହି,  ସମୁଦ୍ରକୂଳ ଚୈତନ୍ୟ ଛକରୁ କାକୁଡ଼ିଖାଇ ଛକ  ପର୍ଯ୍ୟନ୍ତ ବାଲିସାହି, ଲୋକନାଥ ମନ୍ଦିରଠାରୁ ଦକ୍ଷିଣ  ଦ୍ୱାର ଲୋକନାଥ ରୋଡ, ମାର୍କଣ୍ଡେଶ୍ୱରସାହି,  ଦାମୋଦର ରୋଡ, ବାସେଳିସାହି, ମଙ୍ଗଳାଘାଟ  ରୋଡ, ଜଟିଆ ବାବା ଛକରୁ ମଙ୍ଗଳା ଘାଟ ଏବଂ  ମାଟିଆପଡାଛକଠୁ ବାଲିଘାଟ ଦେଇ ଭୂଦାନ  ଛକ ପର୍ଯ୍ୟନ୍ତ ରାସ୍ତାଗୁଡିକ ବିପର୍ଯ୍ୟସ୍ତ ଅବସ୍ଥାରେ  ପଡିରହିଛି । ସହରର ରାସ୍ତା ନିର୍ମାଣରେ  ହେଉଥିବା ଦୁର୍ନୀତିର ତଦନ୍ତ କରାଯାଉ ବୋଲି  ସମାଜସେବୀ ହେକ୍ଟର ମିଶ୍ର ମତ ଦେଇଛନ୍ତି । 

ପୌରପାଳିକା ଅଧୀନରେ ରହିଥିବା ପ୍ରାୟ  ୩୦ଟି ରାସ୍ତା ମଧ୍ୟରୁ ଏପର୍ଯ୍ୟନ୍ତ ଗୋଟିଏ ହେଲେ  ରାସ୍ତା ମରାମତି କରାଯାଇନାହିଁ । ରଥଯାତ୍ରା ସମନ୍ୱୟ  କମିଟି ବୈଠକରେ ଗୃହୀତ ନିଷ୍ପତ୍ତିକୁ ଏସବୁ  ବିଭାଗର ଅଧିକାରୀମାନେ କାର୍ଯ୍ୟକାରୀ କରିବାରେ  ଅବହେଳା କରାଯାଉଥିବା ପରିଲକ୍ଷିତ ହୋଇଛି ।  ଏହା ଉପରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ  ରଥଯାତ୍ରା ସମନ୍ୱୟ ବୈଠକରେ ଦାବି କରିଛନ୍ତି।