ପୁରୀ,୧୮/୦୩: ନରେନ୍ଦ୍ର ପୁଷ୍କରିଣୀ ବାଣ  ବିସ୍ଫୋରଣରେ ମୃତ ପରିବାରଙ୍କୁ ସହାୟତା ପ୍ରଦାନ  ପ୍ରସଙ୍ଗ ବିଧାନସଭାରେ ପଡ଼ିଛି । ପୁରୀ ବିଧାୟକ  ସୁନିଲ କୁମାର ମହାନ୍ତିଙ୍କ ଏକ ଲିଖିତ ପ୍ରଶ୍ନର  ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା  ମନ୍ତ୍ରୀ ସୁରେଶ ପୂଜାରୀ । ୨୦୨୪ ମେ’ ୨୯ରେ  ଘଟିଥିବା ଏହି ହୃଦୟ ବିଦାରକ ଘଟଣାରେ କିଏ  ସ୍ୱାମୀ ହରାଇଥିଲା ତ କିଏ ସେମାନଙ୍କ ପୁଅ ଓ  ଝିଅ । ମୃତ ପରିବାର ସଦସ୍ୟମାନଙ୍କୁ ସରକାର  ୪ ଲକ୍ଷ ଟଙ୍କା ଲେଖାଏଁ ଓ ଆହତ ପରିବାର  ସଦସ୍ୟମାନଙ୍କୁ ୨୦ ହଜାର ଲେଖାଏଁ ଆର୍ଥିକ  ସହାୟତା ସରକାରଙ୍କ ତରଫରୁ ଦିଆଯାଇଥିଲା  କି ବୋଲି ସୁନିଲ ପ୍ରଶ୍ନ କରିଥିଲେ । ସ୍ୱାମୀ ଓ ଛୁଆ  ହରାଇଥିବା ପରିବାରରେ ଜଣଙ୍କୁ ଆଉ କ’ଣ ସାହାଯ୍ୟ କରାଯିବ ଓ କେବେ ସୁଦ୍ଧା ତାହା ମଧ୍ୟ  ରାଜସ୍ୱ ମନ୍ତ୍ରୀଙ୍କଠାରୁ ଉତ୍ତର ଲୋଡ଼ିଥିଲେ । 

ଉତ୍ତରରେ ଉଲ୍ଲେଖ କରାଯାଇଥିଲା ଯେ,  ଏହି ଘଟଣାରେ ୧୭ ଜଣ ପ୍ରାଣ ହରାଇଥିଲେ ।  ସରକାରଙ୍କ ତରଫରୁ ସ୍ୱତନ୍ତ୍ର ରିଲିଫ ପାଣ୍ଠିରୁ ୧୬  ଜଣ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ  ସହାୟତା ଦିଆଯାଇଛି । ଜଣେ ମୃତ ବ୍ୟକ୍ତିଙ୍କ  ପରିବାର ଚିହ୍ନଟ ହୋଇପାରିନଥିବାରୁ କୌଣସି  ସହାୟତା ରାଶି ଦିଆଯାଇନାହିଁ । 

ଜିଲ୍ଲା ରେଡକ୍ରସ ପାଣ୍ଠି ପକ୍ଷରୁ ଆର୍ଥିକ  ସହାୟତା ପାଇଁ ନିବେଦନ କରିଥିବା ୮ ମୃତକଙ୍କ  ପରିବାରକୁ ୪୦ ହଜାର ଟଙ୍କା ଲେଖାଏଁ, ୫ ପୀଡ଼ିତଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଓ ୧୩ ଜଣ  ପୀଡ଼ିତାଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ସହାୟତା  ଦିଆଯାଇଛି । 

ମୃତକ ଖଣ୍ଡିଆବନ୍ଧ ବାରବାଟିର ପି. ରାଜୁ  ରାଓ(୩୮), କେ. ରାଜ୍‌ ସ୍ୱାଇଁ(୨), ସୋମ୍ୟରଞ୍ଜନ  ସାହୁ(୧୦), ହେମନ୍ତ ସାହୁ(୩୦), ସମ୍ରିଧୀ ସାହୁ(୩), ସୋମନାଥ ବେହେରା(୧୪), ପ୍ରଶାନ୍ତ  ସାହୁ(୩୫), କେ. ଅଜୁ ରାଓ(୧୦), ପ୍ରତିକ୍ଷ୍ୟା  ସାହୁ(୬), ଦେବଦତ୍ତ ସ୍ୱାଇଁ(୩୫) ଓ ରକେଶ  ପ୍ରଧାନ(୨୩), ବଗଲା ଧର୍ମଶାଳା ନିକଟର  ରଞ୍ଜିତ ପ୍ରଧାନ(୨୭), ମାଟିଆପଡ଼ାର ଋଷିକେଶ  କର୍ମକାର(୧୫), ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦାର  ଶଙ୍କର ବେହେରା(୩୮), କଟକ ଟାଙ୍ଗୀ ଅନ୍ତର୍ଗତ  କୋଠସାହିର ସୁକାନ୍ତ ସାହୁ(୩୫), ଖୋର୍ଦ୍ଧା ଟାଙ୍ଗୀ  ଅନ୍ତର୍ଗତ ଲକ୍ଷ୍ମୀଧରପୁର ଗ୍ରାମର ସୋମ୍ୟକାନ୍ତ  ବରାଳ(୧୭)ଙ୍କ ପରିବାରକୁ ୪ ଲକ୍ଷ ଟଙ୍କା  ଲେଖାଏଁ ସହାୟତା ଦିଆଯାଇଛି ।  

ଏହି ଦୁର୍ଘଟଣାରେ ପ୍ରଭାବିତ ବଗଲା ଧର୍ମଶାଳା  ନିକଟ ବାବୁଲି ପ୍ରଧାନ, ଖଣ୍ଡିଆବନ୍ଧ ବାରବାଟିର  ଲକ୍ଷ୍ମୀପ୍ରିୟା ଭୋଇ, ମାନସ ପ୍ରଧାନ, ସୁଷମା ସ୍ୱାଇଁ,  ସୁରେନ୍ଦ୍ର ରାଉଳ, ଶ୍ରୀଧର ରାଉଳ, ବସନ୍ତ ଭୋଇ,  ଜୟନ୍ତୀ ଗୁମାନସିଂହ, ରାଜୁ ବିଶ୍ୱାଳ, ମାମା ଭୋଇ,  ପି. ପିଙ୍କି ରାଓ, ଦେବରାଜ ଭୋଇ, ପ୍ରଭାତୀ ସାହୁ,  ସସ୍ମିତା ସ୍ୱାଇଁ, ମାନସ ପ୍ରଧାନ, ଅଠରନଳା ଅନ୍ତର୍ଗତ  ନୀଳଚକ୍ରନଗରର ଭିକାରୀ ପାଣ୍ଡା, ତଳନୂଆସାହିର  ମୀନାକ୍ଷୀ ବେହେରା, ହୀରା ବେହେରା ଓ ଗିରିରାଜ  ବେହେରା, ହାଡ଼ଗୋଡ଼ିଆସାହିର ଦେବେନ୍ଦ୍ର ଦାସ,  ଚନ୍ଦନପୁର ଘୋଡ଼ାହାଟର ବସନ୍ତ କୁମାର ସାହୁ,  ବ୍ରହ୍ମଗିରି ଅରଖକୁଦାର ନଛିମଣି ବେହେରା ଓ  ଖୋର୍ଦ୍ଧା ଟାଙ୍ଗୀର ସୁବାସ ବରାଳଙ୍କୁ ମୋଟ ପ୍ରାୟ ୭  ଲକ୍ଷ ୩୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ସହାୟତା  ଦିଆଯାଇଛି । 

ସୂଚନାଥାଉକି, ଏହି ଘଟଣାର ତଦନ୍ତ  ଅତିରିକ୍ତ ଶାସନ ସଚିବ ବା ଆରଡିସି କରିଥିଲେ ।  ହେଲେ ଏପର୍ଯ୍ୟନ୍ତ ଏହି ଘଟଣାରେ ପ୍ରକୃତ ଦୋଷୀଙ୍କୁ ଖୋଜି ବାହାରି କରିବାରେ ସରକାର  ବିଫଳ ହୋଇଛନ୍ତି । କୁମ୍ଭାରପଡ଼ା ପୁଲିସ  ମଧ୍ୟ ମାମଲା କରି ଚୁପ୍‌ ବସି ଯାଇଛି । କେଉଁ ଅଧିକାରୀଙ୍କ ଦାୟିତ୍ୱହୀନତାରୁ ଏତେବଡ଼ ହୃଦୟ  ବିଦାରକ ଘଟଣା ଘଟିଲା ସେ ବାବଦରେ ସମସ୍ତେ  ଚୁପ୍‌ । ମୃତଙ୍କ ଭିତରେ ଥିବା ଅପରିଚିତଙ୍କ  ପରିଚୟ ଖୋଜିବାରେ ପ୍ରଶାସନ ବି ଫେଲ୍‌ ମାରିଛି ।  ସେପଟେ ଏନେଇ ଏନ୍‌ଜିଟିରେ ମାମଲା ପରେ  ୨୦୨୫ ଜାନୁଆରୀ ୯ରେ ହୋଇଥିବା ଆଦେଶ  ମୁତାବକ ପୁରୀ ଜିଲ୍ଲାପାଳ ଅନୁପାଳନ ସତ୍ୟପାଠ  ଦାଖଲ କରିଛନ୍ତି । ଏଥିରେ ଉଲ୍ଲେଖ କରାଯାଇଥିଲା,  ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା ।  ପୋଡ଼ି ଆହତ ହୋଇଥିବା ୪୨ ଜଣଙ୍କ ମଧ୍ୟରୁ ୨୭  ଜଣ ଗୁରୁତର ହୋଇଥିଲେ । ପ୍ରାଣ ହରାଇଥିବା ୧୭  ଜଣଙ୍କ ମଧ୍ୟରୁ ୧୫ ଜଣଙ୍କ ନିକଟତମ ପରିଜନଙ୍କୁ  ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ  କରାଯାଇଛି । ମୃତକଙ୍କ ନିକଟତମ ପରିଜନଙ୍କୁ  ରେଡକ୍ରସ ପାଣ୍ଠିରୁ ୪୦ ହଜାର ଟଙ୍କା ଲେଖାଏଁ  ସହାୟତା ଦିଆଯାଇଛି । କିଛି ଆହତଙ୍କୁ ୨୦ରୁ ୪୦  ହଜାର ଟଙ୍କା ସହାୟତା ଦିଆଯାଇଛି । 

ବାଣ ବିସ୍ଫୋରଣ ଘଟାଇ ଥିବା ବ୍ୟକ୍ତି  ବିଶେଷ ଓ ତାଙ୍କୁ ସହଯୋଗ କରିଥିବା ଅଭିଯୁକ୍ତଙ୍କ  ବିରୋଧରେ ଓଡ଼ିଶା ଫାୟାର ୱାର୍କସ୍‌ ଆଣ୍ଡ୍‌ ଲାଉଡ୍‌  ସ୍ପିକର ରେଗୁଲେସନ ଆକ୍ଟ ୧୯୫୮ ଅନୁଯାୟୀ  କୁମ୍ଭାରପଡ଼ା ଥାନାରେ ମାମଲା ରୁଜୁ ହୋଇଥିଲା ।  ଅଭିଯୁକ୍ତ ଟୁଟୁ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ନାୟକ,  ବୁଦ୍ଧିଆ ଭୋଇ, ଗୋବିନ୍ଦ ନାୟକ ଓ ଚନ୍ଦନ ଭୋଇଙ୍କୁ  ଗିରଫ କରାଯାଇଥିଲା । ମାମଲା ବିଚାରାଧୀନ  ରହିଛି । ଅଘଟଣ ସ୍ଥଳରେ ବାଣ ପ୍ରଦର୍ଶନ  ନିମନ୍ତେ କେହି ଅନୁମତି ଲୋଡ଼ିନଥିଲେ କିମ୍ବା କାହାରିକୁ ଅନୁମତି ଦିଆଯାଇନଥିଲା ।ଏଥିସହିତ  ବାଣ ବିସ୍ଫୋରଣ ସମ୍ବନ୍ଧୀୟ ସମାନ୍ତରାଳ ମାମଲା ଜାତୀୟ ମାନବାଧିକାର ଆୟୋଗ  ଓ ରାଜ୍ୟ ମାନବାଧିକାର ଆୟୋଗରେ ଜାରି  ରହିଥିବା ସତ୍ୟପାଠରେ କୁହାଯାଇଥିଲା ।