ସର୍ବଶକ୍ତିମୟୀ ମା’ଙ୍କ ଉପାସନା ପାଇଁ ଚଳଚଞ୍ଚଳ ପୁରପଲ୍ଲୀ । ମେଢ଼, ସାଜସଜ୍ଜା, ତୋରଣ ଓ ରଙ୍ଗୀନ ଆଲୋକରେ ମଣ୍ଡପକୁ ଆକର୍ଷଣୀୟ କରିବାକୁ ଚାଲିଛି ପ୍ରତିଯୋଗିତା । ଏହି ପ୍ରତିଯୋଗିତାର ଭିଡ଼ରେ ଆଜି ବି ସ୍ୱତନ୍ତ୍ରତା ବଜାୟ ରଖିପାରିଛି ପୁରୀର ଗୋସାଣୀ ପୂଜା । ସର୍ବତ୍ର ଦୁର୍ଗା ମା’ ପୂଜା ପାଉଥିବା ବେଳେ ପୁରୀରେ ପୂଜା ପାଉଛନ୍ତି ଗୋସାଣୀ ଠାକୁରାଣୀ । ପାରମ୍ପରିକ ରିତୀନୀତି, ଶାସ୍ତ୍ରକୁ ଆଧାରରେ ମା’ଙ୍କର ଉପାସନା କରାଯାଉଛି । ବିଶାଳ ଆଖି, ବଳବାନ ଭୁଜ, ବୃହଦାବୟବ, ସ୍ୱତନ୍ତ୍ର ଢାଞ୍ଚା ଯୋଗୁ ଅନ୍ୟ ସ୍ଥାନରେ ପୂଜା ପାଉଥିବା ଦୁର୍ଗା ମୂର୍ତ୍ତି ଓ ଗୋସାଣୀ ମୂର୍ତ୍ତି ମଧ୍ୟରେ ଫରକ ସହଜରେ ବାରି ହୋଇଯାଏ । ଶହଶହ ବର୍ଷ ଧରି ଗୋସାଣୀ ପୂଜା ଏହାର ମୌଳିକତା ବଜାୟ ରଖିଛି । ପାରମ୍ପରିକ କଳାକାର ପ୍ରାକୃତିକ ରଙ୍ଗ ବ୍ୟବହାର କରି ପିଢି ପରେ ପିଢ଼ି ଗୋସାଣୀ ମୂର୍ତ୍ତି ଗଢୁଛନ୍ତି । ମା’ଙ୍କ ମୃଣ୍ମୟୀ ଗୋସାଣୀ ସ୍ୱରୂପର ଦର୍ଶନ ମାତ୍ରେ ମନରେ ଭୟ ଓ ଭକ୍ତି ଆପେ ସୃଷ୍ଟି ହୋଇଯାଏ । ସର୍ବଂସହା ସୃଷ୍ଟିକର୍ତ୍ତା ନାରୀ ଦର୍ପ ବିନାଶୀ ସଂସାରର ସୁରକ୍ଷା କରିପାରେ ବୋଲି ମଧ୍ୟ ପ୍ରମାଣ ମିଳେ ।

ଉପସ୍ଥାପନା ରାଜଶ୍ରୀ ସାହୁ

ଯେବେଠୁ ଶ୍ରୀମନ୍ଦିର, ସେବେଠୁ ଗୋସାଣୀ ଯାତ

ଯେବେଠୁ ଶ୍ରୀମନ୍ଦିରର ସୃଷ୍ଟି ସେବେଠୁ ଗୋସାଣୀ ଯାତର ଆରମ୍ଭ ବୋଲି ଗବେଷକ ମତ ଦିଅନ୍ତି । ଶ୍ରୀମନ୍ଦିରର ନିର୍ମାଣକର୍ତ୍ତା ଚୋଡ଼ଗଙ୍ଗ ଦେବଙ୍କ ରାଜତ୍ୱର ଶେଷ ତଥା ଅନଙ୍ଗ ଭୀମଦେବଙ୍କ ଶାସନର ଅୟମାରମ୍ଭ ସମୟରୁ ଗୋସାଣୀ ଯାତର ଆରମ୍ଭ ହୋଇଥିବା ଇତିହାସ ପୃଷ୍ଠାରୁ ଜଣାପଡ଼େ । ଗୋସାଣୀ ପୂଜା ଓଡ଼ିଶାର ସର୍ବ ପ୍ରାଚୀନ ପୂଜା ବୋଲି ସଂସ୍କୃତି ଗବେଷକ ସିଦ୍ଧାର୍ଥ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଦ୍ୱାଦଶ ଶତାବ୍ଦୀରୁ ଗୋସାଣୀ ଯାତ ଆରମ୍ଭ ହୋଇଛି । ପୁରୀ ଗୋସାଣୀ ପୂଜାର ଦୀର୍ଘ ବର୍ଷ ପରେ କଟକର ଦୁର୍ଗା ପୂଜା ଆରମ୍ଭ ହୋଇଥିବା ଜଣାପଡ଼େ । ଅନ୍ୟ ସ୍ଥାନରେ ନବରାତ୍ର ପାଳନ ହେଉଥିବା ବେଳେ ଏଠାରେ ଷୋଳ ପୂଜାର ବିଧାନ ରହିଛି । ମୂର୍ତ୍ତି ଗଠନ ଢାଞ୍ଚାଠାରୁ ଆରମ୍ଭ କରି ଭୋଗ ପଦ୍ଧତି ଗୋସାଣୀ ପୂଜାର ସ୍ୱତନ୍ତ୍ର ବିଧି ଓ ସ୍ୱତନ୍ତ୍ର ନିୟମ ରହିଛି । ରାଜମାନେ ଯୁଦ୍ଧକୁ ଯିବା ପୂର୍ବରୁ ଦେବୀ ଉପାସନା କରିଯାଇଥାନ୍ତି । ଏଣୁ ଯୁଦ୍ଧରେ ରାଜାଙ୍କ ସୁରକ୍ଷା କରୁଥିବା ମା’ଙ୍କୁ ଉପାସନା କଲେ ପ୍ରଜାମାନେ ମଧ୍ୟ ସୁରକ୍ଷିତ ରହିପାରିବେ ବୋଲି ଚିନ୍ତା କରି ଦେବୀ ଉପାସନାକୁ ସାର୍ବଜନୀନ କରାଯାଇଥିଲା ବୋଲି ଜଣାପଡ଼େ।

ଗୋସ୍ୱାମିନୀରୁ ଗୋସାଣୀର ସୃଷ୍ଟି 

ଗୋସ୍ୱାମିନୀ ଶବ୍ଦରୁ ଗୋସାଣୀ ଶବ୍ଦର ସୃଷ୍ଟି ହୋଇଛି । ଜଗନ୍ନାଥଙ୍କୁ ଅନେକ ଗୋସ୍ୱାମୀ ବୋଲି ଅଭିହିତ କରିଥାନ୍ତି । ଏଣୁ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋସାଣୀ ଜଗନ୍ନାଥଙ୍କର ଶାକ୍ତ ରୂପ ବୋଲି ବିବେଚନା କରାଯାଏ । ଗୋସ୍ୱାମୀର ସ୍ତ୍ରୀ ରୂପ ଗୋସ୍ୱାମିନୀ ଶବ୍ଦ କାଳକ୍ରମେ ଅପଭ୍ରଂଶ ହୋଇ ଗୋସାଣୀ ଭାବେ ପରିଚିତ ହେଲା । ଅନେକଙ୍କ ମତରେ ଗୋସ୍ୱାମୀର ଅର୍ଥ ବୃଷଭସାନରେ ବିରାଜମାନ ଶିବ । ଏଣୁ ଗୋସ୍ୱାମିନୀ ହେଉଛନ୍ତି ଶିବା ବା ଶକ୍ତିମୟୀ ଦୁର୍ଗାଙ୍କର ଅନ୍ୟ ଏକ ସ୍ୱରୂପ । ଅନେକ ପୁରାଣରେ ଦୁର୍ଗା, ମଙ୍ଗଳା, ଚାମଣ୍ଡା ଆଦି ଦେବୀଙ୍କୁ ଗୋସାମଣି ରୂପେ ମଧ୍ୟ ସମ୍ବୋଧିତ କରାଯାଇଛି । ଏଣୁ ଗୋସାଣୀ ଶବ୍ଦର ସୃଷ୍ଟି ଗୋସାମଣିରୁ ହୋଇଥାଇପାରେ ବୋଲି ମଧ୍ୟ କୁହାଯାଏ।

ବିନା ପାରିଶ୍ରମିକରେ ଗଢ଼ନ୍ତି ମୂର୍ତ୍ତି

ଅନ୍ୟ ସ୍ଥାନରେ ପୂଜା ପାଉଥିବା ଦୁର୍ଗା ମୂର୍ତ୍ତି ଓ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋସାଣୀ ମୂର୍ତ୍ତି ମଧ୍ୟରେ ଅନେକ ଫରକ ରହିଛି । ଅନ୍ୟ ସ୍ଥାନରେ ପୂଜିତ ମା’ଙ୍କ ପ୍ରତୀମା ତୁଳନାରେ ଗୋସାଣୀ ମୂର୍ତ୍ତି ଢେର ବଡ଼ । ଏହି ମୂର୍ତ୍ତି ସବୁ କମନୀୟତାଠୁ ବେଶୀ ବୀରତ୍ୱକୁ ବଖାଣିଥାଏ । ଶ୍ରୀମନ୍ଦିର ରୂପକାର ସେବକ ମା’ଙ୍କ ମୂର୍ତ୍ତି ଗଢ଼ିଥାନ୍ତି । ଏଥିପାଇଁ ସେମାନେ ପାରିଶ୍ରମିକ ଗ୍ରହଣ କରନ୍ତି ନାହିଁ । ଦୋଳମଣ୍ଡପ ସାହିସ୍ଥିତ ଜହ୍ନିଖାଇ ଗୋସାଣୀଙ୍କ ମୂର୍ତ୍ତି ଗଢୁଥିବା ରାଜେନ୍ଦ୍ର ମହାପାତ୍ରଙ୍କ କହିବା ମୁତାବକ, ସେମାନେ ପିଢ଼ି ପରେ ପିଢ଼ି ମୂର୍ତ୍ତି ଗଢ଼ି ଆସୁଛନ୍ତି । ମା’ଙ୍କ ମୂର୍ତ୍ତି ଗଢ଼ିବା ପାଇଁ ସେମାନେ ଖୁବ ନିଷ୍ଠାରେ ରୁହନ୍ତି । ଷଷ୍ଠୀ ଓଷାଠାରୁ ମା’ଙ୍କ ମୂର୍ତ୍ତି ଗଢ଼ିବା ପ୍ରକ୍ରିୟା ଆରମ୍ଭ ହୁଏ । ମୂର୍ତ୍ତି ପାଇଁ ସଂପୂର୍ଣ୍ଣ ମାସେ ସମୟ ମିଳେ । ଆଶ୍ୱିନ ଶୁକ୍ଳ ଷଷ୍ଠୀ ସୁଦ୍ଧା ମୂର୍ତ୍ତି ଗଢ଼ିବା ଓ ଏହାକୁ ରଙ୍ଗ ଦେବା କାମ ସାରିବାକୁ ହୁଏ । ଏହି ମାସେ ପର୍ଯ୍ୟନ୍ତ ରୂପକାର ସେବକଙ୍କ ଘରେ ଆମିଷ ପ୍ରବେଶ କରେ ନାହିଁ କି ସେମାନେ ଆମିଷ ଉଷୁନା ଖାଦ୍ୟ ଖାଆନ୍ତି ନାହିଁ । ପୁରୁଷମାନେ ମଣ୍ଡପକୁ ଆସି ମୂର୍ତ୍ତି ଗଢ଼ୁଥିବା ବେଳେ ମହିଳାମାନେ ଘରେ ମାସବ୍ୟାପୀ ମୂର୍ତ୍ତି ପାଇଁ ରଙ୍ଗ ପ୍ରସ୍ତୁତ କରିବାରେ ବ୍ୟସ୍ତ ରୁହନ୍ତି । ହିଙ୍ଗୁଳ, ହରତାଳ, ଶଙ୍ଖ, ଘିଅ କଳା, କଇଁଥ ଅଠା ଆଦିକୁ ବ୍ୟବହାର କରି ମୂର୍ତ୍ତି ପାଇଁ ନାନାଦି ରଙ୍ଗ ପ୍ରସ୍ତୁତ କରିଥାନ୍ତି । ମା’ଙ୍କ କେଶ ପାଇଁ ଛଣପଟ, ଚୂଆ ତେଲ ଆଦି ବ୍ୟବହାର କରାଯାଏ । ଆଧୁନିକତାର ଦୌଡ଼ରେ ବି ଗୋସାଣୀ ମୂର୍ତ୍ତି ଏହାର ଆଧ୍ୟାତ୍ମିକତାକୁ ବଜାୟ ରଖିଛି । ପ୍ରତ୍ୟେକ ଗୋସାଣୀ ମୂର୍ତ୍ତି ପ୍ରସ୍ତୁତ କରିବାକୁ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଉଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା କୌଣସି ଛାଞ୍ଚରେ ପ୍ରସ୍ତୁତ ହେଉନଥିଲେ ବି ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ଗୋସାଣୀଙ୍କର ମୂର୍ତ୍ତି ଅବିକଳ ସମାନ ରୂପର ହୋଇଥାଏ । ମା’ ଆପେ ନିଜକୁ ଗଢ଼ନ୍ତି ଏଣୁ ସବୁ ବର୍ଷ ସମାନ ରୂପରେ ସମାନ ଆକାରରେ ଉଭା ହୁଅନ୍ତି ବୋଲି ରୂପକାର ଶ୍ରୀ ମହାପାତ୍ର କହିଛନ୍ତି । ମୂର୍ତ୍ତି ଗଢ଼ିବା ସମୟରେ ଯଦି ଏହି ପାରମ୍ପରିକ ମୂର୍ତ୍ତି କାରିଗରଙ୍କ ଘରେ ମୃତ୍ତିକିଆ କିମ୍ବା ଛୁତିକିଆ ହୁଏ ତେବେ ତାଙ୍କ ବଦଳରେ ତାଙ୍କର କୌଣସି ସଂପର୍କୀୟ ରୂପକାର ମୂର୍ତ୍ତି ଗଢ଼ିପାରିବେ । ନଚେତ୍‌ ନିର୍ଦ୍ଦିଷ୍ଟ ଗୋସାଣୀ ପାଇଁ ନିର୍ଦ୍ଦିଷ୍ଟ କାରିଗରଙ୍କୁ ଦାୟିତ୍ୱ ମିଳିଥାଏ ।

ବଳି ପଡ଼େ ଜହ୍ନି, କାକୁଡ଼ି, ପାଣିକଖାରୁ

ଶ୍ରୀକ୍ଷେତ୍ରରେ ପୂଜିତ ଗୋସାଣୀମାନଙ୍କର ସ୍ୱତନ୍ତ୍ର ପୂଜାମନ୍ତ୍ର ରହିଛି । କେତେକ ଗୋସାଣୀଙ୍କୁ ଦୁର୍ଗା ମନ୍ତ୍ରରେ ଉପାସନା କରାଯାଉଥିବା ବେଳେ କେତେକ ଗୋସାଣୀଙ୍କୁ ଭୁବନେଶ୍ୱରୀ ମନ୍ତ୍ରରେ ପୂଜା କରାଯାଏ । ତେବେ ସମସ୍ତ ଦେବୀଙ୍କୁ ଭୈରବୀ ମନ୍ତ୍ରରେ ଆବାହାନ କରାଯାଇଥାଏ । ସେହିଭଳି ଦେବୀମାନଙ୍କୁ ସେମାନଙ୍କର ରୁଚି ମୁତାବକ ନୈବେଦ୍ୟ ଅର୍ପଣ କରାଯାଏ । ଶାସ୍ତ୍ରୀୟ ମତକୁ ଗ୍ରହଣ କରି କେତେକ ଗୋସାଣୀଙ୍କ ନିକଟରେ ଆମିଷ ଭୋଗ ଲାଗୁଥିବା ବେଳେ କେତେକ ଦେବୀଙ୍କୁ ସଂପୂର୍ଣ୍ଣ ସାତ୍ୱିକ ନିରାମିଷ ଖାଦ୍ୟ ଅର୍ପଣ କରାଯାଏ । କାକୁଡ଼ିଖାଇଙ୍କ ନିକଟରେ ଛାଗ ବଳି ଦେବାର ପ୍ରଥା ରହିଥିବା ବେଳେ ଦୋଳମଣ୍ଡପ ସାହିର ଜହ୍ନିଖାଇ ପରମବୈଷ୍ଣବୀ । ଜହ୍ନିଖାଇ ମା’ଙ୍କୁ ଭୁବନେଶ୍ୱରୀ ମନ୍ତ୍ରରେ ପୂଜା କରାଯାଇଥାଏ । ଜହ୍ନିଖାଇଙ୍କ ନିକଟରେ ଆମିଷ ଭୋଗ ଲାଗି ହୋଇନଥାଏ । ବିସର୍ଜନ ସମୟରେ ଜହ୍ନିଖାଇ ମା’ଙ୍କୁ ଜହ୍ନି ବଳି ଦିଆଯାଏ । କେତେକ ଗୋସାଣୀଙ୍କ ନିକଟରେ ବଳି ପରିବର୍ତ୍ତେ ଜହ୍ନି, କାକୁଡ଼ି, ପାଣିକଖାରୁ ଇତ୍ୟାଦିକୁ ପଶୁମନ୍ତ୍ରରେ ଅଭିମନ୍ତ୍ରିତ କରି ଭୋଗ କରାଯିବାର ମଧ୍ୟ ଦେଖିବାକୁ ମିଳେ ।

ଅଦ୍ୱିତୀୟ ଏକାଦଶୀ ଦେବୀସଭା

ଶ୍ରୀକ୍ଷେତ୍ର ଗୋସାଣୀ ପୂଜାର ସର୍ବଶ୍ରେଷ୍ଠ ସ୍ୱତନ୍ତ୍ରତା ହେଉଛି ଦେବୀ ସଭା । ଆଶ୍ୱିନ ଶୁକ୍ଳ ଏକାଦଶୀ ତଥା ଦଶହରା ପରଦିନ ବିଭିନ୍ନ ସାହିର ଗୋସାଣୀ ଓ ଅନ୍ୟାନ୍ୟ ମେଢ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକାଠି ହୁଅନ୍ତି । ଏହା ଦେବୀସଭା ବା ଗୋସାଣୀ ମେଳଣ ରୂପେ ପରିଚିତ । ପ୍ରତି ବର୍ଷ ସେହି ଗୋଟିଏ ସ୍ଥାନରେ ହିଁ ଦେବୀମାନେ ବିରାଜମାନ କରନ୍ତି । ସନ୍ଧ୍ୟା ସମୟରେ ଦେବୀମାନେ ଏଠାରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଶ୍ରୀମନ୍ଦିର ଅଁଳା ବେଢ଼ାକୁ ଏକାଦଶୀର ମହାଦୀପ ଉଠିବା ପରେ ଗୋସାଣୀମାନଙ୍କର ଦେବୀଘାଟକୁ ବିଦାୟ ଯାତ୍ରା ଆରମ୍ଭ ହୁଏ । ଏହି ଏକାଦଶୀ ମେଳଣ ଶୁଦ୍ଧପୂତ ଭାବରେ ସଂପାଦନ କରାଯାଏ । ଆସ୍ଥାନରୁ ଉଠିବା ସମୟରେ ଗୋସାଣୀଙ୍କୁ ଉଠିଆରି ପଣା ସମର୍ପଣ ହୋଇ ଚଣ୍ଡୀ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଭଙ୍ଗା ଯାଏ।

ମା’ଙ୍କୁ କାନ୍ଧରେ ନିଅନ୍ତି

ଅନ୍ୟ ସମସ୍ତ ଗୋସାଣୀ ଦେବୀ ସଭାରେ ସାମିଲ ହେଉଥିଲେ ମଧ୍ୟ କାକୁଡ଼ିଖାଇ ସାମିଲ ହୁଅନ୍ତି ନାହିଁ । କାକୁଡ଼ିଖାଇ ଗୋସାଣୀଙ୍କୁ ଦଶହରା ମଧ୍ୟରାତ୍ରରେ ବିସର୍ଜନ କରାଯାଇଥାଏ । କାକୁଡ଼ିଖାଇଙ୍କ ନିକଟରେ ଛାଗ ବଳି ପଡ଼ୁଥିବାରୁ ରକ୍ତପାୟୀ ମା’ଙ୍କ ଦୃଷ୍ଟି ସମକ୍ଷରେ ପଡ଼ିଲେ ଲୋକ ମୃତ୍ୟୁ ଅବଶ୍ୟମ୍ଭାବୀ ବୋଲି ବିଶ୍ୱାସ ରହିଛି । ଏଣୁ ଶ୍ରୀମନ୍ଦିର ଅତିକ୍ରମ କରିବା ପରେ ମାଙ୍କ ମୁହଁରେ କଳାଶାଢ଼ୀ ଢାଙ୍କି ଦିଆଯାଏ । ପୂର୍ବେ ସାହିର ଯୁବକମାନେ କାକୁଡ଼ିଖାଇ ଠାକୁରାଣୀଙ୍କୁ କାନ୍ଧରେ ବସାଇ ବିଭିନ୍ନ ସାହି ବୁଲାଇ ପଙ୍‌କ୍ତି ଭୋଗ ଅର୍ପଣ କରୁଥିଲେ । କିଛି ବର୍ଷ ତଳେ ମଧ୍ୟ ଏହି ପରମ୍ପରା ଜୀବିତ ଥିଲା । ତେବେ ଧୀରେ ଧୀରେ ଠାକୁରାଣୀଙ୍କୁ କାନ୍ଧରେ ବସାଇ ପଙ୍‌କ୍ତି ଭୋଗ ଅର୍ପଣ କରିବାର ପ୍ରଥା ବନ୍ଦ ହୋଇଯାଇଛି।

ବୀରତ୍ୱର ବାର୍ତ୍ତା ଦିଏ ନାଗା ଉପାସନା 

ବୀରଯୋଦ୍ଧାର ମାଟି ଶ୍ରୀକ୍ଷେତ୍ର । ଦୁର୍ଗା ପୂଜା ସମୟରେ ପୁରୀରେ ମା’ଙ୍କ ଉପାସନା ସହ ନାଗା ଉପାସନା ମଧ୍ୟ କରାଯାଇଥାଏ । ଲୋକକଥା ଅନୁଯାୟୀ, ଶ୍ରୀକ୍ଷେତ୍ର ତଥା ଶ୍ରୀବିଗ୍ରହଙ୍କ ସୁରକ୍ଷା ପାଇଁ ରାଜାମାନେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଜାଗା ଆଖଡ଼ା ସୃଷ୍ଟି କରିଥିଲେ । ସେଠାରେ ସାହିର ଯୁବକମାନଙ୍କୁ ସମର କୌଶଳ ପ୍ରଶିକ୍ଷଣ ଦେବା ପାଇଁ ପାଇକ ସର୍ଦ୍ଦାର ରୂପେ ନାଗା ସନ୍ନ୍ୟାସୀଙ୍କୁ ନିଯୁକ୍ତ କରୁଥିଲେ । ସାହିଯାତରେ ନାଗା ବେଶରେ ସମରକଳା ପ୍ରଦର୍ଶନ କରାଯାଏ । ଏହି ବୀରତ୍ୱର ବାର୍ତ୍ତା ସର୍ବବ୍ୟାପୀ କରିବା ପାଇଁ ନାଗା ଉପାସନା ଆରମ୍ଭ ହୋଇଥିଲା । ନାଗାଗୁଡ଼ିକୁ ବନଦୁର୍ଗା ମନ୍ତ୍ରରେ ଉପାସନା କରାଯାଏ । ଗୋସାଣୀଙ୍କ ସହ ବିଶାଳ ନାଗା ମୂର୍ତ୍ତି ବଳିଷ୍ଠ ବୀରମାନଙ୍କର ଗାଥା ବର୍ଣ୍ଣନା କରନ୍ତି । ବଳିଷ୍ଠ ଚେହେରା, ଚଉଡ଼ା ଛାତି, ବୀର ଦୃଷ୍ଟି, ନିଶ, ନାଗା ତାଟି ଓ ମୁଣ୍ଡରେ ଥିବା ହାଣ୍ଡିଆ ପୁରୀର ଜାଗା ଘରର ଐତିହ୍ୟକୁ ଉଦ୍‌ଜୀବିତ କରେ। 

ବୁଢ଼ାବୁଢ଼ୀ ନୃତ୍ୟ 

ଶ୍ରୀକ୍ଷେତ୍ର ଗୋସାଣୀଯାତାର ଅନ୍ୟ ଏକ ଆକର୍ଷଣ ବୁଢାବୁଢ଼ୀ ନାଚ । ଶହଶହ ବର୍ଷ ଧରି ମାର୍କଣ୍ଡେଶ୍ୱର ସାହିସ୍ଥିତ ବଢ଼େଇ ସାହି ପକ୍ଷରୁ ବୁଢ଼ାବୁଢ଼ୀ ନାଚ ବାହାରିଥାଏ । ନିଜ ସାହିର ଛକରେ ସୁଉଚ୍ଚ ଭାଡ଼ି ଉପରେ ମଣ୍ଡପରେ ସପ୍ତମୀଠାରୁ ଆରମ୍ଭ ହୋଇ ଏକାଦଶୀ ଦିନ ବୁଢାବୁଢ଼ୀ ନାଚ ଦେବୀସଭାରେ ସାମିଲ ହୁଏ । ବିଭିନ୍ନ ରଙ୍ଗର ଆଲୁଅରେ ସଜ୍ଜିତ ଗାଡ଼ିର ପଛ ଭାଗରେ ରହି ବୁଢ଼ାବୁଢ଼ୀଙ୍କୁ ନଚାଇଥାନ୍ତି । ବୁଢ଼ାବୁଢ଼ୀ ନାଚରେ ଖଣ୍ଡା ଚାଳନା, ତ୍ରିଶୂଳ ଖେଳ, କଉଡ଼ି ଖେଳ, ବୁଢ଼ାବୁଢ଼ୀ ରାଗ ଋଷା, ଗୁଡ଼ି ଉଡ଼ା ନୃତ୍ୟ ମଧ୍ୟ ହୁଏ । ଏଥିପାଇଁ ସ୍ୱତନ୍ତ୍ର ବାଦ୍ୟ ମଧ୍ୟ ବ୍ୟବହୃତ କରାଯାଏ । ଲୋକକଥା ଅନୁସାରେ, ୨ ଜଣ ବୁଢ଼ାବୁଢ଼ୀ ଆସି ବଢ଼େଇ ସାହିରେ ରହି ଲୋକଙ୍କ ପାଇଁ ସୁକର୍ମ କରୁଥିଲେ । ଏଣୁ ତାଙ୍କ ସ୍ମୃତିରେ ସାହି ପକ୍ଷରୁ ବୁଢ଼ାବୁଢୀ ନୃତ୍ୟ ବାହାରିଥାଏ।

ବିମଳାଙ୍କୁ ମାଛ ଭୋଗ

ଶ୍ରୀକ୍ଷେତ୍ରରେ ପୂଜିତା ମା’ ବିମଳାଙ୍କ ନିକଟରେ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀର ନିଶାର୍ଦ୍ଧରେ ଆମିଷ ଭୋଗ ଲାଗିହୁଏ । ମହାପ୍ରଭୁଙ୍କ ପହୁଡ଼ ନୀତି ପରେ ଦେଉଳ ଶୋଧ ହୋଇ ବିମଳା ମନ୍ଦିର ନିକଟରେ ଥିବା କୂଅ ପାଶ୍ୱର୍ରେ ଆମିଷ ରୋଷେଇ ହୁଏ । ଏଥିନିମନ୍ତେ ଚାଞ୍ଚରେ ଏକ ସ୍ୱତନ୍ତ୍ର ରୋଷେଇଘର ପ୍ରସ୍ତୁତ କରାଯାଇଥାଏ । ଏଠାରେ ମାଛ ଛିଞ୍ଚଡ଼ା ଓ ଖେଚୁଡ଼ି ରୋଷେଇ ହୋଇ ମା’ଙ୍କୁ ସମର୍ପଣ କରାଯାଏ । ବିମଳା ମନ୍ଦିରର ଗର୍ଭ ଗୃହରେ ମା’ଙ୍କ ଛାମୁରେ ପୂଜା ବସେ । ପାଳିଆ ସେବକ ରହି ଧୂପ ଦୀପ ଯୋଗାଇବା ବ୍ୟବସ୍ଥା କରନ୍ତି । ଚିତ୍ର ହୋଇଥିବା ସ୍ଥାନ ବା ନାଟ ମନ୍ଦିରରେ ଛାମୁ ଚଣ୍ଡୀ ହୁଏ । ଛାମୁ ଚଣ୍ଡୀ ଡେଇଁ କି ଯିବା ମନା । ଛାମୁ ଚଣ୍ଡୀ ସାମ୍ନାରେ ଜାପକ, ସ୍ୱସ୍ତି ବାଚକ, ସହସ୍ର ନାମ ପାଠକମାନେ ବସି କର୍ମ କରନ୍ତି । ଧୂପ ଦୀପରେ କାହାଳୀ ବାଜେ ।

କାକୁଡ଼ି ନୈବେଦ୍ୟ ନେଇ ବୋଲାଇଲେ କାକୁଡ଼ିଖାଇ

ଶ୍ରୀକ୍ଷେତ୍ରର କ୍ଷେତ୍ରାଧିଶ୍ୱରୀ ମା’ ବିମଳା । ମା’ ବିମଳାଙ୍କର ପ୍ରତିନିଧି ହେଉଛନ୍ତି କାକୁଡ଼ିଖାଇ । ଲୋକ କଥା ଅନୁଯାୟୀ, ମା’ କାକୁଡ଼ିଖାଇ ପୂର୍ବରୁ ବିମଳେଇ ଠାକୁରାଣୀ ଭାବେ ପରିଚିତ ଥିଲେ । ବାଲିସାହି ନିବାସୀ ଶିବ ଦାସ ବିମଳାଙ୍କର ଜଣେ ବଡ଼ ଭକ୍ତ ଥିଲେ । ଏକଦା ତାଙ୍କ ବାଡ଼ିରେ ଏକ କାକୁଡ଼ି ଗଛ ଉଠିଥିବା ଦେଖି ଏହାର ପ୍ରଥମ ଫଳ ମା’ ବିମଳେଇଙ୍କୁ ସମର୍ପଣ କରିବେ ବୋଲି ସେ ମନସ୍ଥ କରିଥିଲେ । ଆଶ୍ୱିନରେ ମା’ଙ୍କ ମହାପୂଜା ସମୟରେ ସେ ଗଛରେ ଫଳିଥିବା ପ୍ରଥମ କାକୁଡ଼ିଟିକୁ କାଟି ମା’ଙ୍କୁ ଭୋଗ ଲଗେଇଥିଲେ । ପୂଜକ ଶୀତଳ ଭୋଗ ପାତ୍ରରେ କାକୁଡ଼ି ରଖି ପୂଜା ପାଇଁ ବସିଲେ । ମାତ୍ର ପୂଜା ଶେଷ ହେବା ବେଳକୁ ପାତ୍ରରେ କାକୁଡ଼ି ନଥିଲା । ମା’ ବିମଳେଇଙ୍କ ମୁଖରେ କାକୁଡ଼ିର ଅବଶିଷ୍ଠାଂଶ ଲାଗିଥିଲା । ଏଣୁ କାକୁଡ଼ିଟିକୁ ମା’ ସ୍ୱୟଂ ଗ୍ରହଣ କରିଛନ୍ତି ବୋଲି ମନେ କରି ସେବେଠାରୁ ମା’ଙ୍କ ନାମ କାକୁଡ଼ିଖାଇ ରୂପେ ପରିଚିତ ହେଲା । ଏବେ ବି ମା’ଙ୍କୁ ବିସର୍ଜନ କରାଯିବା ସମୟରେ କାକୁଡ଼ି ବଳି ଦିଆଯାଏ ।

୪ଟି ସ୍ଥାନରେ ଜହ୍ନିମୁଣ୍ଡିଆ 

ପୂର୍ବେ ଶ୍ରୀମନ୍ଦିରକୁ କେନ୍ଦ୍ର କରି ବିଭିନ୍ନ ଦିଗରେ ଯଥାକ୍ରମେ ଅଙ୍ଗିରା, ଭୃଗୁ, କଣ୍ଡୁ ଓ ମାର୍କଣ୍ଡେୟ ଋଷିଙ୍କ ନାମରେ ୪ଟି ଆସ୍ଥାନ ପ୍ରତିଷ୍ଠା କରାଯାଇଥିଲା । ଏହି ଆସ୍ଥାନ ପରବର୍ତ୍ତୀ ସମୟରେ ମଣ୍ଡପ ଭାବେ ପରିଚିତ ହେଲା। ଏହି ମଣ୍ଡପକୁ ସ୍ଥାନୀୟ ଭାଷାରେ ଜହ୍ନି ମୁଣ୍ଡିଆ କୁହାଯାଇଥାଏ । ଉକ୍ତ ମଣ୍ଡପରେ ଦଶହରା ସମୟରେ ଅଧିଷ୍ଠିତ ଦେବୀ ଜହ୍ନି ଖାଇ ରୂପେ ଅଭିହିତ। ବର୍ତ୍ତମାନ ଦୋଳମଣ୍ଡପ ସାହି, ବାଲି ସାହି ଏବଂ ଗୌଡ଼ବାଡ଼ ସାହିରେ ଜହ୍ନିଖାଇ ଠାକୁରାଣୀ ପୂଜା ପାଉଛନ୍ତି।