ପୁରୀ,୧୭/୦୪: ଶ୍ରୀକ୍ଷେତ୍ର ମାଟିରେ ହେବ  ସାହିତ୍ୟ, ସଂସ୍କୃତି ଓ ସୃଜନୀର ସଙ୍ଗମ । ଆସନ୍ତା  ଏପ୍ରିଲ ୧୮ରୁ ୨୦ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ  ହେବ ତିନି ଦିନିଆ ଲିଟେରାରୀ ଫେଷ୍ଟିଭାଲ । ଅଧ୍ୟୟନ ଫାଉଣ୍ଡେସନ୍‌ ଫର ପଲିସି ଆଣ୍ଡ୍‌  ରିସର୍ଚ୍ଚ(ଏଏଫ୍‌ପିଆର୍‌), ଭାରତସରକାରଙ୍କ  ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଶା ସରକାର, ଏବଂ ନ୍ୟାସନାଲ୍‌ ବୁକ୍‌ ଟ୍ରଷ୍ଟ(ଏନ୍‌ବିଟି)ର ମିଳିତ  ଆନୁକୂଲ୍ୟରେ ପୁରୀର ତାଜ୍‌ ହୋଟେଲଠାରେ  ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ  ହେବ । କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,  କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟ ଓ ରାଜ୍ୟ ବାହାରର  ଖ୍ୟାତନାମା ସାହିତ୍ୟିକ ଓ ଅନ୍ୟାନ୍ୟ ବ୍ୟକ୍ତିତ୍ୱ ସାମିଲ  ହେବେ । ସଂଳାପ, ପ୍ରଦର୍ଶନ ଏବଂ ବିତର୍କ ମାଧ୍ୟମରେ ଭାରତର ପ୍ରାଚୀନ ଜ୍ଞାନକୁ ଏହାର ସମସାମୟିକ  ମହତ୍ତ୍ୱାକାଂକ୍ଷା ସହିତ ଯୋଡ଼ିବା ହେଉଛି ଏହି  ଐତିହାସିକ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ବୁଧବାର  ପୁରୀର ହୋଟେଲ ଗ୍ରାଣ୍ଡ ରିସୋର୍ଟରେ ଆୟୋଜିତ  ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ପ୍ରଦାନ  କରାଯାଇଛି ।  

ଏହି ଉତ୍ସବର ଉଦ୍‌ଘାଟନ କରିବେ ରାଜ୍ୟ  ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୁରୀ ସାଂସଦ  ସମ୍ବିତ ପାତ୍ର ଯୋଗ ଦେବେ । ସମାପନ ଏବଂ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ବନ୍ଦର, ଜାହଜ  ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌,  କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ  ପ୍ରମୁଖ ଉପସ୍ଥିତ ରହିବେ । ଏହି ଅବସରରେ  ସାହିତ୍ୟ କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ପାଇଁ  ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ରମାକାନ୍ତ ରଥ ସାହିତ୍ୟ  ପୁରସ୍କାରରେ ସମ୍ମାନିତ କରାଯିବ । ଏହି ଉତ୍ସବରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ  ବିଷୟବସ୍ତୁ ସମ୍ପର୍କରେ ଆଲୋଚନା ହେବ । ଓଡ଼ିଶା ୨୦୨୩, ପ୍ରକାଶକ ସମ୍ମିଳନୀ, ସ୍ୱାବଲମ୍ବନ,  ନବସୃଜନ, ସାହିତ୍ୟରେ ମହିଳାଙ୍କ ଅବଦାନ,  ପରିବେଶ, ଆଧୁନିକ ଯୁଗରେ ଇତିହାସ ଲିଖନ,  ବଲିଉଡର ସାଂସ୍କୃତିକ ପ୍ରଭାବ ଏବଂ ଓଡ଼ିଶାର  ସାମାଜିକ-ସାଂସ୍କୃତିକ ବିକାଶ ତଥା ଏକବିଂଶ  ଶତାବ୍ଦୀରେ ଓଡ଼ିଆ ସାହିତ୍ୟ ଆଦି ଉପରେ  ଆଲୋଚନା ରହିବ । 

ଐତିହ୍ୟ ପଦଯାତ୍ରା, ବାଲୁକା  କଳା, ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ ଏବଂ ଓଡ଼ିଆ  ଖାଦ୍ୟର ପରିବେଷଣ ଆଦି କାର୍ଯ୍ୟକ୍ରମର ଆକର୍ଷଣ  ରହିବ । ଐତିହାସିକ ଏବଂ ସାହିତ୍ୟ ଏକାଡେମୀ  ପୁରସ୍କାର ବିଜେତା ବିକ୍ରମ ସମ୍ପଥ, ଜିନ୍ଦଲ  ଫାଉଣ୍ଡେସନ ଅଧ୍ୟକ୍ଷା ତସଲିମା ନସରିନ, ପଦ୍ମଶ୍ରୀ  ମାଳିନୀ ଅବସ୍ଥି, ଶେଫାଳି ବୈଦ୍ୟ, ଶେହଜାଦ  ପୁନାୱାଲା, ଶ୍ରୀରାମ ଚଉଲିଆ, ପ୍ରଯକ୍ତା କୋଲି  ତଥା ଯୁବ ବିଧାୟିକା ଉପାସନା ମହାପାତ୍ର ଏବଂ  ସୋଫିଆ ଫିର୍ଦୋସ କାର୍ଯ୍ୟକ୍ରମରେ ବକ୍ତା ଭାବେ  ସାମିଲ ହେବେ । ପର୍ତ୍ତୁଗାଲ ଏବଂ ଲାଓସରେ ପୂର୍ବତନ ରାଷ୍ଟ୍ରଦୂତ ଜିତେନ୍ଦ୍ରନାଥ ମିଶ୍ର, ସମ୍ବାଦ  ସମ୍ପାଦିକା ତନୟା ପଟ୍ଟନାୟକ, ଦକ୍ଷିଣ ଆଫ୍ରିକାର  ରାଷ୍ଟ୍ରଦୂତ ଅନିଲ ସୁକଲାଲ, ସବ୍ୟସାଚୀ ମିଶ୍ର,  ଜ୍ଞାନ ହୋତା, ଇତିରାଣୀ ସାମନ୍ତ, ଗୌରହରି  ଦାସ, ଦାସ ବେନହୁର, ଦେବପ୍ରସାଦ ଦାସ ଏବଂ  ଅସିତ ମହାନ୍ତି ଏବଂ ଅନ୍ୟାନ୍ୟ ଓଡ଼ିଆ ପ୍ରଖ୍ୟାତ  ବ୍ୟକ୍ତି ଏହି ମହୋତ୍ସବରେ ସାମିଲ ହୋଇ ବିଭିନ୍ନ  ପ୍ରସଙ୍ଗରେ ଅଭିଭାଷଣ ରଖିବେ ।  

"ଭବିଷ୍ୟତର କାର୍ଯ୍ୟପନ୍ଥା’ ଡକ୍ୟୁମେଣ୍ଟ ସହ  ଏହି ଉତ୍ସବର ସମାପନ ହେବ । ଯେଉଁଥିରେ  ଭବିଷ୍ୟତର ସାଂସ୍କୃତିକ ଏବଂ ନୈତିକ  ପଦକ୍ଷେପଗୁଡ଼ିକୁ ମାର୍ଗଦର୍ଶନ କରିବା ପାଇଁ ୨୦ଟି  ଅଧିବେଶନରୁ ମିଳିଥିବା ନିଷ୍କର୍ସ ଉପସ୍ଥାପିତ  ହେବ । ବୁଧବାର ଆୟୋଜିତ ସାମ୍ବାଦିକ  ସମ୍ମିଳନୀରେ ମହୋତ୍ସବର ଆୟୋଜକ ଓମ୍‌  ପ୍ରିୟଦର୍ଶୀ ଛୋଟରାୟ, ଶିବମ୍‌ ରଘୁବଂଶୀ ଏବଂ  ଶଶାଙ୍କ ଶେଖର ସିଂହ, ସୌମେନ୍ଦ୍ର ଦାସ, ରାକେଶ  କୁମାର ବାରିକ, ଅଶ୍ରୁଜିତ ମହାପାତ୍ର, ବିଶ୍ୱଶାନ୍ତି  ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।