ପୁରୀ, ୬/୦୫ : ଗୁଗଲ୍‌ ମ୍ୟାପ୍‌ ସର୍ଚ୍ଚ କରି ଶ୍ରୀମନ୍ଦିର ନିକଟରେ ପହଞ୍ଚିବାକୁ ଚାହୁଁଥିବା ଶ୍ରଦ୍ଧାଳୁ ଭୁଲ ଗଳି ରାସ୍ତାରେ ଆସି ଫସି ଯାଉଛନ୍ତି। ହେଲେ ଆଗକୁ ଆଉ ଏପରି ସମସ୍ୟା ହେବନି । ପୁରୀ ପୁଲିସ ଗୁଗଲ୍‌ ସହ ଆଲୋଚନା କରି ଶ୍ରୀମନ୍ଦିର ସଂଲଗ୍ନ ଗଳି ରାସ୍ତାଗୁଡ଼ିକୁ ରେଡ୍‌ ଜୋନ୍‌ କରିଦେଇଛି । ଏହି ରାସ୍ତାଗୁଡ଼ିକ ଏବେ ଗୁଗଲ୍‌ ମ୍ୟାପ୍‌ରେ ‘ନୋ-ଗୋ’ ଜୋନ୍‌ ଭାବେ ଦେଖାଯାଉଛି । ପୁରୀ ଏସ୍‌ପି ପ୍ରତୀକ୍‌ ସିଂ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହ ଆସନ୍ତା ରଥଯାତ୍ରା ଓ ସୁନାବେଶ ଦିନରେ ଯାତ୍ରୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଯାତାୟାତ ନିଷିଦ୍ଧ ରାସ୍ତା ଏବଂ ନୋ-ଭେହିକିଲ ଜୋନ୍‌ ତଥ୍ୟକୁ ଗୁଗଲ୍‌ରେ ଅପଡେଟ୍‌ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

ଏସ୍‌ପିଙ୍କ କହିବା ଅନୁଯାୟୀ, ରଥଯାତ୍ରା ସମୟରେ ପାର୍କିଂ ସଂଖ୍ୟା ବଢ଼ିବ। ସବୁ ପାର୍କିଂରୁ ଯାତାୟାତ ବ୍ୟବସ୍ଥା ହେବ । ପରିବହନ ବିଭାଗ ମଧ୍ୟ ଟ୍ରାଫିକ୍‌ ନିୟନ୍ତ୍ରଣ ନିମନ୍ତେ ୧୦୦ ଟ୍ରାଫିକ୍‌ ୱାର୍ଡେନ୍‌ ନିଯୁକ୍ତି କରିବ । ଏଥିନିମନ୍ତେ ଟେଣ୍ଡର ହୋଇଛି । ରଥଯାତ୍ରା ବେଳେ ଆସନ୍ନ ବିପଦରେ ଥିବା ଶ୍ରଦ୍ଧାଳୁଙ୍କ ଉଦ୍ଧାର ନିମନ୍ତେ ସ୍ୱତନ୍ତ୍ର ଯୋଜନା ହୋଇଛି । ପ୍ରଶାସନିକ ଜରୁରି ସୂଚନା ଶ୍ରଦ୍ଧାଳୁଙ୍କ ନିକଟରେ ଶୀଘ୍ର ପହଞ୍ଚାଇବା ନିମନ୍ତେ ବିଭିନ୍ନ ମାଧ୍ୟମକୁ ବ୍ୟବହାର କରାଯିବ । ବିଭିନ୍ନ ସ୍ଥାନାରେ ଏଲ୍‌ଇଡି ଲାଗି ସୂଚନା ଜାରି କରାଯିବ । ଆମ୍ବୁଲାନ୍ସ ମୁତୟନ ଓ ଭିଡ଼ ଭିତରେ ଯାତାୟାତ ନିମନ୍ତେ ସ୍ୱତନ୍ତ୍ର ମାର୍ଗଦର୍ଶିକା କରାଯାଇଛି । ରଥଯାତ୍ରା ସମୟରେ ଭିଡ଼ ସ୍ଥାନରେ ୨୪ ଘଣ୍ଟା ଅଫିସର ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରିବେ । ଟାଉନ ଥାନା, କୁମ୍ଭାରପଡ଼ା, ଗୁଣ୍ଡିଚା ମନ୍ଦିର, ବାଗେଡ଼ିଆରେ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ । ଉତ୍ତରାରୁ ପୁରୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସର୍ଭିଲାନ୍ସ ବ୍ୟବସ୍ଥା ରହିବ । ଏଡିଜି (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ଏନେଇ ପଦକ୍ଷେପ ନିଆଯାଉଛି ବୋଲି ଏସ୍‌ପି କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁRatha Khala Update : ତିନି ରଥର ୯ ଚକ ଶେଷ, ନିର୍ମାଣ ଅଗ୍ରଗତି ବୁଝିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ