ଭୁବନେଶ୍ୱର,୩୦/୦୭: ପୁରୀରୁ ରାଉରକେଲା ମଧ୍ୟରେ ଚଳାଚଳ କରୁଥିବା ଦ୍ରୁତ ଏବଂ ଆରାମଦାୟକ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସରେ କୋଚ୍‌  ସଂଖ୍ୟା ଦୁଇଗୁଣ ବଢ଼ିଲା । ଏହି ଟ୍ରେନ ପୂର୍ବରୁ ୮ଟି କୋଚ୍‌ରେ ଚାଲୁଥିବା ବେଳେ ଆସନ୍ତା ଅଗଷ୍ଟ ୭ରୁ ୧୬ଟି କୋଚ୍‌ ସହିତ ଚଳାଚଳ କରିବ । କୋଚ୍‌ ସଂଖ୍ୟା ବଢ଼ାଇବା ପାଇଁ ଆଠଟି ନୂଆ ଏସି ଚେୟାର କାର୍‌ କୋଚ୍‌ ଯୋଡ଼ାଯାଇଛି । ଯାହାଦ୍ୱାରା ଯାତ୍ରୀଙ୍କୁ ଆଉ ଲମ୍ବା ୱେଟିଂ ତାଲିକାରେ ରହିବାକୁ ପଡ଼ିବ ନାହିଁ । କୋଚ୍‌  ସଂଖ୍ୟା ବଢ଼ିବା ପରେ ୧୨ଟି ଏସି ଚେୟାର କାର୍‌ କୋଚ୍‌, ୨ଟି ଏକଜିକ୍ୟୁଟିଭ୍‌ ଚେୟାର କାର୍‌ କୋଚ୍‌ ଏବଂ ୨ଟି କ୍ରିୟୁ ଏବଂ ଏସି ଚେୟାର କାର୍‌ କୋଚ୍‌ ରହିବ । 

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆରମ୍ଭ ଦିନରୁ ପ୍ରବଳ ଚାହିଦା  ରହିଛି । ଏହି ଟ୍ରେନ୍‌ ବର୍ତ୍ତମାନ ୧୧୦%ରୁ ଅଧିକ କ୍ଷମତାରେ ଚଳାଚଳ କରୁଛି ।  ଯାହା ଏହାର ଲୋକପ୍ରିୟତା ଦର୍ଶାଉଛି । ପୁରୀରୁ ରାଉରକେଲା ଯିବା ବେଳେ  ୧୧୨.୭୬% ଚାହିଦା ରହୁଥିବାବେଳେ ରାଉରକେଲାରୁ ପୁରୀକୁ ୧୨୭.୬୪%  ଚାହିଦା ରହୁଛି । ବର୍ଦ୍ଧିତ ଚାହିଦାକୁ ସମୀକ୍ଷା କରିବା ପରେ ପୁରୀ-ରାଉରକେଲା  ବନ୍ଦେ ଭାରତ ଏକ୍ସପ୍ରେସରେ ଅଧିକ କୋଚ ସଂଯୋଗ କରାଯାଇଛି ବୋଲି ପୂର୍ବତଟ  ରେଳପଥର ବରିଷ୍ଠ ଅଧିକାରୀ କହିଛନ୍ତି । କୋଚ ସଂଖ୍ୟା ବଢ଼ିବା ଦ୍ୱାରା ଅଧିକ  ଯାତ୍ରୀ ଲାଭ ପାଇପାରିବେ । ଏହି ଟ୍ରେନ ପ୍ରାୟ ୭.୫ ଘଣ୍ଟାରେ ୫୦୫ କିଲୋମିଟର  ଦୂରତା ଯାତ୍ରା କରିଥାଏ । ଟ୍ରେନ୍‌ଟି ମଙ୍ଗଳବାର ବ୍ୟତୀତ ସପ୍ତାହରେ ଛଅ ଦିନ  ଚଳାଚଳ କରୁଛି । ପୁରୀରୁ ରାଉରକେଲା ମଧ୍ୟରେ ନଅଟି ଷ୍ଟେସନରେ ରହୁଛି ।  ଖୋର୍ଦ୍ଧା ରୋଡ୍‌ ଜଙ୍କସନ୍‌, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ୍‌,  ଅନୁଗୁଳ, ରେଢ଼ାଖୋଲ, ସମ୍ୱଲପୁର ସିଟି ଏବଂ ଝାରସୁଗୁଡ଼ା ଜଙ୍କସନ୍‌ରେ ରହୁଛି।