ପୁରୀ ୨୯/୦୩: ରବିବାର ହରଚଣ୍ଡୀ ସାହି ଯାତ । ଶ୍ରୀମନ୍ଦିର ପରମ୍ପରା କ୍ରମେ ସୀତା ବିବାହ ପ୍ରସ୍ତାବ ଆଗତ ହେବ । ପର୍ଶୁରାମଙ୍କ କଳାହରଣ କରିବେ ପ୍ରଭୁ ଶ୍ରୀରାମ । ସାହିଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିବେ ପର୍ଶୁରାମ । ପୁରୀ ଦାଣ୍ଡରେ ଦେଖିବାକୁ ମିଳିବ ପର୍ଶୁରାମଙ୍କ ବୀର ନୃତ୍ୟ । ପରମ୍ପରା ଅନୁଯାୟୀ ପର୍ଶୁରାମ ହରଚଣ୍ଡୀ ସାହିରୁ ବାହାରି ବନ୍ଧୁସାହି ବାଲିସାହି ଭ୍ରମଣ କରିବେ । ପରେ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ପହଞ୍ଚି ରାମଲୀଳା ନୀତି ସଂପନ୍ନ ହେବ । ଦିନରେ ହରଚଣ୍ଡୀ ସାହି ଭ୍ରମଣ ପରେ ରାତିରେ ବାଲିସାହିକୁ ଯିବ ପଟୁଆର । ହରଚଣ୍ଡୀ ସାହିର ୧୧ ମେଳ(ଜାଗା ଘର) କୁ ନେଇ ବାହାରିବ ଯାତ । ହରଚଣ୍ଡୀ ସାହି ଆଖଡ଼ା ସମନ୍ୱୟ ରକ୍ଷା କରିବ ।
ଏଥର ଜମି ଖୁଣ୍ଟିଆ ଜାଗା ଉପରେ ରହିଛି ପର୍ଶୁରାମ ବନ୍ଧାଇବାର ଦାୟିତ୍ୱ । ସକାଳେ ଓ ରାତିରେ ପର୍ଶୁରାମ ବାହାରି ସାହି ଭ୍ରମଣ କରିବେ । ପ୍ରାତଃ ସମୟରେ ଆଖଡ଼ାରୁ ପର୍ଶୁରାମ ବାହାରି ମଣିକର୍ଣ୍ଣିକା ସାହି, ହଜୁରୀ ଲେନ୍, ଗେଲବାଇଙ୍କ ମନ୍ଦିର, ଗାଣ୍ଡୁଆଚୌରା ଛକ ହୋଇ ବଜନ୍ତରୀ ଗଳି, ପଶ୍ଚିମଦ୍ୱାର ହୋଇ ଗଡ଼ନ୍ତି ଉପର ଭଗବତୀ କୋଟ, ଗୋଛିକାର ସାହି, ଓଡ଼ିଆ ମଠ ଲେନ୍, ବଡ ପୋଖରୀ ଓ ମୁଦୁଲି ଜାଗା ହୋଇ ବାନାମ୍ବର ମନ୍ଦିର, ବଡ଼ ଆଖଡ଼ା ଓ କୁଶୁନ ଖୁଣ୍ଟିଆ ଜାଗା ହୋଇ ପଣାପ୍ରିୟା ଲେନ୍ ଓ ବାରବାଟୀ ଜାଗା, ଜମି ଖୁଣ୍ଟିଆ ଜାଗା, ଶୀତଳ ପିଣ୍ଡା ଓ ମହାସୁଆର ଲେନ୍ ହୋଇ ଓ ହରଚଣ୍ଡୀ ସାହି ହୋଇ ଆଖଡ଼ାରେ ପହଞ୍ଚିବେ । ରାତିରେ ପୁନଃ ଆଖଡ଼ାରୁ ବାହାରି ପଞ୍ଚୁଆତି ଜାଗା, ଗୁଡ଼ିଆ ସାହି, ବାରାହୀ ଲେନ୍, ନାକା କୋଟ ଜାଗା ହୋଇ ବାଲିସାହି ଆଖଡ଼ା, ଅଷ୍ଟସମ୍ଭୁ ମନ୍ଦିର, ଜିଅରସ୍ୱାମୀ ମଠ ସମ୍ମୁଖ ଦେଇ ବାଲି ସାହି ମୁଖ୍ୟ ରାସ୍ତା, ଖୁଣ୍ଟିଆ ସାହି, ଗଛକାଳୀ ମନ୍ଦିର ହୋଇ କଦମ୍ବ ଗଡ଼ ଛକ ହୋଇ ପୁନଃ ବାଲି ସାହି ବଡ଼ଦାଣ୍ଡ ହୋଇ ଜଗନ୍ନାଥ ବଲ୍ଲଭରେ ପହଞ୍ଚି ନୀତି ହେବ ।
ହରଚଣ୍ଡୀ ସାହି ଆଖଡ଼ା ସାଂସ୍କୃତିକ ସମ୍ପାଦକ ତଥା ୪ଥର ପର୍ଶୁରାମ ବନ୍ଧାଇଥିବା ସାହି ଯାତର ବରିଷ୍ଠ ନୃତ୍ୟ ଗୁରୁ ବିପିନ୍ ପତ୍ରୀ କୁହନ୍ତି ବନ୍ଧାଇବା ପରେ ପର୍ଶୁରାମଙ୍କ ଧନୁ ଫାର୍ସା ଧରିବା ପରେ ଅଦ୍ଭୁତ ଶକ୍ତି ଆସିଯାଏ । ଭଗବାନଙ୍କ ଅବତାର ଭାବି ଅନେକ ବୟସ୍କ ବ୍ୟକ୍ତି ମଧ୍ୟ ମୁଣ୍ଡିଆ ମାରନ୍ତି । ସେହି ସମୟର ଅନୁଭୂତି ବର୍ଣ୍ଣନା କରିହେବନି । ଶ୍ରୀ ପତ୍ରୀ କୁହନ୍ତି ଏହି ଅବସରରେ ଜଗନ୍ନାଥ ବଲ୍ଲଭ ପରିସରରେ ହରଚଣ୍ଡୀ ସାହି ପକ୍ଷରୁ ଶ୍ରୀରାମ ଲୀଳାର ସୀତା ବିବାହ ଓ ପର୍ଶୁରାମଙ୍କ କଳାହରଣ ନୀତି ସମ୍ପନ୍ନ ହେବ । ପର୍ଶୁରାମ ସେଠାରେ ପହଞ୍ଚିବା ମଧ୍ୟରେ ଶ୍ରୀମନ୍ଦିରରୁ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଦେବୀ ସେଠାରେ ବିଜେ ହୋଇଥିବେ । ଏସବୁ ତ୍ରେତୟା ଯୁଗର ବିଷୟବସ୍ତୁ ଆଧାରିତ ପ୍ରସଙ୍ଗ । ମିଥିଳା ନରେଶ ଜନକଙ୍କ ସର୍ତ୍ତ ସ୍ୱରୁପ ଶିବଧନୁ ଭଙ୍ଗ କରି ଶ୍ରୀରାମ ରାଜା ଜନକଙ୍କ କନ୍ୟା ସୀତାଦେବୀଙ୍କୁ ବିବାହ କରି ଫେରୁଥାନ୍ତି । ଆନନ୍ଦଉଲ୍ଲାସରେ ପଟୁଆର ଆଗଉଥିବା ବେଳେ ଭୀଷଣ କୋଳାହଳ ସୃଷ୍ଟି ହୋଇଥିଲା । ମହାନ୍ ଯୋଦ୍ଧା ପର୍ଶୁରାମ ସମଗ୍ର ବିଶ୍ୱକୁ କ୍ଷତ୍ରୀୟ ଶୂନ୍ୟ କରିବାକୁ ଶପଥ କରିଥାନ୍ତି । ପଟୁଆରର ପାଟିତୁଣ୍ଡ ପର୍ଶୁରାମଙ୍କ ଧ୍ୟାନ ଭଙ୍ଗ କରିଥିଲା । ସେ ଉତ୍କଷପ୍ତ ହୋଇ ଶ୍ରୀରାମଙ୍କ ସମ୍ମୁଖକୁ ଆସି ଶ୍ରୀରାମଙ୍କ ରଥକୁ ରୋକି ଥିଲେ । ଯୁଦ୍ଧରେ ହରାଇଲେ ପଟୁଆର ଆଗେଇବ ବୋଲି ଘୋଷଣା କରିଥିଲେ । ଶ୍ରୀରାମ ସେଠାରେ ପର୍ଶୁରାମଙ୍କ କଳାହରଣ କରିଥିଲେ । ମହାପ୍ରଭୁ ପର୍ଶୁରାମଙ୍କ ଗର୍ବ ଚୂର୍ଣ୍ଣ କରିଥିଲେ ।
ଅଧିକ ପଢ଼ନ୍ତୁ :- ଶ୍ରୀକ୍ଷେତ୍ର ସାହିଯାତ: ହରଚଣ୍ଡୀ ସାହିରୁ ବାହାରିଲେ ନାକ, କାନ, ଖେଳାଇଲେ ଆତଙ୍କ
ପର୍ଶୁରାମଙ୍କ ପଟୁଆର ସହିତ ହରଚଣ୍ଡୀ ସାହିଆମାନେ ବାଲିସାହିରେ ପହଞ୍ଚିବେ । ସେମାନଙ୍କୁ ଆତିଥେୟତା ଦେଇ ଆପ୍ୟାୟିତ କରିବାକୁ ବାଲିସାହିଆମାନେ ପ୍ରସ୍ତୁତ ରହିଛନ୍ତି । ପର୍ଶୁରାମଙ୍କ ପରେ ପରେ ସହସ୍ରାର୍ଜୁନ, ସପ୍ତଶିରା, ନାଗା ମେଢ଼, ପ୍ରଜ୍ଞାପନ ମେଢ଼ ଆଦି ବାହାରିବ । ଏଥର କୁଶୁନ ଖୁଣ୍ଟିଆ ଜାଗାର ମହାଦେବଙ୍କ ମେଢ଼ ସହ କଳା ଧଳା ବୃଷଭ ତଥା ଆଧ୍ୟାତ୍ମିକ ଶୋଭାଯାତ୍ରା ପ୍ରମୁଖ ଆକର୍ଷଣ ପାଲଟିବ ବୋଲି ଚର୍ଚ୍ଚା ହେଉଛି ।