ମୁମ୍ବାଇ ୦୯/୧୨: ଡିସେମ୍ବର ୫ ତାରିଖରେ ରିଲିଜ୍‌ ହୋଇଥିବା ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା-୨: ଦ ରୁଲ୍‌’ ଲଗାତର ବକ୍ସ ଅଫିସ୍‌ରେ ରେକର୍ଡ କରୁଛି । ତୃତୀୟ ଦିନରେ ଏହା ବିଶ୍ୱସ୍ତରରେ ୫୯୮.୯୦ କୋଟି ବ୍ୟବସାୟ କରିଛି । ଭାରତୀୟ ବକ୍ସ ଅଫିସ୍‌ରେ ଫିଲ୍ମର କଲେକସନ୍‌ ରହିଛି ୩୮୭.୯୫ କୋଟି । ‘ପୁଷ୍ପା-୨’ର ହିନ୍ଦୀ ସଂସ୍କରଣ କେବଳ ୩ ଦିନରେ ୨୦୫ କୋଟି ରୋଜଗାର କରିଛି । ସେ ଦୃଷ୍ଟିରୁ ଏହା ଶାହରୁଖ୍‌ ଖାନ୍‌ଙ୍କ ‘ଯୱାନ’ ଓ ରଣବୀର କପୁରଙ୍କ ‘ଆନିମଲ୍‌’ର ରେକର୍ଡକୁ ଭାଙ୍ଗିଛି ।

‘ଯୱାନ’ ୩ ଦିନରେ ୧୮୦ କୋଟି ଆୟ କରି ରେକର୍ଡ କରିଥିଲା । ସେହିପରି ‘ଆନିମଲ୍‌’ ୩ ଦିନରେ ୧୭୬.୮୫ କୋଟି କଲେକ୍ସନ୍‌ କରିଥିଲା । ଚତୁର୍ଥ ଦିନ ଅର୍ଥାତ୍‌ ରବିବାର ଫିଲ୍ମର ବ୍ୟବସାୟ ଆହୁରି ବୃଦ୍ଧି ହେବ ବୋଲି ଆକଳନ କରାଯାଉଛି । ସୂଚନାଥାଉକି, ରିଲିଜ୍‌ର ଦୁଇ ଦିନ ମଧ୍ୟରେ ଫିଲ୍ମଟି ବିଶ୍ୱସ୍ତରରେ ପ୍ରାୟ ୪୧୫ କୋଟି ଟଙ୍କା ବ୍ୟବସାୟ କରିଥିଲା । ଭାରତୀୟ ବକ୍ସ ଅଫିସ୍‌ରେ ଫିଲ୍ମର କଲେକ୍ସନ୍‌ ୨୬୫ କୋଟି ରହିଥିଲା । ଏହା ପୂର୍ବରୁ ଓପନିଂ ଡେ’ରେ ‘ପୁଷ୍ପା-୨’ ସାରା ବିଶ୍ୱରେ ୨୯୪ କୋଟି ରୋଜଗାର କରିଥିଲା । ଭାରତୀୟ ବକ୍ସ ଅଫିସ୍‌ରେ ଫିଲ୍ମର ଆୟ ୧୭୫.୧ କୋଟି ରହିଥିଲା ।