ନୂଆଦିଲ୍ଲୀ: ଯଦି ଦରକାର ହୁଏ ତେବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟକ୍ରେନର ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କିଙ୍କ ସହ କଥା ହେବେ ବୋଲି କ୍ରେମଲିନ ମଙ୍ଗଳବାର ଘୋଷଣା କରିଛି। ତିନି ବର୍ଷର ଯୁଦ୍ଧପରେ ଋଷ ଓ ଆମେରିକାର କୂଟନୀତିଜ୍ଞମାନେ ସାଉଦି ଆରବରେ ଏକ ବୈଠକ କରିବା ପରେ ଋଷ ପକ୍ଷରୁ ଏହି ଘୋଷଣା ସାମ୍ନାକୁ ଆସିଛି। ତେବେ ଏହି ବୈଠକରେ ୟୁକ୍ରେନର କୌଣସି ଅଧିକାରୀ ସମିଲ ହୋଇ ନଥିଲେ ବୋଲି ସୂଚନା ମିଳିଛି।
“ଯଦି ଆବଶ୍ୟକ ପଡେ ତେବେ ପୁଟିନ ନିଜ ଆଡୁ ଜେଲେନ୍କିଙ୍କ ସହ କଥା ହେବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଆମର ଜେଲେନ୍କିଙ୍କ ନିଷ୍ପତ୍ତି ଉପରେ ଭରଷା ନାହିଁ। ଏଣୁ ଏହି ଆଲୋଚନାରେ ଆମେ କେତେକ ଆଇନଗତ ଚୁକ୍ତିନାମ ସ୍ୱାକ୍ଷରିତ କରିବାକୁ ଚାହୁଁ” ବୋଲି ଋଷର ମୁଖପାତ୍ର ଦିମିତ୍ରି ପେସ୍କୋଭ ଖବର ସରବରାହ ସଂସ୍ଥା ଏଏଫପିକୁ ସୂଚନା ଦେଇଛନ୍ତି।
ଅନ୍ୟପଟେ ଜେଲେନ୍କି “ୟୁକ୍ରେନ ପଛରେ ହେଉଥିବା କୌଣସି ଶାନ୍ତି ଚୁକ୍ତିକୁ ଗ୍ରହଣ କରାଯିବ ନାହିଁ” ବୋଲି ଘୋଷଣା କରିଛନ୍ତି। “ଆମେ ଏକ ସର୍ବଭୈମ ରାଷ୍ଟ୍ର। ତେଣୁ ଆମ ପଛରେ ହେଉଥିବା କୌଣସି ନିଷ୍ପତ୍ତିକୁ ଆମେ ଗ୍ରହଣ କରିବୁ ନାହିଁ” ବୋଲି ସେ ଗତ ସପ୍ତାହରେ କହିଥିଲେ।
ସୀମାକୁ ନେଇ ଉଭୟ ଦେଶ ନିଜ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। କିଭ୍ ପଛକୁ ହଟିଲେ ଆମେ ଯୁଦ୍ଧ ବନ୍ଦ କରିଦେବୁ ବୋଲି ପୁଟିନ ଗତ ବର୍ଷ ଘୋଷଣା କରିଥିଲେ। କିନ୍ତୁ ଏହି ନିଷ୍ପତ୍ତିକୁ ୟୁକ୍ରେନ ଗ୍ରହଣ ନକରି ଯୁଦ୍ଧ ଜାରି ରଖିଥିଲା।
ତେବେ ଆମେରିକୀୟ ରାଷ୍ଟ୍ରପତି ଭାବେ ଟ୍ରମ୍ପ ନିଜର ଦ୍ୱିତୀୟ ପାଳି ଆରମ୍ଭ କରିବା ପରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି। କିଛିଦିନ ତଳେ ଟ୍ରମ୍ପ ଟେଲିଫୋନ ଯୋଗେ ଉଭୟ ଦେଶର ରାଷ୍ଟ୍ରପତିମାନଙ୍କ ସହ କଥା ହୋଇଥିଲେ। ଏହା ନିର୍ଯ୍ୟାସରେ ସୋମବାର ଆମେରିକୀୟ ଓ ଋଷିୟ କୂଟନୀତିଜ୍ଞ ମାନେ ଯୁଦ୍ଧ ବିରାମ ପାଇଁ ସାଉଦି ଆରବରେ ଏକ ବୈଠକର ଆୟୋଜନ କରିଥିଲେ।
ତେବେ କାଲି ଶାନ୍ତି ଚୁକ୍ତି ନେଇ ଆମେରିକା ଓ ଋଷିଆ ମଧ୍ୟରେ ଆଲୋଚନା ହେଉଥିବା ବେଳେ ମଧ୍ୟ ଋଷିଆ କିଭ୍ ରେ ଡ୍ରୋନ ଆକ୍ରମଣ କରିଥିଲା ବୋଲି ୟୁକ୍ରେନର ସାମରିକ ବାହିନୀ ଘୋଷଣା କରିଛି। ଋଷ ସେନା ମୋଟ୍ ୧୭୬ଟି ଡ୍ରୋନ ଯୋଗେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିଲା ବୋଲି ୟୁକ୍ରେନ ବାୟୁ ସେନା ଘୋଷଣା କରିଛି। ତେବେ ଅନେକ ଡ୍ରୋନକୁ ଜାମର ଦ୍ୱାରା ନଷ୍ଟ କରିଦିଆ ଯାଇଥିଲା ବୋଲି ଖବର ସରବାରହ ସଂସ୍ଥା ଏପି ଏକ ରିପୋର୍ଟ ପ୍ରକାଶ କରିଛି।