ନୂଆଦିଲ୍ଲୀ : ରୁଷ୍‌- ୟୁକ୍ରେନ ଯୁଦ୍ଧରେ ବୁଝାମଣା ନେଇ ଆମେରିକା ଲଗାତାର ଚେଷ୍ଟା ଜାରି ରଖିଛି। ଏହି ମଧ୍ୟରେ ଶନିବାର ଏହି ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରୁଷ୍ କହିଛି ଯେ, ସେ ଯୁଦ୍ଧକୁ ନେଇ ୟୁକ୍ରେନ ସହ ବିନା କୌଣସି ପୂର୍ବ ସର୍ତ୍ତରେ ଶାନ୍ତି ବାର୍ତ୍ତା କରିବା ପାଇଁ ପ୍ରସ୍ତୁତ। କ୍ରେନଲିନ୍‌ ଶନିବାର କହିଛି କି, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଏକ ବୈଠକରେ ଆମେରିକୀୟ ରାଷ୍ଟ୍ରଦୂତ ଷ୍ଟିଭ୍ ଭିଟକଫ୍‌ଙ୍କୁ ଏହି କଥା ପାଇଁ  ନିଜର ସହମତି ପ୍ରକାଶ କରିଛନ୍ତି।

କ୍ରେମଲିନ୍‌ର ପ୍ରବକ୍ତା ଡିମିତ୍ରୀ ପେସକୋଭ୍‌ ଏହି ବୈଠକର ସୂଚନା ଦେଇ କହିଛନ୍ତି , ଟ୍ରମ୍ପଙ୍କ ଦୂତ ଭିଟକଫ୍‌ଙ୍କ ସହ କାଲିର କଥାବାର୍ତ୍ତା ବେଳେ ଭ୍ଲାଦିମିର ପୁଟିନ ଦୋହରାଇଛନ୍ତି ଯେ , ରୁଷ୍‌ ବିନା କୌଣସି ପୂର୍ବ ସର୍ତ୍ତରେ ୟୁକ୍ରେନ ସହ ପୁଣି ଥରେ କଥାବାର୍ତ୍ତା ଆରମ୍ଭ କରିବାକୁ ପ୍ରସ୍ତୁତ। ପେସକୋଭ୍‌ କହିଛନ୍ତି ଯେ, ପୁଟିନ ପୂର୍ବରୁ ମଧ୍ୟ ଅନେକ ଥର ଏହି କଥା ଦୋହରାଇ ଥିଲେ। 

ଏହି ମଧ୍ୟରେ ଗତ ଅନେକ ମାସରୁ ସଂଘର୍ଷ ବିରାମର ଚେଷ୍ଟାରେ ଲାଗିଥିବା ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ଧୈର୍ଯ୍ୟ ହରାଇ ବସିଛନ୍ତି। ଶନିବାର ପୋପ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାର ସମୟରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ସାକ୍ଷାତ ପରେ ଟ୍ରମ୍ପ ପୁଟିନଙ୍କ ଉପରେ ରାଗି ଯାଇଥିବା ନଜର ଆସିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି ଯେ, ତାଙ୍କୁ ସନ୍ଦେହ ହେଉଛି ଯେ, ପୁଟିନ୍‌ ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବାକୁ ଚାହାନ୍ତି ବୋଲି। ଏହା ପୂର୍ବରୁ ଶୁକ୍ରବାର ଟ୍ରମ୍ପ କହିଥିଲେ ଖୁବ୍‌ ଶୀଘ୍ର ଡିଲ୍‌ ହେବାର ସେ ଆଶା କରୁଛନ୍ତି।

ପୋପ୍‌ ଫ୍ରାନ୍ସିସ୍‌ଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇ ଆମେରିକା ଫେରିବା ପରେ ଟ୍ରମ୍ପ ଟ୍ରୁଥ୍‌ ସୋସିଆଲରେ ଏକ ପୋଷ୍ଟ ଲେଖି ଥିଲେ , ଗତ କିଛି ଦିନରେ ପୁଟିନ ସାଧାରଣ ଲୋକଙ୍କ ସ୍ଥାନ, ସହର ଓ ନଗର ଗୁଡ଼ିକରେ କ୍ଷେପଣାସ୍ତ୍ର ମାଡ଼ କରୁଛନ୍ତି, ଯାହାର କିଛି ଆବଶ୍ୟକ ନଥିଲା। ଟ୍ରମ୍ପ ଆହୁରି ଲେଖିଛନ୍ତି, ମୋତେ ଲାଗୁଛି ଯେ, ବୋଧହୁଏ ସେ ଯୁଦ୍ଧକୁ ରୋକିବାକୁ ହିଁ ଚାହୁଁ ନାହାନ୍ତି, ସେ କେବଳ ମୋତେ ବୋକା ବନାଉଛନ୍ତି। ଏବେ ବ୍ୟାଙ୍କିଂ ବା ଅନ୍ୟ ପ୍ରତିବନ୍ଧକ ମାଧ୍ୟମରେ ତାଙ୍କ ଠାରୁ ବର୍ତ୍ତିବାକୁ ହେବ ? ଏତେ ଲୋକଙ୍କ ଜୀବନ ଯାଉଛି।