ନୂଆଦିଲ୍ଲୀ,୧୩।୧:  ଇରାନ ଓ ଆମେରିକା ଭିତରେ ଜାରି ବିବାଦ ଭିତରେ ପଶ୍ଚିମ ଏସୀୟ ଦେଶ କତର ମଙ୍ଗଳବାର ଆମେରିକାକୁ ଚେତାବନୀ ଦେଇଛି। ସେ କହିଛି ଯଦି ଆମେରିକା ତା’ର ପଡୋଶୀ ଦେଶ ଉପରେ ଆକ୍ରମଣ କରେ ତେବେ ଫଳାଫଳ ବିନାଶକାରୀ ହେବ। ଦୋହାରେ ଏକ ପ୍ରେସ୍ କନଫ୍ରେନ୍ସରେ କତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାଜେଦ ଅଲ୍-ଅନସାରୀ କହିଛନ୍ତି, ଆମେ ଜାଣିଛୁ କୌଣସି ବିବାଦ ବିନାଶକାରୀ ପରିଣାମ ଆଣିଦେବ। ତେଣୁ ଆମକୁ ଯେତିକି ହେବ ସେତିକି ଏହାଠାରୁ ଦୂରେଇ ରହିବା ଦରକାର।’ ​‌

ଇରାନ ଏବଂ ଆମେରିକା ବିବାଦ ଭିତରେ କତର ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। ଗତ ବର୍ଷ ଜୁନ୍‌ରେ ଯେତେବେଳେ ଆମେରିକା ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା ସେତେବେଳେ ଏହାର ଜବାବରେ ଇରାନ କତରରେ ଥିବା ଆମେରିକାର ଅଲ୍ ଉମିଦ୍‌ ସାମରିକ ଆଡ୍ଡାକୁ ଟାର୍ଗେଟ କରିଥିଲା। ସେତେବେଳେ ଦୋହା ନିଜ ଅଞ୍ଚଳରେ ହୋଇଥିବା ଆକ୍ରମଣ ଫାଇଦା ଉଡାଇ ଓ୍ବାଶିଂଟନ୍‌ ଓ ତେହରାନ ଭିତରେ ଅସ୍ତ୍ରବିରତିରେ ସାହାଯ୍ୟ କରିଥିଲା। କତରକୁ ଭୟ ରହିଛି, ଯଦି ଆମେରିକା ପୁଣିଥରେ ଇରାନ ଉପରେ ଆକ୍ରମଣ କରେ ଏବଂ ପୁଣି ଇରାନ କତରରେ ଥିବା ସାମରିକ ଆଡ୍ଡାକୁ ଟାର୍ଗେଟ କରେ ତେବେ ଏହା ତା ପାଇଁ ବିପଦ ଆଣିବ।

​​​​​​​

ଉଲ୍ଲେଖନୀୟ ଯେ, ଇରାନ ବର୍ତ୍ତମାନ ବିରୋଧ ପ୍ରଦର୍ଶନ ନିଆଁରେ ଜଳୁଛି। ଏହି ହିଂସ୍ର ପ୍ରଦର୍ଶନରେ ଏପର୍ଯ୍ୟନ୍ତ ୨୦୦୦ ଲୋକଙ୍କ ମୃତ୍ୟୁ ହୋଇସାରିଛି। ଏହି ସୁରକ୍ଷାକର୍ମୀ ଏବଂ ସାଧାରଣ ଲୋକ ରହିଛନ୍ତି। ଏହା ଭିତରେ ହ୍ବାଇଟ ହାଉସ ସୋମବାର ଦୋହରାଇଛି ଯେ,ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଦର୍ଶନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଇରାନ ଉପରେ ଏୟାରଷ୍ଟ୍ରାଇକ୍ କରିବା ଉପରେ ବିଚାର କରୁଛି।