କଟକ,୨୫/୦୯: ଇନ୍‌ସର୍ଭିସ୍‌  ଶିକ୍ଷକମାନଙ୍କର ସ୍ୱତନ୍ତ୍ର ଶିକ୍ଷକ  ଯୋଗ୍ୟତା ପରୀକ୍ଷା(ସ୍ପେସାଲ୍‌  ଓଟିଇଟି) ଆସନ୍ତା ୨୭ ତାରିଖରେ  ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା  ପରିଷଦ(ବୋର୍ଡ)ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ  ବୁଧବାର ପ୍ରାଥମିକ ପର୍ଯ୍ୟାୟରେ ୫ଟି ଉପାନ୍ତ ଜିଲ୍ଲା  କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ,  ମାଲକାନଗିରି ଓ ରାୟଗଡ଼ା ଅଭିମୁଖେ  ପ୍ରଶ୍ନପତ୍ର ଯାଇଛି । ପ୍ରଶ୍ନପତ୍ରଗୁଡ଼ିକ ଡିଜି ଲକର୍‌ରେ ରହିଛି । ଦୁଇ  ଜଣ ବନ୍ଧୁକଧାରୀ ପୁଲିସ ଓ ବୋର୍ଡ  କର୍ମଚାରୀଙ୍କ ସହାୟତାରେ ପ୍ରତ୍ୟେକ  ସେଣ୍ଟର୍‌କୁ ପ୍ରଶ୍ନପତ୍ର ପଠା ଯାଉଛି ।  ଆସନ୍ତା ୨୬ ତାରିଖ ସୁଦ୍ଧା ରାଜ୍ୟର  ସମସ୍ତ ୧୯୩ଟି ଯାକ କେନ୍ଦ୍ରରେ  ପ୍ରଶ୍ନପତ୍ର ପହଞ୍ଚିଯିବ ବୋଲି ବୋର୍ଡ  ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ।

ପରୀକ୍ଷାରେ ଅନିୟମିତତା ତଥା  ଭାଇରାଲ୍‌ ଓ କପି ଆଦି ନିୟନ୍ତ୍ରଣ ପାଇଁ ପୂର୍ବ ପରି ପ୍ରତି ପ୍ରଶ୍ନପତ୍ରରେ କ୍ୟୁଆର୍‌ କୋର୍ଡ ଏବଂ ୱାଟର୍‌ ମାର୍କ ରହିଛି । ୧୯୩ଟି ଯାକ ସେଣ୍ଟର୍‌ରେ ସିସିଟିଭି ଖଞ୍ଜା ଯାଇଛି । ଦୁଇଟି  ଯାକ ସିଟିଂରେ ପରୀକ୍ଷା ସମୟର  ଲାଇଭ୍‌ ଭିଡିଓ(ସିଧାପ୍ରସାରଣ) ବ୍ୟବସ୍ଥା ରହିଛି । ଏଥିଲାଗି ବୋର୍ଡ  କାର୍ଯ୍ୟାଳୟରେ ଏକ କମାଣ୍ଡ୍‌ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି । ଉକ୍ତ କଣ୍ଟ୍ରୋଲ୍‌  ରୁମ୍‌ ସହ ରାଜ୍ୟର ୧୯୩ଟି ଯାକ  କେନ୍ଦ୍ର ଯୋଡ଼ି ହୋଇରହିଛି । ପରୀକ୍ଷା  କେନ୍ଦ୍ରରେ ଦୁଇ ଜଣ ଲେଖାଏଁ ସଶସ୍ତ୍ର  ପୁଲିସ ମୁତୟନ ଲାଗି ନିଷ୍ପତ୍ତି  ହୋଇଛି । ଅନ୍ୟପକ୍ଷରେ ପରୀକ୍ଷା  ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ  ଲାଗି ବୋର୍ଡ ପକ୍ଷରୁ ୩୧ଟି ସ୍କ୍ୱାଡ୍‌  ଗଠନ କରାଯାଇଛି ।ଏହାବାଦ୍‌  ଜିଲ୍ଲା ସ୍ତରରେ ଡିଇଓମାନେ ପୃଥକ  ସ୍କ୍ୱାଡ୍‌ ଗଠନ ଲାଗି କୁହାଯାଇଛି ।  ଅନ୍ୟପକ୍ଷରେ ୨୬ ତାରିଖରେ ବର୍ଷା  ଆଶଙ୍କା ଥିବାରୁ ସମସ୍ତ କେନ୍ଦ୍ରରେ  ଜେନେରେଟର୍‌ ବନ୍ଦୋବସ୍ତ କରିବାକୁ  ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  

ଏହି ସ୍ପେସାଲ୍‌ ଓଟିଇଟି ପାଇଁ  ରାଜ୍ୟରେ ଆବେଦନରତ ୭୫  ହଜାରରୁ ଅଧିକ ଇନ୍‌ସର୍ଭିସ ଶିକ୍ଷକଙ୍କ  ମଧ୍ୟରୁ ୨ ହଜାର ୬ ଶହ ଜଣ  ଶାରୀରିକ ଅକ୍ଷମ ପ୍ରାର୍ଥୀ ଥିବା ସୂଚନା  ମିଳିଛି । ଉକ୍ତ ପ୍ରାର୍ଥୀମାନଙ୍କୁ ଅଧିକ  ୫୦ ମିନିଟ୍‌ ସମୟ ଦିଆଯିବ । ଏହି  ପରୀକ୍ଷା ଦୁଇଟି ସିଟିଂରେ ହେବ ।  ପେପର-୧ ପରୀକ୍ଷା ପ୍ରଥମ ସିଟିଂରେ  ସକାଳ ୯ଟାରୁ ଦିନ ୧୧ଟା ୩୦  ମିନିଟ୍‌ ପର୍ଯ୍ୟନ୍ତ ଚାଲିବ । ସେହିପରି  ପେପର-୨ ପରୀକ୍ଷା ଅପରାହ୍ନ ୨ଟାରୁ  ଆରମ୍ଭ ହୋଇ ଅପରାହ୍ନ ୪ଟା ୩୦  ମିନିଟ୍‌ରେ ଶେଷ ହେବ । ପୂର୍ବ ପରି  ସେହି ପୁରୁଣା ପାର୍ଟନ ଅନୁସାରେ ପ୍ରଶ୍ନ  ପ୍ରସ୍ତୁତି କରାଯାଇଥିବା ବୋର୍ଡ ପକ୍ଷରୁ  ସୂଚନା ଦିଆଯାଇଛି ।