ନୂଆଦିଲ୍ଲୀ,୧୬/୦୪; ସାରା ଭାରତ ଆଇପିଏଲ୍ ରୋମାଞ୍ଚରେ ମସଗୁଲ ରହିଥିବାବେଳେ ସବୁ ଆଲୋଚନାଠୁ ଦୂରରେ ରହି ଇତିହାସ ରଚିଛନ୍ତି ଭାରତୀୟ ଚେସ୍ ଖେଳାଳି ତଥା ଗ୍ରାଣ୍ଡମାଷ୍ଟର ଆର ବୈଶାଳୀ । ସାଇପ୍ରସରେ ଚାଲିଥିବା କ୍ୟାଣ୍ଡିଡେଟ୍ସ ଚେସ ଚାମ୍ପିଅନସିପର ମହିଳା ବର୍ଗରେ ଚାମ୍ପିଅନ୍ ହୋଇ ବୈଶାଳୀ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଟାଇଟଲ ଲଢେଇରେ ସେ ଡିଫେଣ୍ଡିଂ ଚାମ୍ପିଅନ ଚୀନ୍ର ଜୁ ୱେନଜୁନଙ୍କୁ ଭେଟିବେ । ପ୍ରଥମ ଭାରତୀୟ ମହିଳା ଚେସ୍ ଖେଳାଳି ଭାବେ ବୈଶାଳୀ କ୍ୟାଣ୍ଡିଡେଟ୍ସ ଚେସ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛନ୍ତି ଓ ଦ୍ୱିତୀୟ ଭାରତୀୟ ମହିଳା ଖେଳାଳି ଭାବେ ବିଶ୍ୱ ଚାମ୍ପିଅନ୍ସିପ ଟାଇଟଲ ପାଇଁ ଯୋଗ୍ୟତା ଲାଭ କରିଛନ୍ତି । ତାଙ୍କ ପୂର୍ବରୁ ଗ୍ରାଣ୍ଡ ମାଷ୍ଟର କନେରୁ ହମ୍ପି ପ୍ରଥମ ଭାରତୀୟ ମହିଳା ଭାବେ ୨୦୧୧ରେ ବିଶ୍ୱ ଚାମ୍ପିଅନ୍ସିଫ ଫାଇନାଲ ଖେଳିଥିଲେ । ସେ ଫିଡେ ଗ୍ରାଣ୍ଡପ୍ରିକ୍ସ ସିରିଜରେ ଶୀର୍ଷ ସ୍ଥାନ ଦଖଲ କରି ବିଶ୍ୱ ଚାମ୍ପିଅନସିପ୍ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲେ ।

କ୍ୟାଣ୍ଡିଡେଟ୍ସ ଚାମ୍ପିଅନସିପ୍ରେ ବୈଶାଳୀ ମୋଟ୍ ୮.୫ ପଏଣ୍ଟ ଅର୍ଜନ କରିଥିଲେ । ଅନ୍ତିମ ରାଉଣ୍ଡ୍‌ରେ ସେ ରୁଷିଆର କାଟେରିନା ଲାଗନୋଙ୍କୁ ହରାଇଥିଲେ । ଅନ୍ତିମ ରାଉଣ୍ଡ ପୂର୍ବରୁ ବୈଶାଳୀ ଓ କାଜାଖସ୍ତାନର ବିବିସାରା ଆସାଉବୟେଭା ୭.୫ ପଏଣ୍ଟ ଲେଖାଏଁ ଅର୍ଜନ କରି ମିଳିତ ଶୀର୍ଷରେ ରହିଥିଲେ । ଆସାଉବୟେଭା ଅନ୍ତିମ ରାଉଣ୍ଡ୍‌ରେ ଭାରତର ଦିବ୍ୟା ଦେଶମୁଖଙ୍କ ସହ ଡ୍ର’ ରଖିଥିଲେ । ଅନ୍ୟ ପଟରେ ବୈଶାଳୀ ବିଜୟ ହାସଲ କରି ଇତିହାସ ରଚିଥିଲେ । ଲାଗନୋ ୪୭ତମ ଗୋଟି ଚାଳନା ପରେ ପରାଜୟ ସ୍ୱୀକାର କରିଥିଲେ । ବୈଶାଳୀଙ୍କୁ ଏହି ଐତିହାସିକ ସଫଳତା ମିଳିଛି । ଏହି ବିଜୟ ସହିତ ବୈଶାଳୀ ମହିଳା ବିଶ୍ୱ ଚେସ୍ ପ୍ରତିଯୋଗିତା ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ବିଶ୍ୱ ମୁକୁଟ ଲଢେଇରେ ତାଙ୍କ ସମ୍ମୁଖରେ ରହିଛନ୍ତି ବିଜୟିନୀ ଚୀନର ଜୁ ୱେଜୁଁ ।

ଏହା ବି ପଢନ୍ତୁ...IPL 2026: ଆଜି ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ ପଞ୍ଜାବ, ଶୀର୍ଷ ସ୍ଥାନ ପାଇଁ ପ୍ରସ୍ତୁତ ଆୟର ବାହିନୀ