ଭୁବନେଶ୍ୱର,୨୬/୦୪: ଚଳିତ ରବି ଋତୁ ପାଇଁ ଆସନ୍ତା ମେ ୧ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଧାନକିଣା ଆରମ୍ଭ ହେବ । ଚଳିତ ଋତୁରେ ୧୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ପ୍ରାୟ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି ଯାହା ଗତବର୍ଷ ତୁଳନାରେ ୧୨୨ ପ୍ରତିଶତ ଅଧିକ । ଚଳିତ ବର୍ଷ କନ୍ଧମାଳ, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ନୂଆ କରି ଧାନକିଣା ଆରମ୍ଭ ହେଉଥିବାବେଳେ ରବି ଋତୁରେ ମୋଟ ୨୦ ଜିଲ୍ଲାରେ ୯୬୫ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନକିଣା ହେବ। ଏଥିରେ ୨୦୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଛନ୍ତି । ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ସୂଚନା ଦିଆଯାଇଛି ।
ଶୁକ୍ରବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଭିଡିଓ କନଫରେନ୍ସିଂରେ ସମ୍ପୃକ୍ତ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀମାନେ ଯୋଗ ଦେଇଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ଧାନକିଣା ପାଇଁ ପ୍ରଶାସନିକ ଓ ବୈଷୟିକ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଯୋଗାଣ ବିଭାଗ ପ୍ରମୁଖ ସଚିବ ଶ୍ରୀ ସିଂ କହିଥିଲେ, ଗତ ଖରିଫ ଋତୁରେ ପ୍ରାୟ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ପ୍ରାୟ ୭୩ ଲକ୍ଷ ୪୫ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିଲା । ଏଥିପାଇଁ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୬ ହଜାର ୮୫୩ କୋଟି ଏବଂ ଇନପୁଟ୍ ସହାୟତା ବାବଦକୁ ୫୮୬୨ କୋଟି ଟଙ୍କା ଦିଆଯାଇଥିଲା । ଯୋଗ୍ୟ ଚାଷୀ ଯେମିତି ଧାନକିଣାରୁ ବଞ୍ଚିତ ନ ହୁଅନ୍ତି ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଉପଗ୍ରହ ଜରିଆରେ ଧାନଜମିର ଫଟୋ ଓ ଡିଜିଟାଲ ଶସ୍ୟ ସର୍ବେକ୍ଷଣକୁ ବ୍ୟବହାର କରି ଚାଷୀଙ୍କୁ ଟୋକନ୍ ପ୍ରଦାନ କରାଯାଉଛି । ବୈଠକରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ମିଶନ ଶକ୍ତି କମିଶନର ତଥା ସଚିବ ଶାଳିନୀ ପଣ୍ଡିତ, ପରିବହନ କମିଶନର ଅମିତାଭ ଠାକୁର, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶୁଭମ୍ ସକ୍ସେନା, ଭାରତୀୟ ଖାଦ୍ୟ ନିଗମ ଓ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗୀର ଅଧିକାରୀମାନେ ଉପସ୍ଥିତ ଥିଲେ ।