ଭୁବନେଶ୍ୱର, ୮।୩: ମେ’ ମାସ ପହିଲାରୁ ରବି ଋତୁରେ ହୋଇଥିବା ବଳକା ଧାନ ମଣ୍ଡିରେ କିଣା ଆରମ୍ଭ ହେବ । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ମେ ୧ରୁ ଆରମ୍ଭ ହୋଇ ରବି ଧାନ କିଣା ପ୍ରକ୍ରିୟା ଜୁନ ୩୦ ତାରିଖ ଯାଏ ଚାଲିବ । ଚଳିତ ବର୍ଷ ମଧ୍ୟ ବାଲେଶ୍ଵର, ବରଗଡ଼, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଆଦି ୨୦ ଜିଲ୍ଲାରେ ରବି ଧାନ କିଣା ହେବ । ଏନେଇ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି ।
ଏହା ବି ପଢ଼ନ୍ତୁ... ଜନ୍ମ ପ୍ରମାଣପତ୍ର ପାଇଁ ମାଗୁଛନ୍ତି ଟଙ୍କା ! ମେଡିକାଲରେ ହୋହାଲ୍ଲା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଭିଭାବକ
ଏନେଇ ଆବଶ୍ୟକ ପଦକ୍ଷେପ ନେ ନେବାକୁ କୁହାଯାଇଛି । ଖରିଫ୍ ଭଳି ଆସନ୍ତା ରବି ଋତୁରେ ମଧ୍ଯ ରାଜ୍ୟରେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣା ହେବ । ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡ୍ (OSCSC) ଚାଷୀଙ୍କ ଅତିରିକ୍ତ ଧାନ କ୍ରୟ କରିବ । ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ), ଲାମ୍ପସ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ପାଣି ପଞ୍ଚାୟତ ମାଧ୍ଯମରେ ଧାନ କିଣା ହେବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବାବଦରେ ପ୍ରତି କୁଇଣ୍ଟାଲ ୨୩୬୯ ଟଙ୍କା ଓ “କୃଷକ ସମୃଦ୍ଧି ଯୋଜନା” ଅଧୀନରେ ଇନପୁଟ୍ ସହାୟତା ବାବଦରେ କୁଇଣ୍ଟାଲ ପ୍ରତି ୭୩୧ ଟଙ୍କା ପ୍ରଦାନ କରାଯିବ ।