ନୂଆଦିଲ୍ଲୀ,୧୨/୦୭: ଏବେ ସାରା ବିଶ୍ୱର  ଟେକ୍ନୋଲୋଜି କମ୍ପାନି ଗୁଡ଼ିକରେ ବଡ଼ ଧରଣର  ଛଟେଇ ଦେଖିବାକୁ ମିଳୁଛି । ବିଶ୍ୱ ବଜାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ  ଗୁରୁତ୍ୱ ଦେଉଥିବାରୁ ଏଭଳି ଛଟେଇ ହେଉଛି ।  ଏଣ୍ଟ୍ରି ସ୍ତରୀୟ ଇଞ୍ଜିନିୟରଙ୍କ କାମକୁ ଏଆଇ ତ୍ୱରିତ ଏବଂ ବେଶ ଭଲ ଭାବେ କରିପାରିବ  ବୋଲି କମ୍ପାନି ସିଇଓ କହୁଛନ୍ତି । ଏଭଳି ସ୍ଥିତିରେ ଏଆଇ ବିକାଶ ଲାଗି ଟେକ୍‌ ପ୍ରତିଭାଙ୍କୁ କମ୍ପାନି ଗୁଡ଼ିକ ଲୋଭନୀୟ ଅଫର ଦେଉଛନ୍ତି ।  

ଗତ ୨ ବର୍ଷରେ ଗୁଗଲ ୧୨ ହଜାର କର୍ମଚାରୀଙ୍କୁ କାଢ଼ି ଦେଲାଣି । କେବଳ ମେ ମାସରେ ବିଦା ହୋଇଛନ୍ତି ୨୦୦ରୁ ଉଦ୍ଧ୍ୱର୍  କର୍ମଚାରୀ । ମାଇକ୍ରୋସଫ୍ଟରୁ ଛଟେଇ ହେଲେଣି ୧୬ ହଜାରରୁ ଉଦ୍ଧ୍ୱର୍ । ଚଳିତ ମାସରେ ଆଉ  ୯ ହଜାର କର୍ମଚାରୀଙ୍କୁ କାଢ଼ି ଦେବ କମ୍ପାନି ।  କେବଳ ଏହି ୨ ପ୍ରମୁଖ ଟେକ୍‌ କମ୍ପାନି ନୁହନ୍ତି ଆମାଜନ, ଇଣ୍ଟେଲ, ସିସ୍‌କୋ, ଏକ୍ସ ଏବଂ ମେଟା  ଭଳି କମ୍ପାନି ମଧ୍ୟ ସମାନ ରାସ୍ତା ଆପଣାଉଛନ୍ତି । 

ଗୋଟିଏ ପଟେ ଏଣ୍ଟ୍ରି ସ୍ତର ଇଞ୍ଜିନିୟରଙ୍କ ଚାକିରି ଯାଉଛି । ଅନ୍ୟ ପଟେ ବଛା ବଛା ଏଆଇ  ପ୍ରତିଭାଙ୍କୁ ମିଳୁଥିବା ବେତନ ପ୍ୟାକେଜ ଆଶ୍ଚର୍ଯ୍ୟ କରିଦେବା ଭଳି । ଟପ୍‌ ଏଆଇ ଇଞ୍ଜିନିୟରଙ୍କୁ  ନିଯୁକ୍ତି ଦେବା ଟ୍ରେଣ୍ଡ୍‌ ମାଇକ୍ରୋସଫ୍ଟର ସତ୍ୟ  ନାଦେଲାଙ୍କଠାରୁ ଆରମ୍ଭ ହୋଇଛି । ଇନଫ୍ଲେକ୍ସନ  ଏଆଇକୁ ଅଧିଗ୍ରହଣ ଲାଗି ମାଇକ୍ରୋସଫ୍ଟ  ୬୫୦ ନିୟୁତ ଡଲାରର ଏକ ଡିଲ୍‌ କରିଛି ।  ଡିପ୍‌ ମାଇଣ୍ଡର ପୂର୍ବତନ ପ୍ରତିଷ୍ଠାତା ମୁସ୍ତାଫା  ସୁଲେମାନ ଏବଂ ତାଙ୍କ ଟିମ୍‌କୁ ରଖିବାକୁ ନାଦେଲା  ଏଭଳି ଡିଲ୍‌ କରିଛନ୍ତି । ତେବେ ପ୍ରମୁଖ ଟେକ୍‌ କମ୍ପାନି ଗୁଗଲ ଆଉ  ପାଦେ ଆଗକୁ ଯାଇ କ୍ୟାରେକ୍ଟର ଏଆଇ ସହ  ୨.୭ ବିଲିୟନ ଡଲାରର ଏକ ଡିଲ୍‌ କରିଛି । ଷ୍ଟାର୍‌  ଏଆଇ ଇଞ୍ଜିନିୟର ନୋଆମ୍‌ ସାଜିରଙ୍କୁ କମ୍ପାନି  ନିଜ ସହ ଯେଡ଼ିଛି । ସେହିଭଳି ଫେସବୁକର  ମୂଳ କମ୍ପାନି ମେଟାରେ ଯୋଗ ଦେବାକୁ ଚାହୁଁଥିବା  ଏଆଇ ପ୍ରତିଭାଙ୍କ ଲାଗି ଜୁକରବର୍ଗ ୧୦୦ ନିୟୁତ  ଡଲାରର ପ୍ୟାକେଜ ରଖିଛନ୍ତି । ଏହାକୁ ଅନେକ  ଗ୍ରହଣ ମଧ୍ୟ କଲେଣି । 

ସ୍କେଲ ଏଆଇର ୪୯% ଅଂଶଧନ ସହ  ଏହାର ପ୍ରତିଷ୍ଠାତା ଆଲେକଜାଣ୍ଡର ୱାଙ୍ଗଙ୍କୁ ନିଜ  ସହ ଯୋଡ଼ିବା ଲାଗି ମେଟା ୧୪.୩ ବିଲିୟନ ଡଲାରର ଅଫର ଦେଇଛି । ସେହିଭଳି ଓପନ ଏଆଇ ସହପ୍ରତିଷ୍ଠାତା ତଥା ଏଆଇ ସୁପରଷ୍ଟାର  ଇଲ୍ୟା ସତସ୍କେଭରଙ୍କୁ ନେବା ଲାଗି ୩୨ ବିଲିୟନ  ଡଲାରର ଅଫର ମଧ୍ୟ କମ୍ପାନି ଦେଇଥିଲା । ତେବେ ଏଆଇ ଯୁଗରେ ଟାଲେଣ୍ଟଙ୍କୁ ନିଯୁକ୍ତି କରିବା ଲାଗି  କମ୍ପାନି କାହିଁକି ବିଲିୟନ ଡଲାର ନିବେଶ କରିବାକୁ  ଚାହୁଁଛନ୍ତି ବୋଲି ପ୍ରଶ୍ନ ଉଠେ । ଏହାର ଉତ୍ତର ହେଲା  ଏଆଇ ବିକାଶ ଲାଗି ମାନବ ପ୍ରତିଭା ଲକଜ୍ୟୁରୀ  ଗୁଡ୍‌ସ ବିବେଚିତ ହୋଇଛି । ପ୍ରତିଭାଙ୍କ ନିକଟରେ  ଥିବା ଜିଜ୍ଞାସା, ସୃଜନଶୀଳତା, ଚିନ୍ତା କରିବାର ଶକ୍ତି,  ଅନୁରକ୍ତି ଏବଂ ଭାଷାଗତ ଲାଳିତ୍ୟର ସ୍ଥାନ ଏଆଇ  କେବେ ନେଇ ପାରିବ ନାହିଁ ।  

ଅନ୍ୟ ଏଆଇର ଦୃଢ଼ ପରିଚାଳନା,  ନେଟୱାର୍କିଂ, ଏଆଇ ସୁରକ୍ଷା, ଆଲ୍‌ଗୋରିଦିମର  ରୁପାନ୍ତରଣ ଭଳି ନେତୃତ୍ୱ ଭିତ୍ତିକ କାମ ପାଇଁ ଏମାନଙ୍କୁ ନିଯୁକ୍ତ କରାଯାଉଛି । ଏଆଇ ଯଦି  ଇଞ୍ଜିନ ହୁଏ ଏହାର ପରିକଳ୍ପନା ଏବଂ ବିକାଶ  ମଣିଷ ହାତରେ । ସେହିଭଳି ମାନବର ଅନ୍ତର୍ଦୁଷ୍ଟି,  ଦୟାଶୀଳତା, ବିଶ୍ୱାସ ଏବଂ ପ୍ରକୃତ ପଣିଆ  ଏଆଇ ଠାରୁ କେବେ ମିଳିବ ନାହିଁ । ମାନବ  ଜାତି ଲାଗି ଏଆଇର ବିଶ୍ୱାସଯୋଗ୍ୟ ବ୍ୟବହାର  ଲାଗି ଦକ୍ଷ ଟିମ୍‌ ଉପରେ ଏବେ କମ୍ପାନିଙ୍କ ନଜର ।