ମୁମ୍ବାଇ ୧୬/୦୪: ଉଭୟ ବଲିଉଡ୍‌ ଓ ଆଞ୍ଚଳିକ ସିନେମାରେ ଦମ୍‌ଦାର ଓ ଅଣପାରମ୍ପରିକ ଭୂମିକା ନିର୍ବାହ କରିଛନ୍ତି ରାଧିକା ଆପ୍‌ଟେ । ଏବେ ସେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି । ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ ଏକ ପାନ୍‌-ଇଣ୍ଡିଆ ପ୍ରୋଜେକ୍ଟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବିଜୟ ସେତୁପତି । ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ତବୁ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ବିଜୟ ସେତୁପତିଙ୍କ ଅପୋଜିଟ୍‌ରେ ନଜର ଆସିବେ ରାଧିକା । ଫିଲ୍ମ ଏବେ ପ୍ରି-ପ୍ରଡକ୍ସନ୍‌ ପର୍ଯ୍ୟାୟରେ ଅଛି । କାଷ୍ଟିଂ ଓ ଅନ୍ୟ ପ୍ରସ୍ତୁତି ଚାଲିଛି । ଆସନ୍ତା ଜୁନ୍‌ରେ ଫିଲ୍ମଟି ସୁଟିଂ ଫ୍ଲୋର୍‌କୁ ଆସିବ ବୋଲି ଆଶା କରାଯାଉଛି ।

ଫିଲ୍ମମେକର୍‌ ଅଦ୍ୟାବଧି ଷ୍ଟାର୍‌କାଷ୍ଟ୍‌ ଓ କ୍ରୁ ଟିମ୍‌ର ନାଁ ଘୋଷଣା କରିନାହାନ୍ତି । ରାଧିକା ତେଲୁଗୁ ଇଣ୍ଡଷ୍ଟ୍ରିରେ ‘ଧୋନି’ ଓ ‘ଲିଜେଣ୍ଡ୍‌’ ଭଳି ଫିଲ୍ମ ଜରିଆରେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିବା ପରେ ସାଉଥ୍‌ ସିନେ ଇଣ୍ଡଷ୍ଟ୍ରିରୁ ବ୍ରେକ୍‌ ନେଇଥିଲେ । ସେ ଏହି ଦମ୍‌ଦାର କମ୍‌ବ୍ୟାକ୍‌ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ହିନ୍ଦୀ, ମରାଠୀ, ତାମିଲ ଓ ବଙ୍ଗଳା ଫିଲ୍ମ ସିନେ ଇଣ୍ଡଷ୍ଟ୍ରିରେ କାମ କରି ସେ ଖୁବ୍‌ ଲୋକପ୍ରିୟତା ହାସଲ କରିଛନ୍ତି । ‘ପ୍ୟାଡ୍‌ ମ୍ୟାନ୍‌’, ‘ଅନ୍ଧାଧୂନ୍‌’, ‘କବାଲି’ ଓ ନେଟ୍‌ଫ୍ଲିକ୍ସ ସିରିଜ୍‌ ‘ସାକ୍ରେଡ୍‌ ଗେମ୍ସ’ରେ ନିଜ ଅଭିନୟ ଦକ୍ଷତାର ପ୍ରମାଣ ସେ ଦେଇ ସାରିଛନ୍ତି । ଅଭିନୟ ସମେତ ରାଧିକା ନିଜର ଅପ୍‌କମିଙ୍ଗ ହିନ୍ଦୀ-ମରାଠୀ ଆକ୍ସନ୍‌- ଫାଣ୍ଟାସି ଫିଲ୍ମ ‘କୋଟ୍ୟା’ ଜରିଆରେ ନିର୍ଦ୍ଦେଶନା ଦୁନିଆରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ।