ଭୁବନେଶ୍ୱର, ୧୧/୦୨ : ଆସନ୍ତା ୧୨ରୁ ଆରମ୍ଭ ହେବାକୁ ଯାଉଛି ରେଡିଓ ମେଳା। ଯାହା ୧୫ ତାରିଖ ପର୍ଯ୍ୟନ୍ତ ଏକାମ୍ର ହାଟରେ ଅନୁଷ୍ଠିତ ହେବ। ଏହା ଦେଶର ଏକମାତ୍ର ରେଡିଓ ମେଳା ବୋଲି ସୂଚନା ଦେଇଛନ୍ତି ଆୟୋଜକ ସଂସ୍ଥା ଆଉଟ୍ରିଚର ମୁଖ୍ୟ ସୁବ୍ରତ କୁମାର ପତି। ଦ୍ୱାଦଶ ଥର ପାଇଁ ଏହି ରେଡିଓ ମେଳା ବିଶ୍ୱ ରେଡିଓ ଦିବସ ଅବସରରେ ଆୟୋଜିତ ହେଉଛି। ଶହଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମଫୋନ, ପ୍ରସାରଣ ସାମଗ୍ରୀ, ବିଭିନ୍ନ ପ୍ରକାର ୱାକି ଟକି ସହ ହୋମ୍ ରେଡିଓର ପ୍ରଦର୍ଶନୀ ମେଳାର ଆକର୍ଷଣ ସାଜିବ। ଅନେକ ରେଡିଓ ଚ୍ୟାନେଲ ମେଳାରେ ନିଜର ଷ୍ଟଲ ଖୋଲିବେ।

ଚଳିତ ବର୍ଷ ଆଉଟ୍ରିଚ୍ ଅନ୍ତର୍ଜାତୀୟ ରେଡିଓ ମେଳାରେ ସାମିଲ ହେବେ ବିଭିନ୍ନ ରାଜ୍ୟର ଲାଇସେନ୍ସ ପ୍ରାପ୍ତ ହୋମ୍ ରେଡିଓ ଅପରେଟର। ଏହି ଅପରେଟରମାନେ ହୋମ୍ ରେଡିଓ ସମେତ ଏମରଜେନ୍ସି ରେଡିଓର ପ୍ରଦର୍ଶନୀ ଆୟୋଜନ କରିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସମିତି(ଓସ୍ଡମା) ପକ୍ଷରୁ ଓଡ୍ରାଫ ଓ ହୋମ୍ ରେଡ଼ିଓ ଅପରେଟରମାନଙ୍କ ସହାୟତାରେ ଏପରି ଏକ ଷ୍ଟଲ ଖୋଲାଯିବ। ରେଡିଓ ମେଳାର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଶହଶହ ସଂଖ୍ୟାରେ ପ୍ରଦର୍ଶିତ ହେଉଥିବା ପୁରୁଣା ରେଡ଼ିଓ। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ରେଡିଓ ସଂଗ୍ରାହକମାନେ ୩ ହଜାରରୁ ଅଧିକ ରେଡ଼ିଓ ଏଠାରେ ପ୍ରଦର୍ଶିତ କରିବେ। ପ୍ରତିବର୍ଷ ପରି ଏଥର ରେଡିଓ ମେଳାରେ ବିଭିନ୍ନ ପ୍ରକାର ରେଡିଓ ସେଟ୍ ବିକ୍ରି ହେବ। ମୁମ୍ବାଇରୁ ଆସିଥିବା ଫୋନାଗ୍ରାଫିକ ପରଫରମାନ୍ସ ଇଣ୍ଡିଆ କମ୍ପାନୀ ପକ୍ଷରୁ ରେଡିଓ ମେଳାରେ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯିବ। ଏହି ଷ୍ଟଲ ଜରିଆରେ ରେଡିଓରେ ଆଇନଗତ ସଂଗୀତ ପ୍ରସାରଣ ଉପରେ ସଚେତନତା ସୃଷ୍ଟି କରାଯିବ।

ଏଥର ରେଡିଓ ମେଳାରେ ରାଜ୍ୟର ଅନେକ କମ୍ୟୁନିଟି ରେଡିଓ ଷ୍ଟେସନ ଯୋଗ ଦେଉଛନ୍ତି। କମ୍ୟୁନିଟି ରେଡିଓ ଜରିଆରେ ଗ୍ରାହକ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯିବ। ଏହାଛଡ଼ା ଉପକୂଳବର୍ତ୍ତୀ ଜିଲ୍ଲାର ରେଡିଓ ପ୍ରସାରକମାନଙ୍କ ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓ ଆଉଟ୍ରିଚ ପକ୍ଷରୁ ମିଳିତ ଭାବେ ଏକ ଦୁଇ ଦିନିଆ କର୍ମଶାଳାର ଆୟୋଜନ ହୋଇଛି। ବିପର୍ଯ୍ୟୟ ସମୟରେ ରେଡିଓର ଭୂମିକା ସମ୍ପର୍କରେ ସଚେତନ କରିବା ପାଇଁ ଏହି କର୍ମଶାଳାରେ ପ୍ରଶିକ୍ଷଣ ଦିଆଯିବ। ରେଡିଓ ମେଳାରେ ଛାତ୍ରଛାତ୍ରୀଙ୍କ ପାଇଁ ରଖାଯାଇଛି ରେଡିଓ ସମ୍ପର୍କିତ ବିଷୟକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗୀତା।

ଏହି ଖବରଟିକୁ ପଢନ୍ତୁ- ଘରୋଇ ସ୍କୁଲରେ ଇଡବ୍ଲୁଏସ୍ ଶିକ୍ଷାର୍ଥୀଙ୍କ ମାଗଣା ନାମଲେଖା,ମାର୍ଚ୍ଚ ୧୦ ଯାଏ ଅନ୍ଲାଇନ୍ ପଞ୍ଜୀକରଣ