ନୂଆଦିଲ୍ଲୀ ୦୨/୧୨: ୨୦୨୫ରେ ଇଣ୍ଟର୍‌ନେଟ୍‌ରେ ସବୁଠୁ ଅଧିକ ମନକୁ ଛୁଇଁଥିବା ଶବ୍ଦ ହେଉଛି ‘ରେଜ୍ ବେଟ୍’ । ଅକ୍ସଫୋର୍ଡ ଅଭିଧାନ ଚଳିତ ବର୍ଷ ‘ରେଜ୍ ବେଟ୍’ ଶବ୍ଦକୁ ଅକ୍ସଫୋର୍ଡ ୱର୍ଡ ଅଫ୍ ଦ ଇୟର-୨୦୨୫ ଅର୍ଥାତ୍ ଚଳିତ ବର୍ଷର ଅକ୍ସଫୋର୍ଡ ଶବ୍ଦ ଭାବେ ଘୋଷଣା କରିଛି । ଏହା ଚଳିତ ବର୍ଷ ଇଣ୍ଟର୍ନେଟ୍‌ରେ ସର୍ବାଧିକ ବ୍ୟବହୃତ ଶବ୍ଦ ହୋଇଛି । ଏ ବର୍ଷ ସୋସିଆଲ ମିଡିଆରେ ପ୍ରତ୍ୟେକ କ୍ରୋଧପୂର୍ଣ୍ଣ ପ୍ରତିକ୍ରିୟା ଓ ପ୍ରତ୍ୟେକ ଉତ୍ତେଜକ ଭାଇରାଲ ବିଷୟବସ୍ତୁରେ ଏହି ଶବ୍ଦର ଦବ୍‌ଦବା ଥିଲା ।

ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍ (ଓୟୁପି) ୩ ଦିନର ବୈଶ୍ୱିକ ସର୍ଭେରେ ୩୦ ହଜାରରୁ ଅଧିକ ଲୋକଙ୍କ ଭୋଟ୍ ପରେ ଏହାକୁ ଔପଚାରିକ ରୂପେ ଅକ୍ସଫୋର୍ଡ ୱର୍ଡ ଅଫ୍ ଦ ଇୟର-୨୦୨୫ର ଟାଇଟଲ ପ୍ରଦାନ କରିଛି । ଦୁଇ ପ୍ରତିଦ୍ୱନ୍ଦ୍ୱୀ ‘ଅରା ଫାର୍ମିଂ’ ଓ ‘ବାୟୋହ୍ୟାକ୍’କୁ ଏହା ପଛରେ ପକାଇଛି । ଅନ୍‌ଲାଇନ୍ ଆକ୍ରୋଶ ପ୍ରକାଶ ଲାଗି ରେଜ୍ ବେଟ୍ ଶବ୍ଦର ଖୁବ୍ ଉପଯୋଗ ହେଉଛି ।

ଓୟୁପି ଅନୁସାରେ, ରେଜ୍ ବେଟ୍‌ର ଅର୍ଥ ହେଉଛି କ୍ରୋଧକୁ ବଢ଼ାଉଥିବା ବିଷୟବସ୍ତୁ, ଯାହା ଜାଣିଜାଣି କ୍ରୋଧ ବା ଆକ୍ରୋଶକୁ ବଢ଼ାଇବାର ଏକ ଖୋରାକ ଭଳି କାମ କରେ । ଚଳିତ ବର୍ଷ ଜାଣିଶୁଣି ଅନୁଚିତ୍ ରାୟ, ଭ୍ରମାତ୍ମକ ଶୀର୍ଷକ, ଜାଣିଶୁଣି ଆପତ୍ତିଜନକ ରାୟକୁ କେବଳ ବିତର୍କ ପାଇଁ ଅନ୍‌ଇନ୍ ପୋଷ୍ଟ୍ କରିବାକୁ ରେଜ୍ ବେଟ୍ କୁହାଗଲା । ଅତ୍ୟନ୍ତ କ୍ଲାନ୍ତ ଓ ନୈରାଶ୍ୟଜନକ ବିଷୟବସ୍ତୁରେ ମଧ୍ୟ ରେଜ୍ ବେଟ୍ ଶବ୍ଦ ଖୁବ୍ ବ୍ୟବହୃତ ହେଲା ।

ଓୟୁପି ଅନୁସାରେ, ଗତ ୧ ବର୍ଷରେ ଏହି ଶବ୍ଦର ପ୍ରୟୋଗ ୩ ଗୁଣ ବଢ଼ିଛି । ଅନ୍‌ଲାଇନ୍ ବ୍ୟବହାର, ଆଲ୍‌ଗରିଦମ୍ ଓ ବିଷୟବସ୍ତୁ ପ୍ରସ୍ତୁତିରେ କିଭଳି ପରିବର୍ତ୍ତନ ଆସିଛି, ଏହା ତା’ର ସ୍ପଷ୍ଟ ସଙ୍କେତ । ଗତ ବର୍ଷ ବ୍ରେନ୍ ରଟ୍ ଶବ୍ଦ ଅକ୍ସଫୋର୍ଡ ୱର୍ଡ ଅଫ୍ ଦ ଇୟର ହୋଇଥିଲା । ଉତ୍ପାଦକତା କିଛି ନ ଥାଇ ଲୋକଙ୍କୁ ମାନସିକ ରୂପେ କ୍ଲାନ୍ତ କରି କେବଳ ନିଷ୍କ୍ରିୟ କରିବାକୁ ଏହା ବୁଝାଉଥିଲା ।