ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ନୂଆ ରୂପରେ ଝଲସିବ ରଘୁରାଜପୁର ଏବଂ ପିପିଲି, ପର୍ଯ୍ୟଟକଙ୍କ ପାଇଁ ରହିବ ବ୍ୟାପକ ବ୍ୟବସ୍ଥା

Published By : Rasmita Pradhan | October 30, 2024 3:01 PM

ପୁରୀ/ପିପିଲି, ୩୦/୧୦ : ନୂଆ ରୂପରେ ଝଲସିବ ଐତିହ୍ୟଗ୍ରାମ ରଘୁରାଜପୁର ଏବଂ କଳାଗ୍ରାମ ପିପିଲି । ପର୍ଯ୍ୟଟକଙ୍କ ପାଇଁ ରହିବ ବ୍ୟାପକ ବ୍ୟବସ୍ଥା । ଗ୍ରାମରେ ପାଦ ଦେବାଠାରୁ ଆରମ୍ଭ କରି ଗ୍ରାମରୁ ବାହାରିବା ପର୍ଯ୍ୟନ୍ତ କଳା, ସଂସ୍କୃତି ଓ ମନୋରଞ୍ଜନର ଖୋରାକ୍‌ ପାଇବେ ପର୍ଯ୍ୟଟକ । ଗ୍ରାମର ରୂପରେଖ ପର୍ଯ୍ୟଟକଙ୍କ ମନରେ ଛାଡ଼ିବ ସ୍ୱତନ୍ତ୍ର ଛାପ । ଗ୍ରାମର ରାସ୍ତା, ସ୍ୱଚ୍ଛତା, ପାନୀୟ ଜଳ ଓ ଶୌଚାଳୟକୁ ବିଶେଷ ଧ୍ୟାନ ଦିଆଯିବ । ଆମ୍ପିଥେଟରରେ ବସି କଳାକାରର କଳା ପ୍ରସ୍ତୁତି ଶୈଳୀକୁ ଉପଭୋଗ କରିପାରିବେ ପର୍ଯ୍ୟଟକ । ଏହାସହ ପ୍ରତ୍ୟେକ ଘରେ ଦେଖିବାକୁ ମିଳିବ ଚିତ୍ରକଳାର ଝଲକ୍‌ । ପର୍ଯ୍ୟଟକ ଏସବୁକୁ ଉପଭୋଗ କରିବା ସହ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ସାଥୀରେ କିଣି ଆଣିବେ । ଯାହା ହଜାର ହଜାର କଳାକାରଙ୍କୁ ଆର୍ଥିକ ରୂପେ ସମୃଦ୍ଧ କରିପାରିବ । ପୁରୀ ଜିଲ୍ଲାର ରଘୁରାଜପୁର ଏବଂ ପିପିଲି ପାଇଁ ଏଭଳି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି । 

ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବଲୱନ୍ତ ସିଂହ ଉଭୟ ଗ୍ରାମକୁ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ଏ ସଂପର୍କରେ ଆଲୋଚନା କରିଛନ୍ତି । ଗ୍ରାମରେ ସାମଗ୍ରିକ ବିକାଶ ହେବାକୁ ଥିବାରୁ ସ୍ଥାନୀୟ ବିଡିଓ, ତହସିଲଦାର, ପୂର୍ତ୍ତବିଭାଗ ଯନ୍ତ୍ରୀ, ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଏବଂ ପର୍ଯ୍ୟଟନ ବିଭାଗ ଯୁଗ୍ମ ଶାସନ ସଚିବ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଗକୁ ପର୍ଯ୍ୟଟନ ଋତୁ ଥିବାରୁ ପ୍ରାଥମିକ ଭାବେ ୩ ମାସ ମଧ୍ୟରେ ଗ୍ରାମରେ ଅତି ଆବଶ୍ୟକୀୟ ସୁବିଧା ସୁଯୋଗ ସୁନିଶ୍ଚିତ କରିବାକୁ ପର୍ଯ୍ୟଟନ ବିଭାଗ ସଚିବ ବଲୱନ୍ତ ସିଂହ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ରାସ୍ତା ମରାମତି, ଶୌଚାଳୟ ନିର୍ମାଣ, ଗ୍ରାମର ସ୍ୱଚ୍ଛତା ଇତ୍ୟାଦିକୁ ବିଶେଷ ଧ୍ୟାନ ଦେବାକୁ ସେ କହିଥିଲେ । ପରବର୍ତ୍ତୀ ସମୟରେ ଉଭୟ ଗ୍ରାମର ବିକାଶ ପାଇଁ ରହିଥିବା ଅନ୍ୟ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯିବ । ରଘୁରାଜପୁର ଗ୍ରାମରେ ରହିଥିବା ଟୁରିଷ୍ଟ କଂପ୍ଲେକ୍ସ ଏବେ ଅକାମୀ ହୋଇପଡ଼ିଛି । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ଏହା ମଧ୍ୟରେ ଥିବା ଆମ୍ପିଥିଏଟରରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ଲାଗି ବ୍ୟବସ୍ଥା କରିବାକୁ ସେ କହିଥିଲେ । ଗ୍ରାମର କଳାକାରମାନେ ଏଠାରେ ବସି ପଟ୍ଟଚ୍ଚିତ୍ର, ତାଳପତ୍ର ଚିତ୍ର, ମୁଖା, ନଡ଼ିଆ ଚିତ୍ର ଭଳି ପ୍ରାଚୀନ କଳାକୁ ଆଙ୍କିବେ । 

ପ୍ରତ୍ୟେକ ଶନିବାର ଓ ରବିବାର ପର୍ଯ୍ୟଟକଙ୍କ ଭିଡ଼ ଅଧିକ ରହୁଥିବାରୁ ଏହି ଦୁଇ ଦିନ ସନ୍ଧ୍ୟାରେ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ମଧ୍ୟ ବ୍ୟବସ୍ଥା ହୋଇଛି । ଏହା ସହ କମ୍ୟୁନିଟି ସେଣ୍ଟର ମଧ୍ୟ କାର୍ଯ୍ୟକାରୀ ହେବ । ରଘୁରାଜପୁରକୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଏଣୁ ତୁଳସୀଚଉରା ବାଇପାସ୍‌ଠାରୁ ରଘୁରାଜପୁର ହାଇସ୍କୁଲ ପର୍ଯ୍ୟନ୍ତ ଦୁଇ ଲାଇନ ବିଶିଷ୍ଟ ନୂଆ ରାସ୍ତା ନିର୍ମାଣ କରାଯିବ ବୋଲି ଯୋଜନା ରହିଛି । ଗ୍ରାମ ଶେଷରେ ଥିବା ଲାଇବ୍ରେରୀର ବିକାଶ କରିବାକୁ ମଧ୍ୟ ବଲୱନ୍ତ ସିଂହ ଆଲୋଚନା କରିଥିଲେ । ଗାଁ କମିଟି ସଭାପତି ଲକ୍ଷ୍ମୀଧର ସୁବୁଦ୍ଧି, ସେକ୍ରେଟେରୀ ଅଭିରାମ ଦାଶ, କମିଟିର ସଦସ୍ୟ ରବିନାରାୟଣ ମହାରଣା, ଆକାଶ ସ୍ୱାଇଁ, କାହ୍ନୁଚରଣ ବେହେରା, ଜିତେନ୍ଦ୍ର ବେହେରା, କୀର୍ତ୍ତନ ଦାସ, ନାରାୟଣ ବାରିକ ପ୍ରମୁଖ ଆଲୋଚନାରେ ସାମିଲ ହୋଇଥିଲେ । 

ସେହିଭଳି ପିପିଲି କଳାଗ୍ରାମରେ ପରିଦର୍ଶନ କରି ଏଠାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହିକ ଏଠାରେ ଥିବା ଜାଗା ସମସ୍ୟାର କିଭଳି ସମାଧାନ ହୋଇପାରିବ ଏନେଇ ଆଲୋଚନା କରିଥିଲେ । ୧୭ ବର୍ଷ ତଳେ ୧୦ କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୧ ଏକର ଜମିରେ ନିର୍ମିତ ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ଗ୍ରାମ ବର୍ତ୍ତମାନ ଭୂତ କାଠି ପାଲଟିଥିବା ବେଳେ ଏପର୍ଯ୍ୟନ୍ତ ଲୋକାର୍ପିତ ହୋଇପାରିନାହିଁ । ଆଗାମୀ ଦିନରେ ଚାନ୍ଦୁଆ ଶିଳ୍ପ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ କ୍ରାଫ୍‌ଟ ଭିଲେଜ୍‌ର ପାରିପାଶ୍ୱିର୍କ ବିକାଶ ସହିତ ଖୁବଶୀଘ୍ର ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯିବ ବୋଲି ପର୍ଯ୍ୟଟନ ବିଭାଗ ସଚିବ ସୂଚନା ଦେଇଛନ୍ତି । ଏହି ହସ୍ତଶିଳ୍ପ ଗ୍ରାମ କାର୍ଯ୍ୟକ୍ଷମ ହେଲେ ମୁଖ୍ୟତଃ ଚାନ୍ଦୁଆର ପ୍ରଚାର ପ୍ରସାର ଓ କାରିଗର ମାନଙ୍କ ଜୀବିକା ନିର୍ବାହରେ ଖୁବ୍‌ ସହାୟକ ହୋଇପାରିବ ବୋଲି ସେ କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.