ନୂଆଦିଲ୍ଲୀ: ସଂସଦରେ ଠେଲାପେଲା ଘଟଣାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ବଢ଼ିଛି । ବିଜେପିର ଦୁଇ ଜଣ ସାଂସଦ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ରାହୁଲ ଗାନ୍ଧୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛି ଦଳ । ବିଜେପିର ଅଭିଯୋଗ କ୍ରମେ ରାହୁଲଙ୍କ ବିରୋଧରେ ପୋଲିସ ମାରପିଟ୍‌ ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା ଲଗାଇଛି । ଏନେଇ ବିଜେପି ନେତା ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।  ସଂସଦ ପରିସରରେ ହୋଇଥିବା ଠେଲାପେଲା ଘଟଣାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ମାମଲା ରୁଜୁ ହୋଇଛି । ରାହୁଲ ଗାନ୍ଧୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ କରିଛି ବିଜେପି । ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୯, ୧୧୫, ୧୧୭, ୧୨୫, ୧୩୧ ଏବଂ ୩୫୧ ଅଧୀନରେ ରାହୁଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ସକାଳେ ସଂସଦରେ ଆମ୍ୱେଦକରଙ୍କୁ ଅପମାନିତ କରିବା ଅଭିଯୋଗରେ ଉଭୟ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ହୋଇଥିବା ଠେଲାପେଲାରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତ ଆହତ ହୋଇଥିଲେ । ବିଜେପି ସାଂସଦଙ୍କୁ ରାହୁଲ ଗାନ୍ଧୀ ଧକ୍କା ଦେଇଥିବା ଅଭିଯୋଗ ହୋଇଛି ।

 ବିଜେପି ସାଂସଦ ଅନୁରାଗ ଠାକୁର କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ବିରୋଧରେ ମାରପିଟ୍‌ ଓ ହତ୍ୟା ଉଦ୍ୟମ କରିଥିବା ନେଇ ଦିଲ୍ଲୀ ପୋଲିସରେ ଅଭିଯୋଗ କରାଯାଇଛି । ରାହୁଲ ଦଳ ବଳ ସହ ଏନଡିଏ ସାଂସଦଙ୍କ ଆଗକୁ ମାଡ଼ି ଆସିଥିଲେ ଏବଂ ସାଂସଦଙ୍କୁ ଉସୁକାଇଥିଲେ । ଏହାଦ୍ୱାରା ସାଂସଦଙ୍କୁ ଆଘାତ ପହଞ୍ଚିବ ବୋଲି ସେ ଜାଣି ମଧ୍ୟ ତାହା କରିଥିଲେ । ଏତଲା ଦେବାକୁ ଯାଇଥିବା ବିଜେପି ସାଂସଦ ବାଂସୁରୀ ସ୍ୱରାଜ କହିଛନ୍ତି, ଏହା କେବଳ ଅଭଦ୍ରାମୀ ନୁହେଁ ବରଂ ଅପରାଧିକ କାର୍ଯ୍ୟକଳାପ ମଧ୍ୟ । ଏଥିପାଇଁ ଆମେ ସମସ୍ତେ ଆଜି ପୋଲିସ ଷ୍ଟେସନକୁ ଆସିଛୁ ଏବଂ ଏତଲା ଦେଇଛୁ । ସୁରକ୍ଷାକର୍ମୀ ରାହୁଲ ଗାନ୍ଧୀଙ୍କୁ ଅନ୍ୟ ରାସ୍ତାରେ ସଂସଦ ଭିତରକୁ ଯିବା ପାଇଁ ବାରମ୍ୱାର ଅନୁରୋଧ କରିଥିଲେ । କିନ୍ତୁ ରାହୁଲ ସେମାନଙ୍କ ଅନୁରୋଧକୁ ନମାନି ସାଂସଦଙ୍କୁ ଠେଲି ଆଗକୁ ଯାଇଥିଲେ ।