ନୂଆଦିଲ୍ଲୀ, ୧୫/୦୭ : ଭାରତୀୟ ସେନା ବିରୋଧରେ ଅଶୋଭନୀୟ ଟିପ୍ପଣୀ ଦେବା ମାମଲାରେ କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଲକ୍ଷ୍ନୌ କୋର୍ଟରେ ହାଜର ହୋଇପାରନ୍ତି। ଏହି ମାମଲାରେ ଆଜି ଶୁଣାଣି ହେବ। ଏଥିପାଇଁ ରାହୁଲ ଲକ୍ଷ୍ନୌ ଯାଇପାରନ୍ତି।
ସୂଚନାନୁଯାୟୀ, ୨୦୨୨ ଡିସେମ୍ଵର ୧୬ରେ ଭାରତ ଯୋଡ଼ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ସେନା ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଭାରତ ଏବଂ ଚୀନ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଙ୍ଘର୍ଷକୁ ନେଇ ରାହୁଲ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ଯେ, ଅରୁଣାଚଳ ପ୍ରଦେଶରେ ଆମ ସେନା ଚୀନ୍ ସୈନିକଙ୍କ ଠାରୁ ମାଡ଼ ଖାଉଛନ୍ତି । ଏନେଇ ଭାରତୀୟ ପ୍ରେସ୍ ତାଙ୍କୁ କୋଣସି ପ୍ରଶ୍ନ କରିବେନି। ଯାହାକୁ ନେଇ ବର୍ଡର ରୋଡ୍ସ ଅର୍ଗାନାଇଜେସନର ପୂର୍ବତନ ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବ ଏକ ମାନହାନୀ ମାମଲା ଦାୟର କରିଥିଲେ। ଏହି ମାମଲା ଏବେ ଲକ୍ଷ୍ନୌର ଏକ ଅଦାଲତରେ ବିଚାରାଧୀନ ଅଛି। ଅଭିଯୋଗକାରୀ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ରାହୁଲ ବାରମ୍ଵାର ଭାରତୀୟ ସେନା ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ଯେଉଁଥି ପାଇଁ ଯବାନ ଏବଂ ସେମାନଙ୍କ ପରିବାର ଲୋକଙ୍କ ମନୋବଳ ଭାଙ୍ଗୁଛି।
ଏହି ମାମଲାକୁ କୋର୍ଟ ଗମ୍ଭୀରତାର ସହ ନେଇ ରାହୁଲଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ରାହୁଲ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ। ହେଲେ ଆହ୍ଲାବାଦ ହାଇକୋର୍ଟରୁ ତାଙ୍କୁ ଆଶ୍ଵସ୍ତି ମିଳିନଥିଲା।