ନୂଆଦିଲ୍ଲୀ: ଲୋକସଭାରେ ନିଜ ମତ୍ତ ରଖିବାକୁ ଦିଆଯାଉନାହିଁ ବୋଲି ବିରୋଧିଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ ଆଣିଛନ୍ତି। ବୁଧବାର ଲୋକସଭାରେ ସେ ଭାରତର ବେରୋଜଗାରି ସମ୍ପର୍କରେ ନିଜ ମନ୍ତବ୍ୟ ରଖିଲା ବେଳେ ବାଚସ୍ପତି ତାଙ୍କ ସିଟ ଛାଡି ଚାଲିଯାଇଥିଲେ ବୋଲି ଅଭିଯୋଗ କରିଛନ୍ତି ରାହୁଲ। ଏହା ପୂର୍ବରୁ ମଧ୍ୟ ସୋକସଭାରେ ତାଙ୍କ ମାଇକ୍ରୋଫୋନକୁ ବନ୍ଦ କରି ତାଙ୍କୁ କିଛି କହିବାକୁ ସୁଯୋଗ ଦିଆଯାଉ ନାହିଁ ବୋଲି ରାହୁଲ ଅଭିଯୋଗ ଆଣିଥିଲେ। 

ଏ ସମ୍ପର୍କରେ ରାହୁଲ ଗାନ୍ଧୀ ସାମ୍ୱାଦିକମାନଙ୍କୁ ସାକ୍ଷାତକାର ଦେଇ କହିଛନ୍ତି ଯେ “ଲୋକସଭାରେ ମତେ କିଛି କହିବାକୁ ସୁଯୋଗ ଦିଆଯାଉ ନାହିଁ। ମୁଁ ବାଚସ୍ପତିଙ୍କୁ ନିଜ ମନ୍ତବ୍ୟ ରଖିବାକୁ ନିବେଦନ କରିଥିଲି। କିନ୍ତୁ ସେ ନିଜ ସିଟ ଛାଡି ଚାଲିଯାଇଥିଲେ। ମତେ କିଛି କହିବାର ସୁଯୋଗ ନଦେଇ ଗୃହରୁ ଏମିତି ହଠାତ୍ ଚାଲିଯିବାର ମାନେ କଣ। ମୋ କଥା ଠିକସେ ଶୁଣାଯାଉନି କହି ସେ ଗୃହ ମୁଲତବି କରିଦେଇଥିଲେ।”



ବାଚସ୍ପତି ଓମ ବିର୍ଲା ଅସାମ୍ୱଧାନିକ ଭାବେ ଗୃହ ପରିଚାଳନା କରୁଛନ୍ତି। ବିରୋଧିମାନଙ୍କ କୌଣସି କଥା ଶୁଣିବାକୁ ସେ ପ୍ରସ୍ତୁତ ନାହାନ୍ତି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ ଆଣିଛନ୍ତି। ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ “୭-୮ ଦିନ ହେବ ଗୃହରେ କିଛି କହିବାକୁ ଅନୁମତି ଦିଆଯାଉ ନାହିଁ। ଗୃହରେ ବିରୋଧି ମାନଙ୍କ ସ୍ଥାନ ନାହିଁ... ଗୃହ କେବଳ ସରକାରଙ୍କର। ପ୍ରଧାନମନ୍ତ୍ରୀ କୁମ୍ଭ ମେଳା ଉପରେ ନିଜ ମନ୍ତବ୍ୟ ରଖିଥିଲେ। ସମାନ ଢଙ୍ଗରେ ମୁଁ ମଧ୍ୟ ବେରୋଜଗାରି ଉପରେ ମନ୍ତବ୍ୟ ରଖିବାକୁ ଚାହୁଁଥିଲି। କିନ୍ତୁ ମତେ ଅନୁମତି ପ୍ରଦାନ କରାଯାଇ ନଥିଲା।”

ରାହୁଲ ଗାନ୍ଧୀଙ୍କ ଏହି ଅଭିଯୋଗ ପରେ ଗୌରଭ ଗୋଗୋଇ ଓ କେସି ବେଣୁଗୋପାଲଙ୍କ ସହ ଅନେକ ସାଂସଦ ଏମ ବର୍ଲାଙ୍କୁ ଭେଟିଛନ୍ତି। କଣ ପାଇଁ ଗୃହରେ ଏପରି ବାରମ୍ୱାର ଘଟୁଛି ବୋଲି ସେମାନେ ଓମ୍ ବିର୍ଲାଙ୍କୁ ପ୍ରଶ୍ନ କରିଛନ୍ତି। ଆପଣଙ୍କୁ ଜଣାଇରଖୁ ଯେ ଗତ ବର୍ଷ ଜୁନ ମାସରେ ରାହୁଲ ଗାନ୍ଧୀ ନିଟ୍ ପେପର ଲିକ ସମ୍ୱନ୍ଧରେ ନିଜ ମନ୍ତବ୍ୟ ରଖୁଥିଲା ବେଳେ ତାଙ୍କ ମାଇକ୍ରୋଫୋନକୁ ବନ୍ଦ କରିଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏହାର ଉତ୍ତରରେ ବାଚସ୍ପତି କହିଥିଲେ ଯେ ସେ କୈଣସି ସାଂସଦଙ୍କର ମାଇକ୍ରୋଫୋନକୁ ବନ୍ଦ କରିନାହାନ୍ତି। ତାଙ୍କ ପାଖରେ ଏମିତି କିଛି ବି ଶକ୍ତି ନାହିଁ ବୋଲି ସେ କହିଥଲେ। 




ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ରାହୁଲଙ୍କ ଏଭିଳି ମନ୍ତବ୍ୟକୁ ବିରୋଧ କରିଛନ୍ତି। ଜଣେ ବାଚସ୍ପତିଙ୍କୁ ସାମ୍ୱାଧାନିକ ସ୍ତରରେ କିପରି ସମ୍ମାନ ପ୍ରଦାନ କରାଯାଏ ତାହା ଆମ ବିରୋଧିଦଳ ନେତାଙ୍କୁ ଜଣାନାହିଁ। ରାହୁଲଙ୍କ ବକ୍ତବ୍ୟ ବେଳକୁ ଗୃହକୁ ମୁଲତବି କରିଦିଆ ଯାଇଥିଲା। ଏହା ତାଙ୍କ ଦୁର୍ଭାଗ୍ୟ ବୋଲି ଅମିତ ମାଲବ୍ୟ ଟୁଇଟ କରିଛନ୍ତି।