- ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ବଢିଲା ଅଡୁଆ
- ନ୍ୟାସନାଲ ହେରାଲ୍ଡ ମାମଲାରେ ଦିଲ୍ଳୀ ହାଇକୋର୍ଟଙ୍କ ନୋଟିସ୍
- ରାଉଜ ଆଭିନ୍ୟୁ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ଦେଇଥିଲା ଇଡି
- ଆସନ୍ତା ବର୍ଷ ୧୨ ମାର୍ଚ୍ଚରେ ଶୁଣାଣି
ନୂଆଦିଲ୍ଲୀ,୨୨।୧୨: ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବଢିଲା ଅଡୁଆ। ଏହି ମାମଲାରେ ଶୁଣାଣି କରି ସୋମବାର ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଅନ୍ୟ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ ପୂର୍ବରୁ ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ବିରୋଧରେ ଆକ୍ସନ ନେବାକୁ ମନା କରିଦେଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲା।
ଆସନ୍ତା ବର୍ଷ ହେବ ଶୁଣାଣି :
ଦିଲ୍ଲୀ ହାଇକୋର୍ଟ ନ୍ୟାସନାଲ ହେରାଲ୍ଡ ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ଇଡି ଆବେଦନକୁ ମଞ୍ଜୁର କରିଛନ୍ତି। ୧୨ ମାର୍ଚ୍ଚ ୨୦୨୬ ରେ ଶୁଣାଣି ନେଇ ଆଗାମୀ ତାରିଖ ଦିଆଯାଇଛି। ଇଡି ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ସଲିସିଟର ଜେନେରାଲ ତୁଷାର ମେହେତା ନିଜର ଦଲିଲରେ କହିଛନ୍ତି, ଅନ୍ତିମ ନିଷ୍କର୍ଷ ଏହା ଯେ, ୫୦ ଲକ୍ଷ ଟଙ୍କା ବଦଳରେ ଅଭିଯୁକ୍ତଙ୍କୁ ୨୦୦୦କୋଟି ଟଙ୍କାର ସମ୍ପତ୍ତି ହାସଲ ହୋଇଛି। ତୁଷାର ମେହେତା କହିଛନ୍ତି, ଜୁନ୍ ୨୦୧୪ ରେ ଜଣେ ବ୍ୟକ୍ତିଙ୍କ ଦ୍ବାରା ବ୍ୟକ୍ତିଗତ ଅଭିଯୋଗ ଦାଖଲ କରାଯାଇଥିଲା। ଯାହା ଉପରେ ନିମ୍ନ ଅଦାଲତ ବିଚାର କରିଥିଲେ। ପରେ ଦିଲ୍ଲୀ ହାଇକୋର୍ଟ ଏହା ଉପରେ ରହିତାଦେଶ ଲାଗୁ କରିଥିଲେ।
ଚାର୍ଜସିଟରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁ:
ଇଡି ନିଜର ଚାର୍ଜସିଟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ସାମ ପିଟ୍ରୋଡା, ସୁମନ ଦୁବେ, ସୁନୀଲ ଭଣ୍ଡାରୀ, ୟଙ୍ଗ ଇଣ୍ଡିଆନ୍ ଏବଂ ଡୋଟେକ୍ସ ମର୍ଚାଣ୍ଡାଇଜ୍ ପ୍ରାଇଭେଟ୍ ଲିମିଟେଡର ନାଁ ରଖିଛି। ଇଡି ଯାଞ୍ଚ ଉପରେ କଂଗ୍ରେସ ଯୁକ୍ତି ଦେଇଥିଲା ଯେ ଇଡି ତଦନ୍ତ ଏକ ରାଜନୈତିକ ପ୍ରତିଶୋଧ ଥିଲା। ତେବେ ଇଡି ଦାବି କରିଥିଲା ଯେ ଏହା ଏକ ଗମ୍ଭୀର ଅର୍ଥନୈତିକ ଅପରାଧ ଯେଉଁଥିରେ ଠକେଇ ଏବଂ ମନି ଲଣ୍ଡରିଂର ପ୍ରମାଣ ମିଳିଛି।
ସୋନିଆ-ରାହୁଲଙ୍କ ଉପରେ ବଡ଼ ଦୁର୍ନୀତି ଅଭିଯୋଗ :
ଇଡିର ଅଭିଯୋଗ ଯେ, କଂଗ୍ରେସ ନେତା ଷଡଯନ୍ତ୍ର କରି ଆସୋସିଏଟେଡ୍ ଜର୍ଣ୍ଣାଲ ଲିମିଟେଡ୍ର ୨୦୦୦ କୋଟି ଟଙ୍କାର ସମ୍ପତ୍ତି ଉପରେ କବଜା କରିବାକୁ ଏହାର ଅଧିଗ୍ରହଣ ପ୍ରାଇଭେଟ୍ କମ୍ପାନୀ ‘ୟଙ୍ଗ ଇଣ୍ଡିଆନ୍’ ଜରିଆରେ କେବଳ ୫୦ ଲକ୍ଷ ଟଙ୍କାରେ କରିଥିଲେ। ଏହି କମ୍ପାନୀର ୭୬% ସେୟାର ସୋନିଆ ଓ ରାହୁଲଙ୍କ ପାଖରେ ରହିଛି। ଏହି ମାମଲାରେ ଅପରାଧରେ ଅର୍ଜିତ ଆୟ ୯୮୮ କୋଟି ଟଙ୍କା ବୋଲି କୁହାଯାଉଛି। ଏ ସମ୍ପର୍କିତ ସମ୍ପତ୍ତିର ବଜାର ମୂଲ୍ୟ ୫୦୦୦ କୋଟି ଟଙ୍କା ବୋଲି କୁହାଯାଉଛି।
ନ୍ୟାସନାଲ ହେରାଲ୍ଡ କେସ୍ କ’ଣ ?
୧୯୩୮ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ୫ ହଜାର ସ୍ବାଧୀନତା ସଂଗ୍ରାମୀଙ୍କ ସହ ମିଶିକି କରିଥିଲେ। ଏହି ଖବର କାଗଜର ପ୍ରକାଶନ ଏଜେଏଲ୍ କରୁଥିଲା। ୨୦୦୮ ରେ ଏହି ଖବରକାଗଜ ବନ୍ଦ ହୋଇଯାଇଥିଲା। ଏହାର ଅଧିଗ୍ରହଣ ଉପରେ ବିବାଦ ଓ ଦୁର୍ନୀତିର ଖବର ସାମନାକୁ ଆସିଥିଲା।
ଆହୁରି ପଢନ୍ତୁ :ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ମଞ୍ଜୁରୀ: ଏହି ସବୁ ଜିନିଷ ହୋଇଯିବ ଶସ୍ତା, କୃଷକଙ୍କୁ ମିଳିବ ଲାଭ