ମୁମ୍ବାଇ,୧୫/୧୧: ଦେଶରେ ବେରୋଜଗାରୀ ବଢୁଛି । ଦରଦାମ ବି ଆକାଶଛୁଆଁ । ମାତ୍ର ଏଥିରେ ଆଦାନୀ ଓ ଆମ୍ବାନୀଙ୍କୁ କିଛି ଫରକ ପଡୁନାହିଁ । ତାଙ୍କ ସମ୍ପତ୍ତି ବଢି ଚାଲିଛି । ସେମାନଙ୍କୁ ଏୟାରପୋର୍ଟ, ପୋର୍ଟ ସବୁ ଦିଆ ଯାଇଛି । ଏବେ ତୁମ ସାମ୍ନାରେ ତାଙ୍କୁ ଧାରାବି ଦିଆ ଯାଉଛି । କଂଗ୍ରେସ ଦଳ ୭୦ ହଜାର କୋଟି ଟଙ୍କାରେ ଦେଶର ଚାଷୀଙ୍କ ଋଣ ଛାଡ କରିଛି । ମାତ୍ର ଆଦାନୀ କମ୍ପାନୀକୁ ମୁମ୍ବାଇରେ କେବଳ ୧ ହଜାର କୋଟି ଟଙ୍କା ଦିଆଯାଉଛି । ଏ ସରକାର ମହାରାଷ୍ଟ୍ରବାସୀଙ୍କର ନୁହେଁ । ସରକାର ଆଦାନୀର । ମହାରାଷ୍ଟ୍ର ନିର୍ବାଚନକୁ ଆଉ ୫ ଦିନ ବାକି ରହିଛି । ହାତଗଣତି ଦିନ ବାକି ଥିବାରୁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରଚାର ଜୋରଦାର କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ର ଗସ୍ତ କରି ଏକ ଜନସଭାକୁ ସମ୍ବୋଧନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।

ବିଜେପି ସରକାରକୁ ଟାର୍ଗେଟ କରି ରାହୁଲ କହିଛନ୍ତି, ଏ ସରକାର ମହାରାଷ୍ଟ୍ରବାସୀଙ୍କର ନୁହେଁ । ସରକାର ଆଦାନୀର । ସେ ସରକାରକୁ କିଣିଛନ୍ତି । ନରେନ୍ଦ୍ର ମୋଦି ଆଜି ଯାଏ ମଣିପୁର ଯାଇନାହାନ୍ତି । ଏ ବିଜେପି ଯେଉଁଠାକୁ ଯାଇଛି ସେଠାରେ ଘୃଣା ବାଣ୍ଟୁଛି । ଏ ଦଳ କେବଳ ବିଭାଜନ କରେ । ମହାରାଷ୍ଟ୍ର ଜନତାଙ୍କୁ ତାଙ୍କ ସରକାର ଛଡେଇ ନେଇଛନ୍ତି । ସେଥିରେ ମୋଦିଜୀଙ୍କ ହାତ ଅଛି । ସରକାର ଭାଙ୍ଗିବା ବୈଠକରେ ଆଦାନୀ ସାମିଲ ଥିଲେ । ତାଙ୍କର ସେହି ବୈଠକରେ କଣ କାମ । ତାଙ୍କୁ ଧାରାବି ଦରକାର ସେଥିପାଇଁ ସେ ବୈଠକରେ ସାମିଲ ହୋଇଥିଲେ ।

ପ୍ରଧାନମନ୍ତ୍ରୀଙ୍କୁ ନିଶାନା କିର ରାହୁଲ ଆହୁରି କହିଛନ୍ତି, ସମ୍ବିଧାନ ହିନ୍ଦୁସ୍ଥାନର ଆତ୍ମା । ମୋଦିଜୀ ଆଦୌ ସମ୍ବିଧାନ ପଢିନାହାନ୍ତି । ତେଣୁ ସମ୍ବିଧାନର ନାଲି ପୁସ୍ତକ ତାଙ୍କୁ ଖାଲି ଲାଗୁଛି । ବିଜେପିକୁ ନାଲି ରଙ୍ଗ ପସନ୍ଦ ନୁହେଁ । କିନ୍ତୁ ବହିର ରଙ୍ଗ ନାଲି ହେଉ କି ନୀଳ ଆମକୁ କିଛି ଫରକ ପଡେ ନାହିଁ । ଏହାରୁ ସୁରକ୍ଷା ପାଇଁ ଆମେ ଜୀବନ ଦେଇ ଦେବାକୁ ପ୍ରସ୍ତୁତ ଅଛୁ । କଂଗ୍ରେସ ସମସ୍ତ ଲୋକ ସମ୍ବିଧାନର ରକ୍ଷା କରୁଛନ୍ତି । ମାତ୍ର ବିଜେପି-ଆରଏସଏସ ଲୋକ ଆମ୍ବେଦକରଙ୍କ ସମ୍ବିଧାନକୁ ଶେଷ କରିବାକୁ ଚାହୁଁଛନ୍ତି ।