ଭୁବନେଶ୍ୱର, ୨୮/୦୯: ଚାଲିଲା ବୁଲଡୋଜର, ଭାଙ୍ଗିଲା ମଦ ମାଫିଆଙ୍କ ସିକ୍ରେଟ୍ ଚାମ୍ବର । ମାଟିରେ ମିଶିଲା ବେଆଇନ ଦେଶୀ ମଦ ଭାଟି । ସାଲିଆସାହିରେ ପୁଣି ବୁଲିଲା ଅବକାରୀ ବିଭାଗର ବୁଲଡୋଜର। ଶନିବାର ଅବକାରୀ ବିଭାଗ ପକ୍ଷରୁ ରେଡ୍ କରାଯାଇ ସାଲିଆସାହିରେ ଥିବା ଏକ ବେଆଇନ ମଦ ଭାଟିରେ ଠାବ କରାଯାଇଥିଲା । ପାଖାପାଖି ୨ ହଜାର ଲିଟର ଦେଶୀ ମଦ ନଷ୍ଟ କରାଯିବା ସହ ୧୬ ହଜାର ଲିଟର ପୋଚ ନଷ୍ଟ କରାଯାଇଥିଲା । ବାରମ୍ବାର ଅବକାରୀ ବିଭାଗ ଏଥିରେ ସମ୍ପୃକ୍ତ ଥିବା ଦୁର୍ବୃତ୍ତଙ୍କୁ ଗିରଫ କରିବା ପରେ ବି ଜେଲ୍ରୁ ଆସି ମଦ ଭାଟିରେ ଚୋରା ମଦ କାରବାର କରୁଛନ୍ତି । ଯାହା ପରେ ମାଫିଆମାଙ୍କ ଉପରେ ଏବେ ବଡ ଆକ୍ସନ ନିଆଯାଇଛି । BMC ଓ ଅବକାରୀ ବିଭାଗ ପକ୍ଷରୁ ଡୋଜର ଲଗାଇ ମଦ ମାଫିଆଙ୍କ ସାମ୍ରାଜ୍ୟକୁ ମାଟିରେ ମିଶା ଯାଉଛି ।
ପୂଜା ପୂର୍ବରୁ ରାଜଧାନୀରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ କରାଯାଇଛି । ଶନିବାର ସାଲିଆସାହିର ବିଭିନ୍ନ ବସ୍ତିରେ ଅବକାରୀ ଟିମ୍ ଚଢ଼ଉ କରି ଦେଶୀ ମଦ ଭାଟି ସବୁ ଭାଙ୍ଗିବା ସହ ୧୬ ହଜାର ଲିଟର ପୋଚ ନଷ୍ଟ କରିଥିଲା । ୬ ହଜାର ଲିଟର ଦେଶୀ ମଦ ଜବତ କରାଯାଇଥିଲା । ୧୦ଟି ମାମଲା ରୁଜୁ କରାଯାଇ ୬ ନିଶା ବେପାରୀଙ୍କୁ ଗିରଫ କରାଯାଇଥିଲା । ଚଢ଼ଉ ସମୟରେ ଅନ୍ୟ ୨ ବେପାରୀ ଖସି ପଳାଇଥିଲେ । ସେମାନଙ୍କୁ ଗିରଫ କରିବା ପାଇଁ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।
ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସାଲିଆସାହିର ବିଭିନ୍ନ ବସ୍ତିରେ ଦେଶୀ ମଦ ଭାଟିଗୁଡ଼ିକରେ ବାରମ୍ବାର ଚଢ଼ଉ କରାଯାଉଛି । ପ୍ରଚୁର ପୋଚ ନଷ୍ଟ କରାଯିବା ସହ ଭାଟି ଚଳାଇଥିବା ନିଶା ବେପାରୀମାନଙ୍କୁ ଗିରଫ କରାଯାଉଛି । ତେବେ ଜାମିନରେ ଆସି ସେମାନେ ପୁଣି ବେଧଡ଼କ ମଦ କାରବାର ଚଳାଉଛନ୍ତି । ପାର୍ବଣ ପାଇଁ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ପଣ କରିଥିବା ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା । ଆଜି ସକାଳେ ଅବକାରୀ ସୁପରିଟେଣ୍ଡେଣ୍ଟ୍ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଭୁବନେଶ୍ୱର ଅବକାରୀ ବିଭାଗର ସମସ୍ତ ଅଧିକାରୀ ମିଶି ସାଲିଆସାହିର ବିଭିନ୍ନ ବସ୍ତିରେ ଜୋରଦାର ଚଢ଼ଉ କରିଥିଲେ । ଗଳିକନ୍ଦିରେ ଥିବା ମଦ ଭାଟି ସବୁ ଭାଙ୍ଗିବା ସହ ବିପୁଳ ପୋଚ ଢ଼ାଳି ନଷ୍ଟ କରିଥିଲେ । ଫଳରେ ଦେଶୀ ମଦରେ ପୂରା ସାଲିଆସାହି ଭାସିବା ଭଳି ହୋଇଥିଲା । ମଦ ଗନ୍ଧରେ ନାକ ଫାଟି ପଡ଼ୁଥିଲା । ୧୬ ହଜାର ଲିଟର ପୋଚ ନଷ୍ଟ କରାଯିବା ସହ ୬ ହଜାର ଲିଟର ରନ୍ଧା ମଦ ଜବତ କରାଯାଇଥିଲା । ଏଥିସହ ମଦ ଓ ପୋଚ ଭର୍ତ୍ତି ହୋଇଥିବା ବଡ଼ବଡ଼ ଡ୍ରମ୍, ଡେକ୍ଚି ଆଦି ଜବତ କରାଯାଇଥିଲା । ଆଗକୁ ଏହି ଚଢ଼ଉ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ସୁପରିଟେଣ୍ଡେଣ୍ଟ୍ ଶ୍ରୀ ପଟେଲ କହିଛନ୍ତି ।