ରାଉରକେଲା, ୧୯/୦୬: ବେକାବୁ ଡାଇରିଆ। ଝାଡ଼ାବାନ୍ତି ବ୍ୟାପିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଉରକେଲାରେ ପ୍ରଶାସନ ପକ୍ଷରୁ ପ୍ରତିରୋଧକ ପଦକ୍ଷେପ ଗ୍ରହଣ କରାଯାଉଛି। ବୁଧବାର ମହାନଗର ନିଗମର ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏସବିଆଇ ଏବଂ ସିଭିଲ୍ ଟାଉନସିପ୍ ଅଞ୍ଚଳର ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗୁଡ଼ିକରେ ଯାଞ୍ଚ କରାଯାଇଥିଲା। ଗୁଣାତ୍ମକ ବିଶ୍ଳେଷଣ ପାଇଁ ୬ଟି ଜଳ ନମୁନା ସଂଗ୍ରହ କରାଯାଇ ରାଜ୍ୟ ଖାଦ୍ୟ ପରୀକ୍ଷାଗାରକୁ ପଠାଯାଇଥିଲା। ଖାଦ୍ୟ ବ୍ୟବସାୟ ପରିଚାଳକମାନଙ୍କୁ ମୌସୁମୀ ଋତୁ ପାଇଁ ପ୍ରତିରୋଧୀ ପଦକ୍ଷେପ ବିଷୟରେ ସଚେତନ କରାଯାଇଥିଲା। ବିନା ଲାଇସେନ୍ସରେ ପରିଚାଳିତ ହୋଟେଲ ଗୁଡ଼ିକୁ ନୋଟିସ ଜାରି କରାଯାଇଥିଲା। ଗତକାଲି ଚଢ଼ାଉରେ ପ୍ରାୟ ୨୦ କିଲୋଗ୍ରାମ ବାସି / ସଂକ୍ରମିତ ଖାଦ୍ୟ ନଷ୍ଟ କରାଯାଇଥିଲା।
ରାଜ୍ୟରେ ଝାଡାବାନ୍ତି ଥମିବାର ନାଁ ଧରୁନି । ଜିଲ୍ଲାକୁ ଜିଲ୍ଲା ରୋଗ ଡେଉଁଥିବା ବେଳେ ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ବର୍ତ୍ତମାନ ୮ଟି ଜିଲ୍ଲାରେ ଝାଡାବାନ୍ତି ସକ୍ରିୟ ରହିଛି। ଯାଜପୁରରେ ଝାଡାବାନ୍ତି ବ୍ୟାପିବା ପଛରେ ଦୂଷିତ ପାଣି ଦାୟୀ ବୋଲି ଯାଜପୁରରୁ ଫେରିଥିବା କେନ୍ଦ୍ରୀୟ ବିଶେଷଜ୍ଞ ଦଳ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେଇଛି।